ଉତ୍ସ

 

 

 

 

 

 

 

 

 

ଉତ୍ସ

କୃଷ୍ଣଚନ୍ଦ୍ର ତ୍ରିପାଠୀ

 

 

 

 

 

 

 

ଉତ୍ସର୍ଗ

 

ମୋର ଶ୍ରଦ୍ଧେୟ ଛାତ୍ର

ଶ୍ରୀମାନ୍‍ ମଦନମୋହନ ମିଶ୍ର, ଏମ.ଏ, ଏମ୍‍.ଇଡ଼ି.ଙ୍କ

ନାମରେ.........

 

ଆଦ୍ୟବାଣୀ—

 

ଓଡ଼ିଶାର ଜନପ୍ରିୟ କବି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଅନ୍ୟତମ କବିତା ଗ୍ରନ୍ଥ ‘ଉତ୍ସ’ କବି କୁଟୀରର ଷଷ୍ଠ ଅବଦାନ ରୂପେ ପ୍ରକାଶି ହେଲା । ଏ କବିତା ସବୁ ବିଭିନ୍ନ ସମୟରେ ଲେଖା ଓ ଏଥିରୁ ଅଧିକାଂଶ ଝଙ୍କାର, ସହକାର, ରବିବାର ପ୍ରଜାତନ୍ତ୍ର ଇତ୍ୟାଦି ଓଡ଼ିଶାର ବିଭିନ୍ନ ସାହିତ୍ୟ ପତ୍ରିକାର ପ୍ରକାଶିତ ହୋଇଥିଲା ।

 

ଓଡ଼ିଶାର ବରେଣ୍ୟ କବି ଡକ୍‍ଟର ମାୟାଧର ମାନସିଂହ କବି ଶ୍ରୀଯୁକ୍ତ ତ୍ରିପାଠୀଙ୍କର ‘ଆହୁତି’ ‘ରୂପାୟନ’ ‘ଅଗ୍ନିଶଙ୍ଖ’ ‘ମାଟିଦୀପ’ ‘ଆତ୍ମଲିପି’ ଇତ୍ୟାଦି ସମଗ୍ର କବିତା ଗ୍ରନ୍ଥ ପଢ଼ି ଗୋଟିଏ ସଂକ୍ଷିପ୍ତ ଅଥଚ ସୁନ୍ଦର ଆଲୋଚନା ସ୍ୱତଃପ୍ରବୃତ୍ତ ହୋଇ ୯-୪-୫୯ ତାରିଖରେ ଦୈଦିକ ସମାଜରେ ପ୍ରକାଶ କରିଥିଲେ । ଡକ୍‍ଟର ମାୟାଧର ମାନସଂହିଙ୍କ ଆଲୋଚନାଟି ପଢ଼ି କବିଙ୍କର ଶତାଧିକ ସାହିତ୍ୟକ ବନ୍ଧୁ କିଏବା ମୌଖିକ ଭାବରେ, କିଏବା ଖାଲି ଚିଠି ଲେଖି, କବିଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଡକ୍‍ଟର ମାୟାଧର ମାନସିଂହଙ୍କ ଭଳି ଗୁଣଗ୍ରାହୀ କବି, ଯେ ପ୍ରକୃତରେ ତ୍ରିପାଠୀ କବିଙ୍କ କବିତାର ମୂଲ୍ୟ ବୁଝି ଜନ ସମାଜରେ ତାକୁ ଆହୁରି ପରିଚିତ କରାଇଛନ୍ତି, ଏହା ତାଙ୍କ ଭଳି ଗୁଣୀଲୋକ ଭିନ୍ନ ଅନ୍ୟତ୍ର କ୍ୱଚିତ୍‍ ଦେଖାଯାଏ ବୋଲି କହିଥିଲେ । ଡକ୍‍ଟର ମାନସିଂହଙ୍କ ଉକ୍ତ ଅଭିନନ୍ଦନ ମୂଳକ ସୁନ୍ଦର, ମୂଲ୍ୟବାନ, ହୃଦୟଗ୍ରାହୀ ଲେଖାଟି କବିଙ୍କର ପରବର୍ତ୍ତୀ କୌଣସି କବିତା ଗ୍ରନ୍ଥର ଆଦ୍ୟରେ ପ୍ରକାଶ କରିବାକୁ ସେମାନେ ମତବ୍ୟକ୍ତ କରିଥିଲେ ।

 

ଆମ୍ଭେମାନେ ଡକ୍‍ଟର ମାନସିଂହଙ୍କ ପ୍ରତି ତାଙ୍କର ଏଇ ଅଯାଚିତ ଦାନ ପାଇଁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଦେଶବାସୀ ବହୁ ସାହିତ୍ୟକ ବନ୍ଧୁଙ୍କର ଅନୁରୋଧକୁ ଗ୍ରହଣ କରି ଡକ୍‍ଟର ମାନସିଂହଙ୍କ ଆଲୋଚନାଟି ଏ ଗ୍ରନ୍ଥର ଆଦ୍ୟରେ ଆନ୍ତରିକ ଆନନ୍ଦ ସହିତ ପ୍ରକାଶ କଲୁ-

 

କବିଙ୍କ ଗାଁର ଉଦୀୟମାନ୍‍ ଚିତ୍ରଶିଳ୍ପୀ ଶ୍ରୀମାନ୍‍ ରଙ୍କନାଥ ସ୍ୱାଇଁ ‘ଉତ୍ସ’ର ପ୍ରଚ୍ଛଦ ପଟଟି ଅଙ୍କନ କରି ଦେଇଥିବାରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଦେଉଅଛୁ । ଜୟହିନ୍ଦ୍‍

 

ବାଣପୁର

ପ୍ରକାଶକ

୨୦-୧୧-୬୦

କବି–କୁଟୀର

•••

 

କବି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ତ୍ରିପାଠୀ

ଡକ୍‍ଟର ମାୟାଧର ମାନସିଂହ

ବାଣପୁରର ତରୁଣ କବି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର କବିତା ଓଡ଼ିଶାର ପତ୍ର ପତ୍ରିକାରେ ବହୁ ବର୍ଷ ଧରି ପଢ଼ି ଆସୁଛି । କିନ୍ତୁ ଗତ ଦୁଇ ବର୍ଷ ଭିତରେ ତାଙ୍କର କେତୋଟି କବିତା ସଂକଳନ, ମାଟିଦୀପ, ଅଗ୍ନିଶଙ୍ଖ, ଆହୁତି,ରୂପାୟନ ଇତ୍ୟାଦି ପଢ଼ିବାକୁ ପାଇ ଏଇ କବିଙ୍କର ଅନ୍ତର୍ନିହିତ ହୋମ ଶିଖା ସହିତ ପ୍ରତ୍ୟକ୍ଷ ଓ ନିବିଡ଼ି ପରିଚୟର ଯେଉଁ ଆନନ୍ଦ ମୁଁ ପାଇଛି, ତାହା ପ୍ରକାଶ୍ୟରେ ନ ଜଣାଇ ରହିପାରୁନି । ଏଇ ତରୁଣ କବି ବର୍ତ୍ତମାନ ଜଣେ ସାମାନ୍ତୟ ଶିକ୍ଷକ ମାତ୍ର । ଏଇ ହତଭାଗ୍ୟ ଦେଶରେ ଲୋକର ସମ୍ମାନ ସହଜାତ ଗୁଣରୁ ଆସେନା ଆସେ ଧନ ଓ ଆସନରୁ । ଦୂରଦୂରାନ୍ତ କୌଣସି ଏକ ଅଜ୍ଞାତ ସ୍କୁଲର ଅବଧାନ ମାତ୍ର ଏଇ କୃଷ୍ଣଚନ୍ଦ୍ର ତ୍ରିପାଠୀ କବି ଭାବରେ, ତେଣୁ କି ସମ୍ମାନ ଆଶାକରି ପାରନ୍ତି ? ସେଥିପାଇଁ ହୁଏତ ଏଇ କବିଙ୍କର, କୌଣସି ଆଲୋଚନା ଓଡ଼ିଶାର କୌଣସି ପତ୍ର ପତ୍ରିକାରେ ଏ ପର୍ଯ୍ୟନ୍ତ ଦେଖା ଯାଇ ନାହିଁ । କିନ୍ତୁ ସୁନ୍ଦୂର ପଲ୍ଲୀ ଅଭ୍ୟନ୍ତରରେ, ଆପଣାଣ ଦରିଦ୍ର କୁଟୀରରେ ନିଃସଙ୍ଗ ନିଶୀଥର ମ୍ଳାନ ଦୀପଶିଖା ତଳେ ଏଇ କବି, ଦେଶର ମାନଗାନକୁ ଅପେକ୍ଷା ନ କରି, ଯେପରି ନିରବଚ୍ଛିନ୍ନ ଭାବରେ ଅଗଣିତ କବିତାରେ ଦେଶ ଓ ଜାତିର ଦୁଃଖରେ ଅଭିଭୂତ ନିଜର କୋମଳ ଆତ୍ମାକୁ ଢାଳି ଚାଲିଛନ୍ତି, ତାହା ବିଚାର କରି ମୁଁ ମୁଗ୍‍ଧ ଭାବରେ ଠିଆ ହୋଇଛି ।

‘ମାଟିଦୀପ’ରେ କବି ଗାଇଛନ୍ତି–

‘‘ନୟନୁ ମୋ ଝରି ପଡ଼େ

ଲୋତକର ଝରଣା,

ଆକାଶେ ବତାଶେ ଚାହିଁ

ଫେରୁଚି ମୁଁ କୁଟୀରେ

ପଥ ବଡ଼ ଦୁର୍ଗମ

କ୍ଳାନ୍ତ ମୁଁ ଶ୍ରାନ୍ତ

ଏକା ମୁଁ ଯେ କେହି ନାଇଁ

ବନ୍ଧୁ ମୋ ସାଥିରେ !

ମୋ ମରମ ବୁଝି ମୋରେ

କରିବ ଯେ ଶାନ୍ତ ।’’

 

ଜଗତର ଓ ନିଜର ଦୁଃଖରେ ଅଭିଭୂତ କବି, ଚତୁର୍ଦ୍ଦିଗରେ ଅନ୍ୟାୟ ଅତ୍ୟାଚାରର ତାଣ୍ଡବଲୀଳା ଦେଖି ଦେଖି, ବରାବର ଦୀର୍ଘଶ୍ୱାସ ପରିତ୍ୟାଗ କରିଛନ୍ତି ସତ, କିନ୍ତୁ ବାରମ୍ୱାର ମଧ୍ୟ ସେ ଉଠିଛନ୍ତି ଜୀବନର ଝଡ଼ଝଞ୍ଜାକୁ ଛାତି ଦେଖାଇ ଅକୁତୋଭୟ ଭାବରେ ଆଗେଇ ଚାଲିବା ପାଇଁ । ଦୁର୍ଭାଗ୍ୟ ନିଷ୍ଫେତିତ, ଭୂପତିତ କବି ଗାଇ ଉଠିଚନ୍ତି–

 

‘‘ଧରଣୀ ମୋ ବେଦନା, ନବୁଝୁ ଲବେ ହେଲେ

ଦେଉ ସେ ଯେତେ ବାଧା ଦବ

ଉଠି ମୁଁ ନାଇଁ ପାରେ, ଉଠିବା ପାଇଁ ପ୍ରାଣେ

ଜଳୁ ସେ ଆଶା ଅଭିନବ ।’’

 

ଧନ ବା ମାନ ଦିଗରୁ ପତିତ ହେଲେହେଁ, ସାମାଜିକ ଭାବରେ ନଗଣ୍ୟ ହେଲେହଁ, କବିଙ୍କର ଅନ୍ତର୍ନିହିତ ପ୍ରତିଭାର ଉତ୍ତାପ-କଣା ତାଙ୍କୁ ଗରୁଡ଼ ପରି ବରାବର ଉଡ଼େଇ ନେଇ ଚାଲିଛି ସୀମାହୀନ ଅନ୍ତରୀକ୍ଷକୁ ଅମୃତର ସନ୍ଧାନରେ । କବି ନିଜ ଦୁଃଖରେ ଅଭିଭୂତ ହୋଇ ଦୀର୍ଘଶ୍ୱାସ ପରିତ୍ୟାଗ କରିବା ସଙ୍ଗେ ସଙ୍ଗେ, ନିଜଗାଁ, ନିଜ ପ୍ରତିବେଶୀ, ନିଜ ଦେଶ ଓ ଶେଷରେ ସମଗ୍ର ମାନବ ଜାତିର ଦୁଃଖ ଦୂର କରିବା ପାଇଁ ଚିତ୍କାର କରି ଉଠିଛନ୍ତି ‘ମୂଷାହାଡ଼ି’’ ଓ ‘ପ୍ରଧାନ ସାଇର ଦାମିଆ ଝିଅ ନେତ’ ଏଇ ସର୍ବବ୍ୟାପୀ ମାନବିକ ଦୁଃଖରେ ମର୍ମମନ୍ଥନୀ ପ୍ରତୀକ ହୋଇ ଠିଆ ହୋଇଛନ୍ତି, କବିଙ୍କ କବିତାରେ ! ଯେଉଁ ସରସପ୍ରାଣ, ସାଥୀ, ପ୍ରତିବେଶୀ ଓ ମାନବର ଦୁଃଖରେ ଅଶ୍ରୁ ଜର୍ଜ୍ଜର ହୋଇ ପଡ଼ିଛି, ସେଇ ପୁଣି ‘ଆହୁତି’ରେ ଖୋର୍ଦ୍ଧା ପାଇକର ଉଷ୍ଣକ୍ଷିପ୍ର ଧମନୀ ଦେଇ ଉଗ୍ର ସମରାହ୍ୱାନ ଉଦ୍‍ଗାର କରିଛି, ‘ଅଗ୍ନିଶଙ୍ଖ’ରେ ବିଞ୍ଚିଦେବାକୁ ଯାଇଛି, ବିପ୍ଳବ ।

 

ତ୍ରିପାଠୀଙ୍କର ଏଇ ସବୁ କବିତା ଏତେ ଖାଦ୍ୟ ଓ ଉପଭୋଗ୍ୟ ହୋଇଛି, କାରଣ ଏ ଗୁଡ଼ିକ ତାଙ୍କର ସମ୍ପୂର୍ଣ୍ଣ ନିଜର । ଏ ସବୁ ତାଙ୍କ ଦରିଦ୍ର କୁଟୀରର ଲକ୍ଷ୍ମୀଙ୍କ ନିଜ ହାତ ରନ୍ଧା ପଖାଳ ଭାତ ଶାଗ ଖରଡ଼ା । ଏଥିରେ ଉଧାର ଆଣି ପଟାଟମ ଦେଖାଇବାର ବା ଚୋରାଇ ଲୁଚେଇ ଆଣି ନିଜକୁ ସମ୍ପତ୍ତିବାନ ବୋଲି ପରିଚୟ ଦେବାର ଇତରତା ଆଦୌ ନାହିଁ । ସେ କୌଣସି ଯୁଗ ସୃଷ୍ଟି କରିବାକୁ ଯାଇ ନାହାନ୍ତି ବା କୌଣସି ଯୁଗାବତାରର ଅନୁଗାମୀ ହୋଇ ସେହି ଅନୁଗମନକୁ ହିଁ ନିଜର ପରମ ମୌଳିକତା ବୋଲି ପ୍ରଚାର କରିବାକୁ ଚେଷ୍ଟା କରିନାହାନ୍ତି । ଏପରି ପ୍ରଗ୍ରେସିଭ୍‍’ ପ୍ରଚେଷ୍ଟା କୃଷ୍ଣଚନ୍ଦ୍ରଙ୍କର ଦରକାର ନାହିଁ । ସେ ଖାଣ୍ଟି କବି ଏବଂ ଖାଣ୍ଟି ମନୁଷ୍ୟ । ସେ ଯାହା ଦେଖୁଛନ୍ତି ଓ ଯାହା ଅନୁଭବ କରୁଛନ୍ତି, ତାହାହିଁ ପ୍ରକାଶ କରି ଚାଲିଛନ୍ତି ଆପାଣାର ନିଜସ୍ୱ ରୀତିରେ-। ସେ ସେଥିରେ ସିଦ୍ଧି ମଧ୍ୟ ଲାଭ କରିଛନ୍ତି । କାରଣ ତାଙ୍କର ମର୍ମଦହନ ହୋଇ ଉଠୁଛି, ଆଜି ସକାଳର ମର୍ମଦହନ । ନାନା ଛୋଟ ୨ ଆପାଂକ୍ତେୟ ଅନୁଭବ, ଆଜି ତାଙ୍କ ରଚନାର ଯାଦୁସ୍ପର୍ଶରେ ଓଡ଼ିଆ ସାହିତ୍ୟରେ ଆମର ସ୍ଥାୟିତ୍ୱ ଲାଭ କରିଗଲେଣି ।

 

ଏଇ ତରୁଣ କବିଙ୍କ ଅଭିବାଦନ କରି ମୁଁ ଆଜି ଆନନ୍ଦ ଅନୁଭବ କରୁଛି । ଲେଖିଯାଅ କବି, ଲେଖିଚାଲ । ଏ ଦେଶରେ ତମେ ଆଦର ସମ୍ମାନ ପାଇବାର ଆଦୌ ଆଶା ରଖନି । କୌଣସି ଦେଶରେ କବି ଓ ଲେଖକ ଏପରି ଲାଞ୍ଛିତ ନିର୍ଯ୍ୟାତିତ ଜୀବନ ଯାପନ କରିନାହାନ୍ତି, ଯେପରି ଘଟିଆସିଛି ଓଡ଼ିଶାରେ । କିନ୍ତୁ ଏ ଜାତିକି ଗଢ଼ି ଯାଇଛନ୍ତି ସେଇମାନେ । ହେ ଭାଗ୍ୟ ନିଷ୍ଫେଷିତ, ଦରିଦ୍ର ଅଜ୍ଞାତ କବି, ତମେ ସେଇ ଆନନ୍ଦକୁ ଲକ୍ଷ୍ୟ ରଖି ଦେଇ ଯାଅ ଯାହା ଜାତିକି ଦେବାର ।

 

(୯/୪/୫୯) ତାରିଖ ଦୈନିକ ‘ସମାଜ’ରୁ ଗୃହୀତ ।

•••

 

ସମ୍ରାଟ ଓ ଫକୀର

 

ଖିଳବିଶ୍ୱର ସ୍ରଷ୍ଟା ସେ ଦିନ ଦେଲେ ଯେ ଘୋଷଣାଟିଏ

‘‘ସାରା ଧରଣୀର ସମ୍ରାଟ ପଦ ପାଇବାକୁ ଲୋଡ଼ କିଏ ?

ଆଣିଥିବି କରେ ମୁକୁଟ ଗୋଟିଏ ଅତି ସୁନ୍ଦରତର,

ଶତ ମଣି ଶତ ମୁକ୍ତାର ତେଜେ ଦିଶୁଥିବ ଝଲମଲ !

‘ସମ୍ରାଟ ହେବି ସମ୍ରାଟ ହେବି ମୁହିଁ ହେବି ସମ୍ରାଟ’–

ବୋଲି, ସମ୍ମୁଖେ ମୋର ଯେ, ଟେକିବ ଉଚ୍ଚେ ଯୁଗଳ ହାତ,

ମୁକୁଟ ମୁଁ ତାର ଶିରେ ଖଚି ଦେବି, ସେହି ହେବ ସମ୍ରାଟ,

ଧରଣୀର ପ୍ରତି ଅନ୍ତରୁ ସେହୁ ପାଉଥିବ ପ୍ରଣିପାତ ।

ଯାହା ସେ କହିବ, ତାହା ସେ ଚାହିଁବ ସକଳ ପାରିବା ପାଇଁ

ଧନ ଜନ ମାନ କେଉଁ ସମ୍ପଦୁ ଉଣା ସେ ହୋଇବ ନାଇଁ ।’’

କେତେ ଦିନ ପରେ ନିଖିଳ ସ୍ରଷ୍ଟା ଦେଖିଲେ ଯେ ସମ୍ମୁଖେ

ମଣିଷର ମହାପାରାବାର କିବା ଚାହିଁଅଛି ଉତ୍ସୁକେ !

ପ୍ରତି ଅନ୍ତରେ ପୁଲକ-ଊର୍ମି-କଳ-ବେଣୁ ତୋଳି ଖେଳେ,

ପ୍ରତି ଅନ୍ତରେ ସମ୍ରାଟ ଆଶା କି ବିରାଟ ହୋଇ ଜଳେ !

ସ୍ରଷ୍ଟା ଯେବେ ସେ ଠିଆ ହେଲେ ଆସି ଏ ମହାଜନତା ଆଗେ

‘ସମ୍ରାଟ ହେବି’ ‘ସମ୍ରାଟ ହେବି’ ଖାଲି ଚିତ୍କାର ଜାଗେ !!

କାହା ଶିର ନାହିଁ ଅବନତ ହେଲା ସ୍ରଷ୍ଟା ଚରଣ ତଳେ,

ସମ୍ରାଟ ପଦ-ନିଶା-ଉନ୍ମତ୍ତ ଜନତା ଉଚ୍ଚସ୍ୱରେ–

ଚିତ୍କାର କରେ ଚିତ୍କାର କରେ ‘ମୁହିଁ ହେବି ସମ୍ରାଟ’!

ସ୍ରଷ୍ଟା କହିଲେ ଜନତାର ଆଗେ ଉତ୍ତୋଳି ବେନି ହାତ–

‘‘ଦୁଃଖର କଥା ଜାଣି ନଥିଲି ମୁଁ ସବୁ ହେବେ ସମ୍ରାଟ,

ଆଣିଚି ଜମା ମୁଁ ଗୋଟିଏ ମୁକୁଟ କାହିଁ ନିଷ୍ପତ୍ତି ବାଟ ?

ଆଉଦିନେ ୟାର ନିଷ୍ପତ୍ତି ହେବ, ଆଜି ମୁଁ ଯାଉଛି ଚାଲି,

ଫକୀର ହେବାକୁ କିଏ ସେ ଲୋଡ଼ୁଚ ଆସିବ ଏଥାନେ କାଲି ।

ଆଣିଥିବ ମୁହିଁ ଗୈରିକ ବାସ ପିନ୍ଧାଇ ଦେବି ତାରେ

ବୀର ପରି ସେହୁ ଥିବ ଅବିଚଳ ଦୁଃଖ ଓ ହାହାକାରେ ।

ମୋର ଧରଣୀର ପ୍ରତି ଅନ୍ତରେ ଦେବ ଆନନ୍ଦ ବାଣୀ,

ଆପଣାରୁ ବଳି ଅତି ଆପଣାର ଦେଖିବ ସକଳ ପ୍ରାଣୀ,

ନଥିବ ତାହାର ପର ଓ ଆପଣା ନାଇଁଥିବ ଘରଦ୍ୱାର,

ଆକାଶ ଅବନୀ ସ୍ୱର୍ଗରୁ ବଳି ହେବ ତାର ପରିବାର ।’’

ସେଦିନ ଆସିଲେ ସ୍ରଷ୍ଟା ହାତରେ ଗୈରିକ ବାସ ଧରି

ଦେଖିଲେ କେ ନାଇଁ, ଦୂରେ ଦିଶୁଛି କେ ଗୋଟିଏ ଚିହ୍ନପରି,

ଚାଲିଲେ ସ୍ରଷ୍ଟା ଯେତେ ଆଗେ ଆଗେ ଉଜ୍ୱଳ ଚାରିଆଡ଼,

ମଣିଷ ଗୋଟିଏ ନାଚି ନାଚି ଆସେ ଆନନ୍ଦ-ମତୁଆଳ,

ସ୍ରଷ୍ଟା ଚରଣେ ନତ କରି ଶିର କହେ ବାର ବାର କରି,

‘‘ଚିରକାଳ ମତେ ଏ ଫକୀର ବେଶେ ରଖିଥାଅ ନରହରି !

ତୁମରି ରାଇଜେ ଫକୀର ହୋଇ ମୁଁ କାଟି ନିଏ ମୋର କାଳ,

ମୋର ଯାହାଅଛି ମହାବିଶ୍ୱର ପାଉ ତାହା ଚାରିଆଡ଼ ।’’

ସମ୍ରାଟ ଶିର ମୁକୁଟ ଗୋଟିକ ବାନ୍ଧି ତାହାରି ଶିରେ,

ହସି ହସି ତାରେ ସ୍ରଷ୍ଟା କହିଲେ ମଞ୍ଜୁମଧୁର ଗୀରେ

‘‘ତୁମେ ଧରଣୀର ସମ୍ରାଟ ଲାଗି ଏକଇ ମାତ୍ର ପୁଅ

ତୁମରି ଭିତରେ ବିକଶି ଉଠଇ ବିଶ୍ୱ ପ୍ରାଣର ସୁଅ ।’’

•••

 

ଛିନ୍ନ

 

ଜୀବନର କେଉଁ ସୁଦୂର ଅତୀତେ,

ତୁମର ମୋହର ଦେଖା–ତାହା ପରେ ପରେ

ତୁମେ ମୁହଁ କେ କାହାରେ ଦେଖିନାହେଁ ବାରେ,

ମୁଁ ଚାଲିଲି ମୋର ବାଟେ

ତୁମେ ଗଲ ସେ ଯେ କେଉଁ ଦୂରଦୂରାନ୍ତରେ !

ଏକାକୀ ବିଗହଟିଏ ଉଡ଼ି ଉଡ଼ି ଆସିବାର ପରି

ଦୂର ଦିଗ୍‌ବଳୟ ତଟୁ, ବହୁ ଯୁଗ ବହୁ ବର୍ଷ ପରେ

ତୁମେ ତ ଆସିଲ ଫେରି,

ପକ୍ଷ ଛିନ୍ନ ଦେହ କ୍ଷତ ଓ ବିକ୍ଷତ,

ପଚାରିଲେ ସକରୁଣ କଣ୍ଠେ ଟିକିଏ ଖେଳାଇ ସ୍ମିତ

‘‘ଚିହ୍ନି ପାରୁଛ ତ ?’’

ତାଳରୁ ତଳିପା ଯାଏଁ ଚାହିଁଗଲି ଥର ଥର କରି

ସେହି ସେ ଓଠର ହସ, କଣ୍ଠର ସେ କଥା ପଦେ

ମୋର ଚିହ୍ନି ରଖିବାକୁ ରହିଲାନି ବାକି କିଛି ତିଳେ,

ଦେଖିଗଲି ତୁମେ ମୋର ଅତ୍ୟନ୍ତ ନିଜର

ଏତେ ଦିନ ଧରି ରହିଥିଲ କେଉଁ ଅନ୍ଧକାର-ବିଳେ !

ସେହି ଦେହ, ସେହି ଦୀପ୍ତି, ମନର ସେ ସାହସ ଓ ବଳ

ସେହି ଧୈର୍ଯ୍ୟ, ସେହି ଦମ୍ଭ, ସେହି ପୁଣ୍ୟ ଗର୍ବ ଗଉରବ,

ସେହି ଆଶା, ସେ ଆକାଙ୍‌କ୍ଷା, ସେହି ଅଭିଳାଷ,

କେଉଁଆଡ଼େ ହୋଇଛି ଉଭାନ,

ରହିଛି କେବଳ ଯାହା ଗୋଟିଏ ମୁମୂର୍ଷୁ ପିଣ୍ଡ

ଦୁଃଖ ଦୈନ ଅଭାବରେ ହୋଇ ଖଣ୍ଡ ଖଣ୍ଡ

ଶତ୍ରୁ ଯେବେ ଚାହିଁଦିଏ ବାରେ

ଉଠିବ ତରଳି ଯେହ୍ନେ ଅସୀମ ଦୟାରେ;

ପଚାରିଲି ବିସ୍ମୟ ଓ ପୁଲକରେ ହୋଇ ଆନ୍ଦୋଳିତ

‘‘କେଉଁଠୁ ଆସିଲ ତୁମେ ? କିପରି ଆସିଲ ?

ଏଇ ଦରିଦ୍ର କୁଟୀରେ,

କିପରି ଚିହ୍ନିଲ ବାଟ ? କିପରି ଜାଣିଲ

ମୁହିଁ ଅଛି ଅବା ନାଇଁ ?

ମୋର ତୁମେ ମନେ ରଖିବାର

ନଥିଲା ତ କିଛିହିଁ କାରଣ;

ମୁଁ ତୁମର ରଖିଥିଲି ମନେ ଚିରଦିନ ପାଇଁ

ମୁହିଁ ଜାଣେ କାହିଁକି ମୁଁ

ରଖିଥିଲି ମନେ, ଜୀବନର ସୁଦୂର ଅତୀତୁ

ସୁଦୀର୍ଘ ସମୟ ପରେ ଆଜି ଏତେ ଦିନେ !

ତୁମରି ଐଶ୍ୱର୍ଯ୍ୟ ଥିଲା

ତାହା ସାଥେ ଥିଲା ବିଜଡ଼ିତ ହୋଇ

ତୁମରି ଯେ ଗୋଟିଏ ମୋହନଅନ୍ତର,

ଦୟା, ଦାନ, ତିତିକ୍ଷାରେ ହୋଇ ଢଳ ଢଳ

ଆକାଶର ବାରିବିନ୍ଦୁ ପରି ପଡ଼ୁଥିଲା ଲଇଁ,

ଯେଉଁଠି ଗରଜୁଥିଲା ଶୁଷ୍କ ପ୍ରାଣ-ହୀନ ମରୁ

ଆଁ କରି ରହିଥିଲା ତାପ ଦଗ୍‌ଧ ମହୀ ।’’

ମନେ ପଡ଼େ ଯେଉଁ ଦିନ ପାହାନ୍ତି–ସ୍ନାହାନ ସାରି

ଫେରୁଥିଲି କୁଟୀରେ ମୋହରି,

ତରୁଣ ବୟସେ ମୋର ଶତ ଶତ ସାଙ୍ଗ ସାଥୀ ମେଳେ

ପାଲଟି ନଥିଲି ପାରି,

ଓଦା ବସନଟି ମୋର–

ପିନ୍ଧି ଠିଆ ହୋଇଥିଲି

ନାଇଁଥିଲା ଲୁଗା ଖଣ୍ଡେ ହେଲେ;

ମୋତେ ବଡ଼ ଲାଗୁଥିଲା ମାନହୀନ,

କାନ୍ଦ କାନ୍ଦ ହୋଇ,

ସେହି ଓଦା ଲୁଗା ଖଣ୍ଡି ପିନ୍ଧି

ବସୁଥିଲି ପଢ଼ି,

ତୁମେ ଚାହିଁ, ପାରିଲନି ଚାହିଁ;

ହସି ହସି ଧଡ଼ପଡ଼ କରି,

ଲୁଗା ଖଣ୍ଡେ ମୋ ହାତେ ବଢ଼ାଇ ଦେଇ

କହିଲି ସରାଗେ ‘‘ସାଥୀ ମୋର ! ବଂଧୁମୋର !

କେତେ ବେଳ ଯାଏଁ ବସିଥିବ ଓଦା ପିନ୍ଧି ?

ନିଅ ୟାକୁ ବ୍ୟବହାର କର;

କରନାଇଁ ମନା

ମୁଁ କ’ଣ ! ତୁମର ନୁହେଁ ?

ଦିଅ ମୋରେ କ୍ଷମା ।’’

ସେତେବେଳେ ରୋମାଞ୍ଚି ଉଠିଲା ମୋର ଏ ଦେହର ପ୍ରତି ଅବୟବ,

ବିଚାରିଲି ‘‘କିଏ ତୁମେ ? ଜୀବନର ଏ ସ୍ୱର୍ଣ୍ଣବୟସେ

କେମନ୍ତେ ଦେଉଛ ଅଜାଡ଼ି

ହୃଦୟର ସବୁଟିକ ମଧୁ ଏଇ ଦରିଦ୍ର ପାତ୍ରରେ !

ମୁଁ ତୁମର କେଉଁ ଦିନ କେଉଁ ଶୁଭମୁହୂର୍ତ୍ତରେ

ହୋଇଥିଲି ଏତେ ଆପଣାର ?

ମୋତେ ତୁମେ ପାରିଅଛ ବାନ୍ଧି

ଅନ୍ତରେ ଅନ୍ତର ଛନ୍ଦି ମୋହନସୂତ୍ରରେ ।’’

ମୋ ଅନ୍ତରେ କେତେ କୋହ !

ମୋ ଆଖିରେ କେତେ ଅଶ୍ରୁ !

ଚତୁର୍ଦ୍ଦିଗେ ମୋର କେତେ ବାଧା ଓ ବନ୍ଧନ !

ମୋତେ ଯେବେ ଲାଗେ ନିଃସହାୟ

ମୋତେ ବୁଝିବାକୁ କିଏ ଅଛି ଧରଣୀରେ ଆପଣାର ଜନ ?

ତୁମ ଅନ୍ତରର ଅମୃତ - କକ୍ଷରେ ମୋରେ ବନ୍ଦୀ କରି,

ବୋଳିଦେଲେ ଦେହେ ମନେ ମୋର ଯେ ଆନନ୍ଦ ଆଭା

ଜୀବନରେ ଏ ଟିକକ ଦବାନବା କିଏ କରିପାରେ ?

ପ୍ରତିଦାନ ପାଇଁ ନୁହେଁ,

ଅଭିସନ୍ଧି ପାଇଁ ନୁହେଁ,

ନୁହେଁ, ମାନପତ୍ର ପାଇଁ;

ହୃଦୟ ବିରାଟ ହେଲେ

ଆପେ ଆପେ ଚତୁର୍ଦ୍ଦିଗେ ଯାଏ ବୋହି ବୋହି

ରଚି କିବା କଳ-ବେଣୁ ଅମୃତର ଧ୍ୟାନ ।’’

ତୁମେ ସେଇ ଅମୃତର ଗୋଟିଏ ମୋହନଧାରା

ଉଛୁଳି ଉଠୁଛ ପ୍ରତି ମୁହୂର୍ତ୍ତରେ ନିଖିଳ ବିଶ୍ୱରେ;

ପ୍ରାଣର ଏ ମୋହନ ଉଚ୍ଛ୍ୱାସ

କେଉଁଠୁ ଆଣିଲ ତମେ ?

ଏ ବିଶ୍ୱର କେଉଁ ଗନ୍ତାଘରୁ କଲ ଆହରଣ !

ତୁମରି ଚକ୍ଷୁରେ ଦେଇଛି କେ ବୋଳି

କିବା ଅପରୂପ ମୋହନ ଅଞ୍ଜନ !

ଜୀବନର ସକଳ ମୁହୂର୍ତ୍ତ ଧରି,

ମୋ ଆଖିରେ କିଏ ହେବ ନିତି ଢଳ ଢଳ,

ମରଣ-ଶୟନେ ଢ଼ଳି ପଡ଼ିଥିଲେ ଶୋଇ,

କାହାର ଆନନ୍ଦଭରା-ମୋହନ-ଶ୍ରୀକର

ମୋରେ ପାରିବ ଉଠାଇ

ଅମୃତପରଶ ବୋଳି ଦେହେ ମନେ ମୋର;

ଦୁଃଖ କଷ୍ଟ ବାଧା ଗ୍ଳାନି ଅପମାନ ପରାଜୟ ପରାଭବ ସମସ୍ତ ଭିତରେ

କିଏ ଆସି ଠିଆ ହେବ ?

ରସାଣିତ କରି ମୋରେ ପ୍ରାଣର ଆଭାରେ

ହସି ହସି କିଏ ଫେରିଯିବ ?

କାହାର ଅମୃତ ପରଶ ଟିକକ ଲାଗି

ଏ ଜୀବନ ଅନନ୍ତସମୟ ଧରି

ଚତୁର୍ଦ୍ଦିଗେ ରହିଅଛି ଚାହିଁ !

ଜୀବନର ଦୁଃଖ ? ସେ କି ଦୁଃଖ ?

କିଏ ଯେବେ ନିଖିଳ ଏ ଧରିତ୍ରୀ ଉପରେ

ମମତା-କମ୍ପିତ-ପ୍ରାଣେ

କାହା ପାଇଁ ରହିଅଛି କାହିଁ ?

ତୁମେ ସେ’ଦିନର ସେଇ ବନ୍ଧୁ ମୋର !

ତୁମକୁ ମୁଁ ଚିହ୍ନିବିନି ? ତୁମକୁ ମୁଁ ଜାଣିବିନି ?

ଚିହ୍ନିବି କାହାକୁ ଏଇ ଧରୀତ୍ରୀ ଉପରେ ?

ତୁମର ସମସ୍ତ ଯାଇଛି କେଉଁ ମହାପାରେ ଚାଲି

ତୁମରି ସେ ଅନ୍ତରର ସ୍ୱର୍ଣ୍ଣ ଆଭା

ଉଙ୍କିମାରେ ବେଳେବେଳେ ତୁମରି ଭିତରେ !

ତୁମେ ଆଜି ପ୍ରାଣହୀନ ପରି ବୁଲୁଅଛ

ପୃଥିବୀ ବୁକୁରେ,

ମୁଠିଏ ଅନ୍ନର ସଂସ୍ଥାନ ପାଇଁ,

ଘର ଗଲା, ବନ୍ଧୁବାନ୍ଧବ ଗଲେ,

ମନର ସମସ୍ତ ସାଧନା ଓ ଆଶା ଆକାଙ୍‌କ୍ଷା ଗଲା,

ଚୀର ପରିହିତ ହୋଇ

ବୁଲୁଅଛି ନିରାଶ୍ରୟ ପଥିକଟି ପରି !

ଜୀବନର ଫୁଲ ଫୁଟିଉଠିବା କେଡ଼େ କଷ୍ଟକର !

ସମୁଦ୍ର ଲହରୀ ପରି ଯେବେ

ସହସ୍ର ସହସ୍ର ଘାତ ପ୍ରତିଘାତ ଆସି

ଜୀବନକୁ କରିଯାଏ ଅଥୟ ବିକଳ !!

ତୁମେ ପାରିଲନି ଯାଇ

ଯେତେ ଦୂର ଯାଇଥାନ୍ତ ଧରଣୀ ଉପରେ,

ତୁମେ ରହିଗଲ ପଡ଼ି,

ପକ୍ଷଛିନ୍ନ ବିହଗଟି ପରି;

ଅତୀତ ଯାଇଛି,

ଭବିଷ୍ୟତ ନାଇଁ କିଛି

ଜୀବନର ଚାରିଆଡ଼ ହା - ହୁତାଶମୟ

ବେଦନାର ଏ ଅନନ୍ତସିନ୍ଧୁ ପାରିହୋଇ

ଦୂରେ ବହୁ ଦୂରେ ଯିବା

କେଡ଼େ ଦୁଃସାଧ୍ୟ

କେଡ଼େ ଦୁର୍ବିସହ !!

•••

 

ଗୋଲିଦାସ

 

–୧–

ଗୋଲିଦାସ ! ଗୋଲିଦାସ !

ଦେଖିନି ତୁମରେ, ଜାଣିନି ତୁମରେ

ଶୁଣିଛି ତୁମରି ବୀର୍ଯ୍ୟ ବିଭବଭରା ଜୀବନର ଇତିହାସ !

କେଉଁ ପଲ୍ଲୀର ଶ୍ମଶାନ ବୁକେ ବିଳାଇ ଯାଇଛ ତମେ !

କେଉଁଠି ଜନମି କେଉଁଠି ଯାଇଛ ହଜି

ତୁମକୁ କିଏସେ ମନେ ପକାଉନି ଜଣେ !

କୁଟୀର ତୁମର ଭାଙ୍ଗି ପଡ଼ିଛି–ରହିଅଛି ମାଟିଗଦା

ବିଲୁଆ ଭୁକୁଛି ସଞ୍ଜ ଆସିଲେ ଚାରିଆଡ଼ ଖାଲି ପଦା

ଏ ମାଟି ଉପରେ ତୁମେ ଫୁଟିଥିଲ ସେ କେଉଁ ଅତୀତ ଭାଲେ

ଏଇଠି ବି ଦିନେ ଝଡ଼ି ପଡ଼ିଥିଲ ପୃଥିବୀ ଜାଣେନା ବାରେ;

ରହିଛି ତୁମରି ଭଙ୍ଗା କାନ୍ଥ, ରହିଛି ପାହାଚ ଶିଳା

ଦେଖିଥିବେ କିଏ ତୁମ ଗଉରବ ତୁମ ତେଜସ୍ୱୀ ଲୀଳା !

ରହିଚି ଏ ନଈ ପୋଖରୀ ଗାଡ଼ିଆ ରହିଛି ଏ ବାଟ ଘାଟ

ଦେଖିଥିବେ କିଏ ନିଃସ୍ୱ କୁଟୀରେ ଜନମି କି ଭଳି ହୋଇଥିଲ ସୁବିରାଟ !

ଗୋଲିଦାସ ! ଗୋଲିଦାସ !

ଦେଖିନି ତୁମରେ, ଜାଣିନି ତୁମରେ,

ଶୁଣିଛି ତୁମରି ବୀର୍ଯ୍ୟ ବିଭବଭରା ଜୀବନର ଇତିହାସ !

 

–୨–

 

ଗୋଲିଦାସ ! ଗୋଲିଦାସ !

ଦେଖିନି ତୁମରେ, ଜାଣିନି ତୁମରେ,

ଶୁଣିଚି ତୁମରି ବୀର୍ଯ୍ୟ ବିଭବଭରା ଜୀବନର ଇତିହାସ !

କେଉଁ ଉଦ୍ଦାମ ତରୁଣ ଜୀବନେ କିଏ ମହା ସାହସ ଧରି,

କଂସାରୀ ନଈ ଅକାତ ପାଣିରେ ତୁମେ ଥିଲ ଡ଼େଇଁ ପଡ଼ି !

ଶୁଣିଲ ଯେବେ ହେ ସକରୁଣ ଡାକ ‘କିଏ ଅଛ ହୁଅ ସାହା !

‘‘ଭୟ ନାଇଁ ! ଭୟ ନାଇଁ ! ମୁହଁ ଅଛି କହିଥିଲ ତୁମେ ସ୍ପର୍ଦ୍ଧାରେ ପିଟି ବାହା !’’

ଭାସି ଯାଉଥିଲେ ସେ କେଉଁ ଗାଆଁର ଚାରୋଟି ମୂଲିଆ ଲୋକ

କିଏ ହେଉଥିଲା ଉବେଇ ଟୁବେଇ, କିଏ ପିଇଥିଲା ପାଣି ତିନି ଚାରି ଢୋକ;

ଭଉଁରି ଗାତରେ କିଏ ପଡ଼ିଯାଇ ଜୀବନର ଆଶା ଛାଡ଼ି,

ଉପରକୁ ହାତ ଟେକି ରହିଥିଲା,

ଦୁଇକୂଳେ ଚାହିଁ ରହିଥିଲେ ନରନାରୀ;

ଅସୀମ ଜନତା ଭିତରୁ ତୁମେ ହେ ଏକଇ ମାତ୍ର ଜଣେ,

ଗୋଟି ଗୋଟି କରି ଉଦ୍ଧାର କଲ

ନିଜ ଜୀବନରେ ମମତା ନରଖି କ୍ଷଣେ;

ସଂଗ୍ରାମ ରଚି ବନ୍ୟା ସୁଅର ତୋଡ଼େ ଚାଲିଲ ଚାଲିଲ ଦୂରେ

ଅରକ୍ଷ ସେଇ ତିନି ଚାରି ଜୀବନରେ ଫିଙ୍ଗି ପାରିଲ କୂଳେ !

ତୁମ ଦୁର୍ଧଷ ଜୀବନରେ ମୁହିଁ କରି ଉଠେ ପ୍ରଣିପାତ !

ଶକ୍ତି ତୁମର, ସାହସ ତୁମର, ଧୈର୍ଯ୍ୟ ତୁମର,

ଜୀବନ ତୁମର କି ମହାନ କି ବିରାଟ !

ଗୋଲିଦାସ ! ଗୋଲିଦାସ !

ଦେଖିନି ତୁମରେ ଜାଣିନି ତୁମରେ

ଶୁଣିଛି ତୁମରି ବୀର୍ଯ୍ୟ ବିଭବଭରା ଜୀବନର ଇତିହାସ !

 

–୩–

 

ଗୋଲିଦାସ ! ଗୋଲିଦାସ !

ଦେଖିନି ତୁମରେ ଜାଣିନି ତୁମରେ

ଶୁଣିଛି ତୁମରି ବୀର୍ଯ୍ୟ ବିଭବଭରା ଜୀବନର ଇତିହାସ !

ସୋଲରୀ ପାହାଡ଼ ନିଘଞ୍ଚ ବଣେ କାଠ ହାଣୁଥିଲା ଶ୍ୟାମ

ଅରକ୍ଷ ସିଏ ବଣୁ କାଠ ହାଣି ବଞ୍ଚାଏ ତାର କୁଟୁମ୍ବ ଚାରି ପ୍ରାଣ !

ଠକ୍‌ ଠକ୍‌ ଠକ୍‌ ହାଣୁଅଛି କାଠ ଏକ ଲୟେ ଏକ ମନେ

ଝାଳ ଗମ ଗମ ବୋହି ପଡ଼ୁଅଛି,

ପୋଛି ସେ ଦେଉଛି ହାତ ପଛେ କ୍ଷଣେ କ୍ଷଣେ;

ବେଳ ତ ହେଲାଣି ଦି’ପହର ଦଶଘଡ଼ି,

ଆଉ ଘଡ଼ିକରେ ଫେରିବ କୁଟୀରେ ତା’ର,

ହାଇରେ ! ହାଇରେ ! ମହାବଳ ବାଘ ଆସି

ଶ୍ୟାମ ପରିଡ଼ାର ଜଙ୍ଘକୁ ଧରି, ଝିଙ୍କୁଚି ବାର ବାର;

ଅରକ୍ଷ ଶ୍ୟାମ ତଳେ ଯାଇଅଛି ପଡ଼ି,

‘ମରିଗଲି’ ‘ମରିଗଲି’ ବୋଲି ଯାହା ଛାଡ଼ିଛି ଗୋଟିଏ ରଡ଼ି !

ଆଉ ଶୁଭି ନାଇଁ ସ୍ୱର ଶବ୍ଦ ତା’ ; ସବୁ ଶୂନ ଶାନ୍‌ ତାହାପରେ ;

ତା ଆତୁର ରଡ଼ି ଚମକ ଆଣିଲା ତୁମରି ବକ୍ଷ ତଳେ !

ତୁମେ ତେଜସ୍ୱୀ ତୁମେ ହେ ସାହସୀ ପଲ୍ଲୀର ବୀରଯୁବା

କେଉଁ ବଣ ଉହାଡ଼ରେ ହାଣୁଥିଲା କାଠ ସଗର୍ବେ ହୋଇ ଉଭା !

ସେଇ ସେ ଦାଢ଼ୁଆ କଟୁରୀଟି ହାତେ ଧରି,

ଶିଳାରୁ ଶିଳାକୁ ବଣରୁ ବଣକୁ ଚଞ୍ଚଳ ଡ଼େଇଁପଡ଼ି,

ଚାରିଆଡ଼େ ତୁମେ ବୁଲାଇ ନୟନ ଡ଼ୋଳା,

ଦେଖିଲ ଦେଖିଲ ଶ୍ୟାମ ପରିଡ଼ାକୁ ଟେକି ନେଉଅଛି ବାଘ,

ଧାଇଁ ଯାଇ କିବା ବିଦ୍ୟୁତ ଚଞ୍ଚଳେ, ବାଘର ବେକକୁ ଧରି ପକାଇଲ ଆଗ ;

ସେଇ କଟୁରୀରେ ଚୋଟ ଚୋଟ କରି ହାଣିଲ କୋଡ଼ିଏ ଚୋଟ ;

କ୍ଷତ ବିକ୍ଷତ ବାଘ ଚାଲିଗଲା

ଶ୍ୟାମ ପରିଡ଼ାଟା ଗୋଟାକ ସାତଟା ହୋଇ, ଥରୁଅଛି ଛଟ ଛଟ !!

ସଚେତ କରାଇ ତା’କୁ

କାନ୍ଧରେ ଥୋଇ ଆଣିଲ ଗାଆଁକୁ

ଝର ଝର ଝର ଝର ପଡ଼ୁଥାଏ ବନି

ତୁମରି ସେ ଦେହ ମୁଣ୍ଡର ଚାରିଆଡ଼େ !

ବଣ ତଇଲାରୁ କିଏ ହାଣୁଥିଲା କାଠ

ବଣ ତଡ଼େ ତଡ଼େ କିଏ ଚାଲୁଥିଲେ ପଥିକ ସେ କେତେ

ସେ ଯେ’ କେଉଁ ଦୂରବାଟ,

ବିଲ କାମ କିଏ କରୁଥିଲେ କାହିଁ ସେ ବଣ ପାହାଡ଼ ତଳେ

ସବୁରି କାନରେ ପଶିଥିବ ତାର କଣ୍ଠ ଆତୁର ରଡ଼ି

ସଭିଏଁ ରହିଲେ ମୂକ ଶିଳାସମ ଶୁଣି ନଶୁଣିଲା ପରି,

ପଲ୍ଲୀର ବୀର ଦୁର୍ମଦ ଯୁବା ଗୋଲିଦାସ ! ଗୋଲିଦାସ !

ମୂକ ଓ ମଉନ ତୁମେ ପାରିଲନି ରହି, କାନ୍ଧେ କଟୁରୀ ବହି

କିଭଳି ଧାଇଁଲ ଗୋଟିଏ ଜୀବନ ପାଇଁ, ଜୀବନ ଦେବାକୁ ଝାସ !

ତୁମରି ଗାଆଁର ତୁମରି ମାଟିର ତୁମ ଶୋଣିତର ଜଣେ,

କଲବଲ ହୋଇ ମରି ସେ ଯାଉଛି ପଡ଼ିଅଛ ଅଚେତନେ,

ତାହାରେ ତିଆଗି ଆଖି ବୁଜି ଦଇ ଦୂରେ ଦୂରେ ଚାଲିଯିବା

ଏହା ତହୁଁ ବଳି ନିର୍ଲଭ ପ୍ରାଣ ଅଛି ଧରଣୀରେ କିବା ?

ବିପଦ ଭିତରେ ଆପଣାରେ ଝାସି ମରିଯିବା ପଛେ ଭଳ

ବିପଦ ଭିତରେ ଜଣେ ବୁଡ଼ି ରହି ହେଉଥିବା କଲବଲ -

ଏ ଟିକକ ଦେଖି ବଞ୍ଚି ରହିବା ଆହୁରି କଷ୍ଟକର !

ବିଚାରିଲ ମନେ ମନେ, ‘‘ମରେ ବା ବଞ୍ଚେ କିଛି ଯାଏ ଆସେ ନାଇଁ,

ଜୀବନ ଆସିନି ମରିଯିବା ଅବା ବଞ୍ଚିବା ଲାଗି ଖାଲି,

ଆସଚି ଧରାର କଲ୍ୟାଣ ପାଇଁ ଲାଗିବାକୁ ପ୍ରତିକ୍ଷଣେ,

ସେ ଟିକକ ଯେବେ ନ ହୋଇ ପାରିଲା

ଏ ଜୀବନେ ଅଛି କିବା ପୌରୁଷ କହ ?’’

ଜୀବନ ତୁମର ହେଲା ଅତି ଦୁଃସହ !

ବିଦ୍ୟୁତ ପରି ଚମକି ଉଠିଲ କଟୁରୀ ଊର୍ଦ୍ଧ୍ୱେ ଟେକି

ସଂଗ୍ରାମ କରି ବିଜନ ପାହାଡ଼ ଖୋଲେ

ଏକା ଏକା କେହି ନାହନ୍ତି ତୁମ ତୁଲେ,

ଶ୍ୟାମ ପରିଡ଼ାରେ ଝିଙ୍କି ଆଣିଲ

ମରଣ ମୁହଁରୁ ତୁମେ ବୀର ବଳିଆର !

ତୁମେ ଯା ପାରିଛ କରି,

କା ବୁକୁରେ ଜଳେ ଅଗ୍ନି ଏ ଭଳି

ମରଣର ତୁଲେ ସଂଗ୍ରାମ କରି

ବଜାଇ ପାରିବ ଜୟ ଦୁନ୍ଦୁଭି

ଆକାଣ ପବନ କମ୍ପାଇ ଚାରିଆଡ଼ !!

ଗୋଲିଦାସ ! ଗୋଲିଦାସ !

ଦେଖିନି ତୁମରେ ଜାଣିନି ତୁମରେ

ଶୁଣିଛି ତୁମରି ବୀର୍ଯ୍ୟ ବିଭବଭରା ଜୀବନର ଇତିହାସ !

 

–୪–

 

ଗୋଲିଦାସ ! ଗୋଲିଦାସ !

ଦେଖିନି ତୁମରେ ଜାଣିନି ତୁମରେ

ଶୁଣିଚି ତୁମରି ବୀର୍ଯ୍ୟ ବିଭବଭରା ଜୀବନର ଇତିହାସ !

ଖୋର୍ଦ୍ଧା ତାଲୁକା ମାଜିଷ୍ଟ୍ରେଟର ଦେଖିଲ ଗୋଟିଏ ଅତି ଉଦ୍ଦଣ୍ଡ ଘୋଡ଼ା

ବରୁଣୀ ପାହାଡ଼ ତଳେ ଚରୁଅଛି

ପାଦରେ ତାହାର ଲୁହା ଜଞ୍ଜୀର ନିବିଡ଼େ ହୋଇଛି ଭିଡ଼ା;

ପଚାର ବୁଝିଲ ଆଜିଯାଏଁ କେହି

ଚଢ଼ି ପାରୁନାଇଁ ସେହି ସେ ଘୋଡ଼ାର ପୀଠେ

ଏକଇ ଲମ୍ପେ ଚଢ଼ି ସେ ଘୋଡ଼ାରେ

କଦମ୍‌ କଦମ୍‌ ଚାଲିଲ ଚାଲିଲ ପାହାଡ଼ର ଆରପଟେ;

ପବନ ପରାଏ ଚାଲିଅଛି ଘୋଡ଼ା ଡ଼େଇଁ ବିଲ ପଦା ବନ

କିଏ ସେ ବସିଚି ଏଡ଼େ ବଳିଆର ଆଚମ୍ବିତ ଯେ ଚଉଦିଗେ ପୁରଜନ

ମାଜିଷ୍ଟ୍ରେଟ ଯେ ବିସ୍ମିତ ହୋଇ ରହିଲେ ଘଡ଼ିଏ ଚାହିଁ

ଦୁର୍ଦ୍ଦଣ୍ଡ ଏ ଘୋଡ଼ାର ପିଠିରେ କିଏ ସେ ବସିଛି

ଭୟ ବା ଭ୍ରାନ୍ତି ଟିକିଏ ତାହାର ନାଇଁ !

ସହର ତମାମ ଟପ ଟପ ଘୋଡ଼ା ଚାଳି

ଫେରାଥ ଆଣିଲ ଟିକିଏ ଥାପୁଡ଼ି ଦେଇ;

ସହର ତମାମ ପଡ଼ିଗଲା ହୁରି ‘ଗୋଲିଦାସ ! ଗୋଲିଦାସ !

ଅତି ଅମାନିଆ ଘୋଡ଼ାରେ କିପରି ମନାଇ ପାରିଛି ସେଇ;

ସାହେବ ତୁମର ବୀର୍ଯ୍ୟ ବିଭବ ସାହସ ଦମ୍ଭ ଦେଖି,

ଆପଣା ହାତରେ ଗଉରବ କରି କେତୋଟି ଟଙ୍କା ଦେଲେ ଉପହାର ଟେକି;

ସାହେବରେ ତୁମେ ଦରଖଣ୍ଡିଆ ହିନ୍ଦୀରେ ପରା କହିଲ ଗୋଟିଏ କଥା

‘‘ସାହେବ, ମୋହର ଟଙ୍କାତ ଲୋଡ଼ାନାଇଁ

ତୁମେ ଯେ ବୁଝିଲ ଏ ଦେଶେଛନ୍ତି ବୀର ବଳିଆର

ସେଇତକ ମୋର ସକଳ ସାର୍ଥକତା !’’

ଗୋରା ସାହେବର ପ୍ରତି ଅବୟବେ ରୋମ ଟାଙ୍କୁରି ଉଠି

ଅଧରେ ଗୋଟିଏ ମୋହନ ହାସ୍ୟ ସୋହାଗେ ଆସିଲା ଫୁଟି;

ଗୁରୁ ଗଉରବେ ତୁମରି ମଥାରେ ବୁଲାଇ ଆପଣା କର

ବିନମ୍ର ଭାଷେ କହିଲେ ତୁମରେ ‘‘ଗୋଲିଦାସ ! ଗୋଲିଦାସ !

ସେହି ବୀର, ଯିଏ ଧନ ସମ୍ପଦ ଉରେ ନରଖି ମାୟା

ଦେଶର ଜାତିର ଗଉରବ ପାଇଁ ଚାଲିଥାଏ ରଖି ଅମୃତ ଅଭିଳାଷ !’’

ଗୋଲିଦାସ ! ଗୋଲିଦାସ !

ଦେଖିନି ତୁମରେ ଜାଣିନି ତୁମରେ

ଶୁଣିଛି ତୁମରି ବୀର୍ଯ୍ୟ ବିଭବଭରା ଜୀବନର ଇତିହାସ !

 

–୫–

 

ଗୋଲିଦାସ ! ଗୋଲିଦାସ !

ଦେଖିନି ତୁମରେ ଜାଣିନି ତୁମରେ

ଶୁଣିଛି ତୁମରି ବୀର୍ଯ୍ୟବିଭବ ଭରା ଜୀବନର ଇତିହାସ !

କେଉଁ ଶତାବ୍ଦି ଅନ୍ଧାର ତଳେ, କେଉଁ ପଲ୍ଲୀର କୁଟୀରେ ବିକଶି ତୁମେ

କେଉଁଠି ନିଭିଲ, ଆପଣା ଟିକିକ ଫୁଟାଇ ଫୁଟାଇ

କିଏତ ଜାଣିନି ଦୁନିଆରେ ଆଜି ଜଣେ;

ଦେହ ଓ ମନର ଶକ୍ତି ସାଧନା ଅମିତ ସାହସ ବଳ

ଦେଇ ଚାଲିଗଲ ପଲ୍ଲୀ - ବୁକୁରେ ଫୁଟାଇ କି ଅବା କନକର ଶତଦଳ

ଇଚ୍ଛା କରିନ କିଏ ସେ ତୁମକୁ ଜାଣୁ

ଫୁଟି ଉଠୁ ତୁମ ଗଉରବ ଚାରିଆଡ଼େ,

ଇଚ୍ଛା କରିନ ବଞ୍ଚି ରହିବା ପାଇଁ

ସ୍ମୃତି ସ୍ତମ୍ଭର ଫଳକେ ବିରାଜି ବଡ଼ ବଡ଼ ଅକ୍ଷର ସମ୍ଭାରେ ।

ବଂଶ ତୁମର ଧ୍ୱଂସ ହୋଇଛି, ଚିହ୍ନ ତୁମର ନାଇଁ,

କେଉଁ ବିସ୍ମତି - କଳା ଅନ୍ଧାରେ ଛପି ଯାଇଅଛ କାହିଁ !

ତୁମରି ବୀର୍ଯ୍ୟ ତୁମରି ଶୌର୍ଯ୍ୟ ତୁମରି ସାହସ ବଳ

ବଞ୍ଚି ରହିଛି ସୃଷ୍ଟିରେ ରଚି ଜୀବନ ଊର୍ଜ୍ୱସ୍ୱଳ ;

ନିଖିଳ ଦୁନିଆ କୋଟି ସଂଭ୍ରମେ

ଚିରଦିନ ପାଇଁ ରହିବ ସରଗେ ଚାହିଁ,

ଜୀବନ ଯେଉଁଠି ଜୀବନ ଆଣିଛି କେବଳ ଜୀବନ ପାଇଁ !

ଗୋଲିଦାସ ! ଗୋଲିଦାସ !

ଦେଖିନି ତୁମରେ ଜାଣିନି ତୁମରେ

ଶୁଣିଛି ତୁମରି ବୀର୍ଯ୍ୟ ବିଭବଭରା ଜୀବନର ଇତିହାସ !

•••

 

ଆଦେଶ

 

–୧–

 

ଲେଖିଲି ମୁଁ ଥର ଥର କରି ଲକ୍ଷ ଥର

ଯିବନି ସୁଦୂରେ ଆଉ, ମତେ ସ୍ଥାନାନ୍ତର

କର ତମେ ସନ୍ନିକଟେ, ମୋର ପ୍ରିୟମାଟି

ଯା’ ବନ୍ଧନ ଜନ୍ମେ ଜନ୍ମେ ପାରିବିନି କାଟି ।

ପାହାଡ଼ ପ୍ରାନ୍ତର ଶ୍ୟାମ ଗଛ ପତ୍ରମାଳ

କେତେ ବନ୍ଧୁ ପରିଚିତ, ପ୍ରିୟ ଆପଣାର

ସକଳର ପୁଣ୍ୟସ୍ମୃତି ମୋ ଅନ୍ତର ତଳେ

ଚିରଦିନ ଲୀଳାୟିତ, ଏତେ ଦୂରସ୍ଥରେ

ପାରିବିନି ରହି ଆଉ, ଆତ୍ମୀୟ ସ୍ୱଜନ–

ସଭିଙ୍କଠୁଁ ଛିନ୍ନ ହୋଇ, ମହାମରୁସମ -

ନିଃସଙ୍ଗ ଜୀବନ-ଯାତ୍ରା ବଡ଼ କଷ୍ଟକର;

ତଥାପି ଲେଖିଲ ‘‘ଯାଅ ସୁଦୂରେ ସତ୍ୱର

ଆଦେଶ ବଦଳିବନି !’’ କି ବୁଝିଲ ମତେ ?

ହାକିମ ଗୁଡ଼ାକ କ୍ରୂର ଜାନୁଆର ସତେ !!

 

–୨–

 

କି ମହା ଆଦେଶ ତୁମେ କରିଅଛ ଜାରି

ନ ମାନିଲେ କାଟିଦେବ ମୋ ଜାଗିରି ବାଡ଼ି

ପଳାନ୍ତକ ହୋଇ ମୁହଁ ଚାଲିଯିବି କାହିଁ

ମୋ ଲାଗି ଏ ଧରାବକ୍ଷେ ସ୍ଥାନ ଯେହ୍ନେ ନାଇଁ;

ମରି ପଡ଼ିଥିଲେ ମଧ୍ୟ ଘୁସୁରି ଘୁସୁରି

ତୁମରି ଆଦେଶେ ଯିବି ଶହେ କୋଶ ଘୁରି,

ତୁମେ ବିଚାରିଚ, ମୁହଁ ଜନ୍ତୁଟିଏ କିହୋ ?

ତୁମେ ଏକା ପ୍ରଭୁ ମୋର ଖାଇବାକୁ ଦିଅ ;

ତୁମେ ବା ରଖିଚ ମୋତେ ବେକେ ବାନ୍ଧି ପଘା

ଯହିଁ ଓଟାରିବ, ଯିବି ମୁଁ ଯେ ଅଗା ବଗା

ମୁଁ ଯେହ୍ନେ ଧରାରେ ନୁହେଁ ଗୋଟିଏ ଜୀବନ

ମୁଁ କାହା ବୁକୁଚା-ବୁହା ଘୃଣ୍ୟ ହେୟ ଜନ;

ଏ ମହା ଆସ୍ପର୍ଦ୍ଧା ତୁମେ କରିଛ କି ପାଇଁ ?

କେତେ ଛୋଟ ହେଲେ ଜଣେ ଏହା କରେ ଯାଇ !!

 

–୩–

 

ତୁମେ ଯେ ବିଦେଶୁ ଫେରି, ପାଇଚ ଚାକିରୀ

ବଡ଼ ବଡ଼ ପାହ୍ୟାଙ୍କର ଗୋଡ଼ ହାତ ଧରି;

କାହା ଦ୍ୱାରେ ହୋଇଅଛ ଠିଆ, ହାତ ପାତି,

କାହିଁ ତା’ କଳନା କେତେ ଦିନ କେତେ ରାତି !

କାହା ଝିଅ ବିଭା ବେଳେ ସୁବର୍ଣ୍ଣର ହାର,

ଦେଇଛ ପାଇବା ପାଇଁ ଅନୁଗ୍ରହ ତାର ।

କାହାଠୁ ଭର୍ତ୍ସନା ଖାଇ, ଖାଇ ଯୋତା ମାଡ଼

ଧରିଛି ଯାବୁଡ଼ି ତାର ପୟର ଯୁଗଳ;

ପଠାଇଛ ବିଶା ବିଶା ଖଇଙ୍ଗା, କଙ୍କଡ଼ା,

ରାଗ ତାର ଉପଶମ କରିବାକୁ ପରା !

ଦାମିକା ଜର୍ଜେଟ ଶାଢ଼ୀ ଦେଇଅଛ କା’ରେ

ମାଇପ ଆଡ଼ୁ ତା’ ସ୍ୱାର୍ଥ ହାସଲ ଆଶାରେ;

ଏ ସବୁ ଭିତରେ ବଢ଼ି ହୋଇଅଛ ବଡ଼ !

କି ଅବା ବିରାଟ ଦ୍ରୁମ ନାଇଁ ପତ୍ର କଢ଼ !

 

–୪–

 

କରି କରି ଖାଲି ନିକୁଛିଆ ଆଚରଣ,

ପାଇଛି ଜୀବନେ ଯିଏ ବିରାଟ ଆସନ

କି ଶିରୀ ସମ୍ପଦ ତା’ଠୁଁ ପାରିବ ବା ପାଇ

ଥିଲେ ସ୍ୱର୍ଣ୍ଣ ପାତ୍ରେ ବିଷ୍ଠା ଗନ୍ଧାଇ ନାଇଁ ?

ଅଫିସରେ ରଖିଅଛ ସେ ଯେଉଁ କିରାଣି

ତା’ ମୁଣ୍ଡରେ ଦୁନିଆର ସବୁ ସଇତାନୀ !

ଆଁ କରି ବସିଛି ସେ ଉଣ୍ଡି ଉଣ୍ଡି ଓର

ପ୍ରତିଦିନ ପଡ଼େ ପେଟେ ବାଳିହା ଶଉଳ !

ତୁମେ ତହୁଁ ପାଉଥିବ ଭାଗ କିଛି କିଛି

ଏ ଭଳି କାହିଁକି ଜଣେ ରଖିଥାନ୍ତ ବାଛି ?

ତାହାକୁ ଅନ୍ତର କଲେ ତୁମରି ଅନ୍ତର

ପରସ୍ୱ ନ ପାଇ ହେବ ଅସ୍ଥିର ବିକଳ;

ସେଥିଲାଗି ତୁମେ ତାର ରଖିଛ ସାଇତି ;

ଆନ କେ’ ଦିଅନ୍ତା ତଡ଼ି ପାଣ୍ଡୋଇରେ ପିଟି;

 

–୫–

 

ତୁମ ଆଦେଶର ହେବନାଇଁ ରୂପାନ୍ତର

ବେଦବାଣୀ ଠାରୁ ବଳି ଆହୁରି ଯେ ବଡ଼ !!

କାଲିର କୁକ୍‍କୁର ଆଜି ପାଲଟିଚ ହାତୀ

ପହିଜ ଦେଖାଅ ବାର ହାତ ଠେଲି ଛାତି !

ଭିତରେ ଯାହାର ନାଇଁ ମାଲ କି ମସଲା

ବାହାରକୁ ତା’ ଛଇଟା ଷୋଳପଣ ପରା !

ଏ ଛଇ ଛଟକ ଏଇ ଧଡ଼କ ଭିତରେ,

ମୁଖର ବିକଟ ଭଙ୍ଗୀ କଲମ ହାତରେ,

ବିଚାରିଚ ଯାହା ଇଚ୍ଛା ତାହା ଦେବ କରି,

ତୁମକୁ ମାନିବେ ସର୍ବେ ଦେବତାରୁ ବଳି;

ତିନ୍ତୁଳି ପତିରେ ଯା’ରେ ନ ମିଳିବ ଭାତ,

କେ, ଜାଣି ସେ ହେଲେ ହେବ ତୁମ ଅନୁଗତ;

ହେଲେ ମଧ୍ୟ ଅନୁଗତ ହେଉଥିବ ଭାଳି

‘ଏ ଲୋକଟା ପାଶୁ ଦୂରେ ଯାଆନ୍ତି ବାହାରି ।’

 

–୬–

 

ନିଜ ଦୋଷ ଦୁର୍ବଳତା ଘୁଞ୍ଚାଇବା ଲାଗି,

ଦୁନିଆରେ ସାଜି ସାଧୁ, ସନ୍ଥ ବଇରାଗୀ,

କେତେ ମିଛ ଯୋଡ଼ି ଯାଡ଼ି କଳଙ୍କ ଆନରେ

ତୁମେ ସବୁ ଦେଇପାର; ତୁମରି ପ୍ରାଣରେ

ପୂରି ରହିଅଛି ଖାଲି ବିଷର ଭଣ୍ଡାର,

ଲାଗେନି ଟିକିଏ ଦ୍ୱିଧା ନିମିଷେ ଉଦ୍‌ଗାର

କରିପାର । ତୁମେ ସବୁ ଶଠ ସୟତାନ

ତୁମରି ଏ ବ୍ୟବସାୟ ଜୀବନ ତମାମ;

ଆଲୋକକୁ କରିପାର ତୁମେ ଅନ୍ଧକାର,

ବସନ୍ତରେ ଆଣିପାର ଗ୍ରୀଷ୍ମର ସଞ୍ଚାର,

ନାଇଁ କେ’ କରିବା ପାଇଁ ପ୍ରତିପାଦ ତାର,

ତୁମରି କଥାରେ କିଏ ହେଉ ନାରଖାର

କିବା ତବ ଆସେ ଯାଏ ? ସୟତାନ ହାତେ

ବିରାଟ ଦାୟିତ୍ୱ ଦେଲେ ସବୁ ତୋଟି କାଟେ !

 

–୭–

 

ଦରିଦ୍ର କୁଟୀରେ ମୋର ବସଛି ଏକାକୀ

ଚାକିରୀ ବାକିରୀ ନାଇଁ, ବନ୍ଧୁଜନେ ଡାକି–

ପଚାରନ୍ତି, ‘ଆସିଲା କି କେଉଁଠୁ ଆଦେଶ

ଯିବାପାଇଁ, ଓଠ ଫେଇ ଦିଏ ମୁଁ ନିର୍ଦ୍ଦେଶ

‘‘ଆସିଛି ଆସୁଛି ପୁଣି ଆସିବ ସତ୍ୱର

ଯିବାକୁ ସୁଦୂର ଭୁଇଁ, ଯହିଁ ମୋ ଅନ୍ତର

ଯିବା ପାଇଁ ରାଜି ନୁହେଁ, କେତେ ଜଣଙ୍କର

କୂଟ ମନ୍ତ୍ରଣାରେ ତହିଁ ମୋର ସ୍ଥାନାନ୍ତର–

କରା ହୋଇଅଛି, ମୋରେ ଦେବାକୁ ବଞ୍ଚନା,

ଯିବିନି ମୁଁ କଦାଚନ, ଅଭାବ ଯାତନା–

ଭିତରେ ମୁଁ ଦଗ୍‌ଧ ହୋଇ, ପାଉଁଶ ଅଙ୍ଗାର,

ପାଲଟିଣ ରହେ ପଛେ ସୀମାହୀନ କାଳ–

ଅନାଚାର ପାଦ ତଳେ ପେଡ଼ି ପେଷି ହୋଇ

ସୁଖ ପାଇବାଠୁ ଭଲ ମରିଯିବା ଭାଇ !!’’

 

–୮–

 

ଅନ୍ୟକୁ ବିପନ୍ନ କରି, କରି ମୂଳ ପୋଛ

ଜୀବନରେ ପାଏ ଯେହୁ ଆନନ୍ଦ ସର୍ବୋଚ୍ଚ

ପଶୁର ଆନନ୍ଦ ତାହା, ସେଇଟିକୁ ଧରି,

କ୍ଷାର ଗର୍ବ ଗଉରବ, ତାହା ତହୁଁ ବଳି

ନରାଧମ ନାଇଁ କେହି; ଧରିତ୍ରୀ ଉପରେ

ଅନ୍ୟର ନକରି କ୍ଷତି, ନିଜ ବାହୁବଳେ,

ନିଜ ପାଇଁ କାମ କରି, ଯେ ଆନନ୍ଦ ପାଏ,

ଅନ୍ୟ ପାଇଁ ଯା’ ଅନ୍ତର ମୂଳ ଜଡ଼ ପ୍ରାୟେ–

ରହିଥାଏ ଉଦାସୀନ, ସେ ଆନନ୍ଦଟିକ,–

ସାଧାରଣ, ନାଇଁ ତହିଁ ଗୌରବ ଅଧିକ

ଅକୂଳ ସମୁଦ୍ରେ ଭାସିଗଲା ବେଳେ ଜଣେ

ତା’ ଲାଗି ନିଜକୁ ଝାସି ଅକୁଣ୍ଠିତ ମନେ

ଯେ ତହୁଁ ଆନନ୍ଦ ପାଏ, ସେଇ ଶ୍ରେଷ୍ଠତମ

କବି ମୁଁ, ସେ ଆନନ୍ଦରେ କରଇ ବନ୍ଦନ !

 

–୯–

 

‘‘ଏତେ ଟଙ୍କା କ୍ଷତି କରି କାହିଁପାଇଁ ଘରେ

ବସିଅଛ ଠୁଙ୍କା ହୋଇ ପଚାରନ୍ତି ନରେ

ରହିବ ତୁମରି କଥା ? ତୁମ ଅଧିକାରୀ–

ଆଦେଶ ଉଭାଇ ଯିବ ଶୂନ୍ୟେ ଶୂନ୍ୟେ ଖାଲି

କାହିଁକି ମାତିଛ ଏଥି ? ଏ ତୁମ ବୋକାମୀ

ବସି ବସି ହୋଇଯିବ ଶେଷରେ ଅକାମି ।’’

‘‘ଏକି ଦୁର୍ବିଚାର ତବ ? ହେ ମୁର୍ଖ ଜନତା !

ମୁଣ୍ଡପାତି ସହିନେବା ସବୁ ବର୍ବରତା–

ତହୁଁ ବଳି ଅପୌରୁଷ କିବା ଅଛି କହ ?

ଦୁଃଖ ନାଇଁ ପାଏ ପଛେ ଶେଷେ ପରାଜୟ

ପ୍ରତିରୋଧ କରିବାରେ ଗୌରବ ମୋହର

ବିକ୍ଷତ ହୋଇ ମୁଁ ପଡ଼ିଯାଏ ଧରାତଳ ।’’

ଟଙ୍କାର ଲାଭ ବା କ୍ଷତି ଭିତରେ ଜୀବନ

ମୁଁ ଦେଖିନି ଦେଖି ପାରିବିନି କଦାଚନ ।

 

–୧୦–

 

ବିଚାରିଲି କେତେବାର ଦେବି ମୁଁ ଇସ୍ତଫା

ଶତ ବନ୍ଧୁଜନେ ମନା କରିଦେଲେ ସଫା

‘‘ଦେଲେ କି ସେ ଫେରାଇବେ ? ଅଭିମାନ କରି–

ଦେଇଛନ୍ତି, ବିଚାରିବେ ? ହୃଦେ ଦୟା ଭରି–

କରିବେକି ସୁବିଚାର ? ଯହିଁ ନିଷ୍ଠୁରତା

ଭିତରୁ ବାହାରୁ କହେ ଚିରଦିନ କଥା

ତହିଁ ସବୁ ଅଭିମାନ ନିଷ୍ଫଳ ପ୍ରୟାସ

ଫଳ ଖାଲି ପାଇବାର ତୀବ୍ର ଉପହାସ !

ଯେ ଅଯୋଗ୍ୟ ଅପଦାର୍ଥ କଠୋର ପାଷାଣ

ତା’ ପାଖରେ କରିବାର ଅଶ୍ରୁ ଅଭିମାନ–

ସାଜେନା ସାଜେନା କବି ନିରସ୍ତ ରହ ହେ !

କବିତା ନିର୍ଝର କଣ ସବୁଠାରେ ବହେ ?

ସବୁଠାରେ ବହୁଥିଲେ କବିତା ନିର୍ଝର

ବିଷରେ ପୃଥିବୀ ହେଉ ନଥାନ୍ତା ଜର୍ଜର !’’

 

–୧୧–

 

କା’ ତୁଲେ କରିବି ଦେଖା ? କରିବି କିମ୍ପାଇଁ ?

ଯେ ଦେଖାରେ ଲାଞ୍ଛନା ଓ ପରାଭବ ପାଇଁ

କେବଳ ଫେରିବି ଗୃହେ ପୋଛି ପୋଛି ଲୁହ

ମୋ ପକ୍ଷେ ସେ କେତେ ଆହା ଦୁର୍ବିସହ ନୁହଁ ?

ଯେ’ ଦେଖାରେ ଅମୃତର ବାଣୀ ନାଇଁ ଫୁଟେ,

ଯେ ଦେଖାରେ ସବୁ ଦୁଃଖ ନିମିଷେ ନ ତୁଟେ,

ଯେ ଦେଖାରେ ଏକ ଆତ୍ମା ଅପର ଆତ୍ମାର–

ତୁଲେ ମିଶି ହୋଇଯାଏ ନାହିଁ ଏକାକାର,

ସେଠି କଣ କଥା ଭାଷା ? ସେଠି କଣ ଦେଖା ?

ବିରାଟ ପ୍ରାଚୀର ପରି ଯହିଁ ସୀମାରେଖା–

ଯୁଗ ଯୁଗ ଧରି ନିତ୍ୟ ହୋଇଥାଏ ଠିଆ

କି ଶିରୀ ପାଇବ ତହିଁ ବିଦଳିତ ହିୟା ?

ଆହୁରି ଏ ଦେହ ମନ ହେବ ଛଟପଟ

କାହିଁକି ଆସିଲି ବୋଲି ଋକ୍ଷ ମରୁତଟ ?

 

–୧୨–

 

ଫେରିଲି ସେ’ ଦିନ ବନ୍ଧୁ ! ନିରାଶ ଅନ୍ତରେ

ମୋ ପାଇଁକି କିପାଁ କହ କାହାର ବକ୍ଷରେ

ଫୁଟିବ ତରଙ୍ଗ ଲବେ ? ଉପରେ ଉପରେ

ହଅଁ ସବୁ କରିଦେଲେ, ମୁଁ ଯେହ୍ନେ ସତରେ

ସେ ସବୁ ପାରୁନି ଜାଣି, ଆସିଲି ମୁଁ ଫେରି

ଦୀର୍ଘ ପଥ, ମୁହଁ ପଡ଼ିଯାଇଥାଏ ନେଳି,

ବଡ଼ ବ୍ୟସ୍ତ ଲାଗୁଥାଏ, ଭାଳୁଥାଏ ମନେ

ନିଜ ଦୁଃଖ ଧରଣୀରେ କିପାଁ ଅନ୍ୟ ଜଣେ,

ଏତେ ବା କରିବି ଚିନ୍ତା ? କେତେ ଆପଣାର

ହେଲେ ତା’ର ନେତ୍ର ପ୍ରାନ୍ତୁ ଅଶ୍ରୁ ଧାର ଧାର

ଭୂତଳେ ପଡ଼ିବ ଖସି ! ମାତୃ ହୃଦ ପରି

ପୃଥିବୀର ବେଦନାରେ ଉଠିବ ତରଳି,

ସେ ଭଳି ଜୀବନ କାହିଁ ? ସେ ଭଳି ଜୀବନ

ଅଶ୍ରୁଳ ନୟନେ କରୁଛି ମୁଁ ଅନ୍ୱେଷଣ !

 

–୧୩–

 

ଅସ୍ଥିର ଚଞ୍ଚଳ ଆଜି ଏ ଅନ୍ତର ମନ

ବାଜି କାହା କଷାଘାତ ନିଦାରୁଣ ତମ !

ଧରଣୀରେ କରିଛି ମୁଁ କାହାର ବା କ୍ଷତି

ମୋ ଶିରେ ଚଡ଼କ ପଡ଼େ । ବାରେ ମୋହ ପ୍ରତି

କାହାର ମମତା ନାହିଁ । ହସି କଥା ପଦେ

କେ’ ମୋତେ କହେନି କିମ୍ପା, ଆନନ୍ଦ ଗଦ୍‌ ଗଦେ ?

ବସିଛି ମୁଁ ମନ ଗୋଟି ମାରି ଦେଇ ମୋର

ବିଶ୍ୱର ଅନନ୍ତ ଶିରୀ ସମ୍ପଦେ ବିଭୋର–

ହେବାକୁ ଅନ୍ତର ମୋର ଲବେନାଇଁ ଡାକେ

ବଞ୍ଚିତ ଜୀବନ ଆଜି ଯିବ କାହା ପାଖେ ?

କେ’ ତା’ରେ ଧରିବ ତୋଳି ? ଧରଣୀର ପଥ

ଅବରୁଦ୍ଧ ତାହା ଲାଗି, ତା’ ଭାଗ୍ୟେ ସନ୍ତତ–

ଲେଖା ଖାଲି ପରାଜୟ, ଶତ ଅପମାନ

ତା’ ପାଇଁ ନାହାନ୍ତି ମଧ୍ୟ ବିଶ୍ୱେ ଭଗବାନ !!

 

–୧୪–

 

ଦେଖୁଛି କେତୋଟି ଟଙ୍କା ଅଛି ଆଉ ପାଶେ

ହେବ ପ୍ରାୟ ଦଶବାର, ସରି ସରି ଆସେ

ତା’ପରେ ଚଳିବି କେହ୍ନେ କୁମାର ପୂର୍ଣ୍ଣିମା

ନାତି ପାଇଁ କିଣାହେବ ଗୋଟେ ପାଇଜାମା;

ଝିଅ ପାଇଁ ଶାଢ଼ୀ ଖଣ୍ଡେ. ହଳିଆର ଲାଗି

ମନ ମାନିବାର ଭଳି ସିଲିକ୍‌ର ଲୁଙ୍ଗି;

ଆମ ଦି’ ଜଣଙ୍କ କଥା କାହିଁ ବା କହିବା ?

ଏହା ବାଦ୍‌ ମାଛ, ଶାଗ ପନି ଓ ପରିବା,

ଚାକିରୀରୁ ସ୍ଥାନାନ୍ତର, ଛୁଟି ନେଇ ଘରେ

ବସିଅଛି ଚାରିମାସ, ଦୂର ଦୂରାନ୍ତରେ

ଆଉ ଯିବିନାଇଁ ବୋଲି, ଅର୍ଥହୀନ ହାତେ

ରହିଛି ଦରିଦ୍ର ବାସେ; ପ୍ରାଣେ ଭାରି କାଟେ !

ଦେଖୁଛି ଏ ଧରଣୀରେ ନର ଅବିଚାର

କେମନ୍ତେ କରିଛି ମତେ ସାତ ନାରଖାର !

 

–୧୫–

 

ପଚାରୁଛ ‘‘ଭାତ ହେଲା, ଆଳୁ ବାଇଗଣ

କିଛି ତ ଗୋଟିଏ ନାଇଁ, କରିବି ତିଅଣ–

କି ଅବା ତୁମରି ଲାଗି ? ନାଇଁ ପଇସାଏ

ଦୋକାନ ଆଣନ୍ତ ଯାଇ, ପିଆଜ କୋଳାଏ,

ତହିଁରେ ବା ଚଳିଯାନ୍ତା ।’’ ଦେଲି ମୁଁ ଉତ୍ତର

‘‘ଚାକିରୀ ନାହିଁ ଛି ବୋଲି ସବୁ ଅଭାବର–

ମାଡ଼ ସହିବାକୁ ହୁଏ, ଦେଖତ ଭାଡ଼ିରେ

ଅମ୍ବୁଲ ତିନ୍ତୁଳି ଥିବ, ଲୁଣତ କୁଣ୍ଡିରେ–

ରହିଥିବ ତାହା ଘେନି ଯିବା ଆଜି ଚଳି

ଆସିଲେ ବେଦନା ଦୁଃଖ, ତାରେ ପାଦେ ଦଳି

ଚାଲିବାକୁ ହେବ ସଖି ! ଧରିତ୍ରୀ ଉପରେ

କି ଲାଭ ତିଆରି ଅଶ୍ରୁ; ଚାହେନା ବିଶ୍ୱରେ

ବଳିଦେଇ ଆପଣାର ମୁକ୍ତ ମତବାଦ

ଭୁଞ୍ଜିବି ଘୃତାନ୍ନ, ତହିଁ କାହିଁଛି ଆହ୍ଲାଦ ?

 

–୧୬–

 

ଦୁର୍ଭାଗା ଏ ଜୀବନରେ ମୋର

ବିପନ୍ନ କରିଛି ଯେବେ, ନଥାନ୍ତୁ ଈଶ୍ୱର

ବୁଝିବାକୁ ଦୁଃଖ ମୋର, ମହା ଧରଣୀର

ଚତୁର୍ଦ୍ଦିଗ ସିକ୍ତ ହେଉ ମୋର ନେତ୍ର ନୀର–

ବିପୁଳ ପ୍ଳାବନ ଘେନି; ସେଇ ଶାନ୍ତିବାରି

ଜ୍ୱଳନ୍ତ ଜୀବନେ ମୋର ପାରିବି ଅଜାଡ଼ି ।

ତହିଁରେ ପାରିବି ପାଇଁ, ଆଶ୍ୱସ୍ତି ପରମ

ସୀମାହୀନ ଅଭାବର ଗୁରୁ ନିଷ୍ପେଷଣ

କିଛି ମୋରେ ବାଧିବନି, ଗୋଲାପ ଶୟନେ

ପ୍ରାଣର ଈପ୍‌ସିତ ମିଳେ ? ଭୁବନେ ଭୁବନେ

ସକଳ ବିପଦ ଦୁଃଖ ନେବି ବୁକୁ ପାତି

ଫାଟିଗଲେ ଫାଟିଯାଉ ଏ ଦରିଦ୍ର ଛାତି ;

ମୃତ୍ୟୁ ହେଉ ସୀମାହୀନା ଯନ୍ତ୍ରଣା ଭିତରେ

ମୋ ଆନନ୍ଦ ଚାଲିବାହିଁ କଣ୍ଟକ ପଥରେ !!

 

–୧୭–

 

ଧମକ ଚମକ ତୁମେ ଦେଇଅଛ ମୋରେ

କର୍ମରେ ନଦେଲେ ଯୋଗ ଦୂର ଦୂରାନ୍ତରେ,

ମୋତେ ତୁମେ ଦଣ୍ଡ ଦେବ ନିଠୁର ନିର୍ମମ !

ହାତରେ ଧରିଛ ବୋଲି ଗୋଟାଏ କଲମ

କ୍ଷମତାର ଆସନର ଏଡ଼େ ଦୁଃସାହସ

ଆମେ କେଉଁ ପଲ୍ୱଳର ଯେହ୍ନେ ପାତି ହଂସ

ତୁମରି ଶିକାର ପରି ରହିଥିବୁ ପଡ଼ି

ପ୍ରତି ପଦେ ଜୀବନକୁ ଆତଙ୍କିତ କରି

ଜାଣ ତୁମେ ? ତୁମପରି ଲୁଟି ନେଇନାହିଁ

ଏକ କପର୍ଦ୍ଦକ କାହୁଁ, ପ୍ରିୟାପ୍ରୀତି ପାଇଁ

ସ୍ୱାର୍ଥାନ୍ଧ ବାସନା ଲବେ ଉଇଁନାଇଁ ମନେ,

କାହାରେ କରିନି ହତ୍ୟା, କଲମର କଣେ

ଆକୁଣ୍ଠ ଆକ୍ରୋଶ ରଖି । ନିଷ୍କଳଙ୍କ ଯିଏ

ମୃତ୍ୟୁ ବି ତାହାକୁ ଛୁଇଁ ପାରିବନି ଟିହେ !

 

–୧୮–

 

କାଲିକି ଏ ଆସନରୁ ଚାଳିଗଲେ ତମେ

ଘୃଣାଭରେ ଛେପ ପକାଇବେ କୋଟି ଜନେ;

କରିବେନି କେହି ତୁମ ନାଆଁ ଉଚ୍ଚାରଣ ;

କହିବେ–କରିଛି ଇଏ କେତେ ହଇରାଣ;

ଠୁଙ୍କା ହୋଇ ବସିଥିବ, କୋଟି ଅପଯଶ

ଶିରେ ବହି, ନଥିବ ଏ ମୁଖ ହସ ହସ ।

ଲାଞ୍ଚ ମିଛ ଯେତେ ଯାହା ନେଇଥିବ କାହିଁ

ରୋଗ ବଇରାଗେ ସବୁ ଯିବଟି ଉଭାଇ ।

ଏଭଳି ଜୀବନ ଯାପି ବୋଲାଇବା ବଡ଼–

ଭିଡ଼ରେ ରହିଛି କିବା ଆନନ୍ଦ-ନିର୍ଝର ?

ବାଟର ଭିକାରୀ ବରଂ ତୁମ ତହୁଁ ଭଲ

ଅଛି ତା’ ଭିତରେ ଭରି ହୃଦୟ ସୁନ୍ଦର,

ତା’ ଆଖିରେ ଲୁହ ଅଛି, ଓଠେ ଅଛି ହସ

ବୁଝିବାକୁ ଦୁନିଆର ସୁଖ ଦୁଃଖ ପ୍ରାସ;

 

–୧୯–

 

ବାହାରେ ଫୁଟାଣି ତୁମେ ଦେଖାଉଛ ବସି

ବଡ଼ ବଡ଼ କଥା କହ କେତେ ବାଙ୍କେ ହସି

ହଜାର ହଜାର ଟଙ୍କା ଲୁଟି ଦେଶଟାର

ଅତ୍ୟାଚାର, ଅନାଚାର, ଶତ ବ୍ୟଭିଚାର

ଚଳାଇଚ ତୁମେ ଦଳେ, ମୂର୍ଖ ସୟତାନ

କଳୁଷିତ କରୁଅଛ ଏ ଦେଶ ତମାମ ।

ତୁମରି ଭିତରେ ନାଇଁ ନିର୍ଭୀକ ସୁନ୍ଦର

ଗୋଟାଏ ବିରାଟ ଆତ୍ମା, ସତ୍ୟ ସାହସର

ଦେବ ପୂର୍ଣ୍ଣ ପରିଚୟ, ନିମିଷକ ପାଇଁ

କି ଶିରୀ ସମ୍ପଦ, ଦେଶ ପାରିବ ବା ପାଇଁ ?

ତୁମରେ ଆସନ ଦେଇ, ଦେଇ ଏ କ୍ଷମତା

ମୁକୁଟରେ ଅଳଙ୍କୃତ କରି ତୁମ ମଥା

କଳଙ୍କ ପସରା ତୁମେ ସମଗ୍ର ଦେଶର

ତୁମ ଶେଷେ ଶେଷ ହେବ ଦୁର୍ନୀତି ସକଳ ।

 

–୨୦–

 

କଠୋର ପାଷାଣେ ଗଢ଼ା ଯାହାର ଅନ୍ତର

ଦେଖି କି ପାରିବ ସେହି କ୍ଷତ ଚିହ୍ନ ମୋର ?

ପୋଛି କି ପାରିବ ମୋର ନେତ୍ର ନୀରଧାରା ?

ଜୀବନେ ଛୁଇଁନି ଯାରେ ଦୁଃଖ କଷ୍ଟ ଭାର;

ବିତେ ଯା’ ଜୀବନ ଅହମିକା ଆଡ଼ମ୍ବରେ,

ଆପଣାର କରିବ କି ? ମୋ ଭଳି ନିଃସ୍ୱରେ

ପ୍ରଭୃତ୍ୱର ମଦ ପିଇ ଯେହୁ ମତୁଆଳ

ଶୁଣିବ କି ଗୁହାରି ଯେ ଦରିଦ୍ର ହିୟାର ?

ତୋଷାମଦ ଶୁଣିବାକୁ ଯେହୁ କାନ ପାତେ

ଲାଞ୍ଚ ମିଛ ପ୍ରତିଦିନ ପଡ଼େ ଯାହା ହାତେ

ନ୍ୟାୟ ବୁଝାବଣା ସତେ କରିବ ମୋ ପାଇଁ ?

ମୋହଠୁ ତ ପାଇବାର ତାର କିଛି ନାଇଁ;

ଅନ୍ଧପରି ଚାଲିଛି ଯେ ଧରାରେ ନିୟତେ

ତା’ ପାଖରେ ପ୍ରାର୍ଥୀ ହେବା ବଡ଼ ବାଧେ ମତେ

 

–୨୧–

 

ଇଛାହୁଏ ବେଳେ ବେଳେ ସୋଲରୀ ଶିଖରେ

ଚାହୁଁଥାନ୍ତି ବସି ଏଇ ବନକୁଞ୍ଜ ତଳେ;

ଏ ବାଉଁଶ ନଈ ଏଥି ଯାଉଥାନ୍ତା ବହି

ସର୍ପିଳ ଗତିରେ ଠାବେ ଠାବେ ରହି ରହି

ଦେଖୁଥାନ୍ତି ବାୟା ବସା ତାଳ ବାହୁଙ୍ଗାରେ

ଝୁଲିବାର । ତୋଳୁଥାନ୍ତି ଏ ବଣ ବୁଦାରେ

ଆଙ୍କୁ ଓ ବଂଇଚ କୋଳି ଶିଶୁସମ ବୁଲି

କି ମଧୁ ସମ୍ପଦେ ପ୍ରାଣ ଉଠୁଥାନ୍ତି ପୂରି ?

ବାଧନ୍ତାନି ମତେ ଏଇ ବଦଳି ଆଦେଶ

ସୁଦୂର ମୂଲକେ କାହିଁ । ଭିତିରି ଉଦ୍ଦେଶ–

ଯାର ମତେ କରିବାକୁ ଖାଲି ହଇରାଣ

ମଣିଷ ମଣିଷର କି ଶତ୍ରୁ ବଳୀୟାନ !

ନିଖିଳ ଏ ଧରିତ୍ରୀରେ ! କେତେ ଯୁଗ ପରେ

ମଣିଷ ମଣିଷ ପରି ଫୁଟିବ ବିଶ୍ୱରେ;

 

–୨୨–

 

ଧରଣୀରେ ଯେଉଁଠାରେ ଆଧିପତ୍ୟ ଚାଲେ

ସେଠିକି ଜୀବନ ସ୍ରୋତ କଳତାନ ଢାଳେ ?

ଅମୃତ ଉତ୍ସବମୟ ବସୁନ୍ଧରା ତହିଁ

କେବେକି ଉଠଇ ଫୁଟି ସ୍ୱର୍ଣ୍ଣ ଶିରୀ ବହି ?

ଲକ୍ଷ୍ମୀଚ୍ୟୁତ ହେଲାପରି ସବୁ ଝଡ଼ି ପଡ଼େ

ପ୍ରାଣର ସମ୍ପଦ ଶିରୀ । ବିଲୋକି ଅନ୍ତରେ

ଏଇ ପ୍ରାଣହୀନ ବେଶ ମହା ଧରିତ୍ରୀର,

ଯେଉଁ ପ୍ରଭୁ ଗର୍ବ କରେ ନୋହି ନତ ଶିର,

ରହିଛି ବଜାୟ ବୋଲି ପ୍ରଭୁତ୍ୱ ଟିକକ

କେମନ୍ତେ କହିବି ନାଇଁ ସେ ମହା କଳଙ୍କ

ପ୍ରାଣବନ୍ତ ବସୁନ୍ଧରା ଗଢ଼ିବାରେ ଯାର

ପ୍ରଭୁତ୍ୱ ନ ଫୁଟେ, ସେହି ପ୍ରଭୁତ୍ୱ ପ୍ରଭାର

ପ୍ରତି ରଶ୍ମି ରେଣୁରେ ମୁଁ କରେ ପଦାଘାତ

ପ୍ରଭୁତ୍ୱ-ପ୍ରତିଭା ନୁହେଁ ରଚିବା ଉତ୍‌ପାତ !

 

–୨୩–

 

ଛୁଟି ନେଇଥିଲି ବୋଲି, ଆସିଲା ନିର୍ଦ୍ଦେଶ

‘ଯାଅ ଚିକିତ୍ସକ ପାଶେ, ଗଲି ମୋ ଉଦ୍ଦେଶ୍ୟ–

ଜଣାଇବା ଲାଗି ତହିଁ, ଦେଲେ ସେ ଉତ୍ତର

‘ବହୁ ଡେରି ହୋଇଲାଣି, କିପାଇଁ ସତ୍ୱର

ନ ଆସିଲ ? ଏତେ କାଳ ମଠ ହେବା ପରେ

କେମନ୍ତେ ସାହାଯ୍ୟ ମୁହିଁ କରିବି ତୁମର ?

କିଛି ହୋଇ ପାରିବନି, ନୈରାଶ୍ୟର ବାଣୀ

ପ୍ରଥମେ ଶୁଣାଇ, ପରେ ଆସ କାଲି ପୁଣି

ଦେଖିବା କହିଲେ; ଏଇ କହିବା ଭିତରେ

ପଇସା ପାଇବା ଲାଗି ଫିକରି ସତରେ

ଲୁଚି ଉଙ୍କି ମାରୁଥିଲା । ବିଷ୍ଟା ତଳେ ତଳେ

ପୋକ ସାଉଁ ସାଉଁ ହେଲାପରି ଅବିରଳେ

ନର ପାଲଟିଛି କେହ୍ନେ ପଇସାର କୀଟ !

କବି ମୁଁ ଆସିଲି ଫେରି କ୍ଷୁବ୍‌ଧ ସଚକିତ !!

 

–୨୪–

 

ତୁମେତ ଆସିଲ ଏଥି ଜଣେ କ୍ଷେତ୍ରପତି

ଅଣ୍ଡା ଭଜା ମାଂସ ଝୋଳେ ଲଭିଲ ତୃପତି !

କମଳା, କଦଳୀ, ଦ୍ରାକ୍ଷା, ଅଙ୍ଗୁରର ରସ

ପିଇଲ ପରାଣ ଭରି । ତିନୋଟି ଦିବସ–

ରହଣି ଭିତରେ ନିତି ପଞ୍ଚ ଉପଚାରେ

ପାଇଲ ବହୁତ ପୂଜା । ଦିଅର ବିହାରେ–

ଖରଚ ଷାଠିଏ ଟଙ୍କା । ମୁଦ୍ରା ଦୁଇଚାରି

ଦେଇଥିବ କେତେ ହେଲା ବିଲ୍‌ଟା ପଚାରି ।

ଦୁଃସ୍ଥ ଓ ଦୁର୍ବଳ ଏଇ ଚାକିରିଆଙ୍କର

ରକ୍ତ ଶୋଷି ହେବାଲାଗି ପୁଷ୍ଟ ଓ ସବଳ

ତୁମେ ଏଥି ଆସିଥିଲ । ଆସିଥିଲ ତୁମେ

ରାଜଭୋଗ କରିବାକୁ, ନିରୀହ ନିର୍ଧନେ–

ଚପାଇ କ୍ଷମତା ବଳେ । ତୁମପରି ଲୋକ,

ଅମୃତର ଶିକ୍ଷାଳୟେ କି ବିଷାକ୍ତ ପୋକ !!

 

–୨୫–

 

ଲୋଡ଼ାନାଇଁ ସୌଧବାସ ସ୍ୱର୍ଣ୍ଣ ଆଭରଣ

ଲୋଡ଼ାନାଇଁ ଲାଞ୍ଚମିଛ ପାପ ଉପାର୍ଜନ;

ଲୋଡ଼ାନାଇଁ ଏ ସକଳ ଭିତରେ ଅନ୍ତର–

କ୍ଳିନ୍ନ କରି ଚାଲିବାକୁ, ଟେକି ବୁକୁତଳ

ବିପୁଳ ସୁନ୍ଦର ଏଇ ଧରିତ୍ରୀ ଉପରେ

ଅମୃତର ଜୀବନକୁ ଏଇ ଟିକକରେ

କି ପାଇଁ କରିବି ଦଗ୍‌ଧ ? ତିଳ ତିଳ କରି

ମୁହଁ ଚାହେଁ ଶରତର ମୁକ୍ତା ବିନ୍ଦୁପରି

ସ୍ୱଚ୍ଛ ଓ ପାବନ ହେବି, ଭିତରେ ବାହାରେ

ଉଠିବ କଲ୍ଲୋଳ ନିତି ଜୀବନ୍ତ, ଶୋହାରେ

ଜୀବନର ଉପଭୋଗ, ଗର୍ବ ଗଉରବ

ଜୀବନ ଅମୃତ ଶିରୀ ଭିତରେ ସମ୍ଭବ;

ରହେ ମାଟି କୁଡ଼ିଆରେ ରହେ ବୃକ୍ଷତଳେ

ରହେ ପଛେ ଅଭାବର ଅତଳ ଗର୍ଭରେ ।

 

–୨୬–

 

ସ୍ୱାର୍ଥର ସଂଘର୍ଷଠାରୁ ସଂଘର୍ଷ ସତ୍ୟର

କାମ୍ୟ ମୋ ଦରିଦ୍ର ଏଇ କବି ଜୀବନର

ଯାତ୍ରାପଥେ, ଜାଣେ ମୁହିଁ ପଡ଼ିବ ବିତ୍‍ପାତ

ଆସିବ ଅଭାବ ଘୋଟି ଜୀବନ-କବାଟ–

ରୁଦ୍ଧ ହୋଇଯାଇ ପାରେ, ମୃତ୍ୟୁ ଅବଶେଷେ

ନେଇ ଯାଇପାରେ ମୋତେ, ଦୀନ ହୀନ ବେଶେ;

ମୋ ଲାଗି ସାହାଯ୍ୟ ଅବା ସହାନୁଭୂତିର

ସ୍ପର୍ଶ ନାଇଁ ମିଳିପାରେ, ମହା ଧରଣୀର–

ଚତୁର୍ଦ୍ଦିଗୁ, ଆସିପାରେ ଅପମାନ ରାଶି,

ଯାଇପାରେ ନେତ୍ର ବେନି ଅଶ୍ରୁ ନୀରେ ଭାସି,

ସର୍ବସ୍ୱ ହରାଇ ମୁହିଁ ପଥର ଭିକାରୀ–

ପରାଏ ବା ବୁଲିପାରେ ହୋଇ ଅନାହାରୀ–

ରାଜପଥ ଧାରେ ଧାରେ । ଏସବୁ ଭିତରେ

ବିଜୟୀ ମୁଁ, ହରାଇନି କଦାପି ନିଜରେ !

 

–୨୭–

 

ପଥର କାଙ୍ଗାଳ କରି ରଖ ପଛେ ମୋତେ

ବିହରି ପାରିବ ବିଶ୍ୱେ ଆନନ୍ଦେ ସନ୍ତତେ;

ନ ଦିଅ ପଛକେ ମୋରେ ହେମ ହର୍ମ୍ୟେ ବାସ

ମାଟି କୁଡ଼ିଆହିଁ ମୋର ରାଜାର ଉଆସ;

ଘୃତାନ୍ନ ନ ଯୁଟୁ ପଛେ ମୋର ଭାଗ୍ୟେ ନାଥ !

ମାଣ୍ଡିଆ ଜାଉରେ ହେବ ମୋର ତୃପ୍ତିଜାତ;

ଶିରୁ ମୋ ମୁକୁଟ ପଛେ ନିଅହେ ଛଡ଼ାଇ

ପାରିବ ମୋ ଜୀବନର ଗୌରବ ବଢ଼ାଇ;

ସର୍ବଶୂନ୍ୟ କରି ମତେ ରଖ ଧରଣୀରେ

ବୁଡ଼ିଯିବ ନାଇଁ ନାଥ କେବେ ଉଷ୍ମ ନୀରେ;

ଚତୁର୍ଦ୍ଦିଗୁ ବାହି ଆଣ ପ୍ରଳୟ ସମୁଦ୍ର

ଭୟନାଇଁ ନିମିଷକେ ପାଲଟିବି ରୁଦ୍ର !

କା’ ରକ୍ତିମ ନୟନର ଇଙ୍ଗିତ ଭିତରେ

ଏକଇ ମୁହୂର୍ତ୍ତ ନାଇଁ ବଞ୍ଚିବି ସତରେ !!

 

–୨୮–

 

ମୁହିଁ ଯେ ବିଚ୍ୟୁତ ହୋଇ ତୁମମାନଙ୍କଠୁ

ରହିଲି କୁଟୀରେ ମୋର, ତୁମ ପୁଣ୍ୟ କଣ୍ଠ,

ପଦିଏ ମୋହନ ବାଣୀ ପାରିଲିନି ଶୁଣି,

ଏକବାର ଭୁଲିଗଲ ? ଦିନରାତି ଗୁଣି

ହୁଏ ମୁଁ ତୁମରି କଥା, ତୁମ ସ୍ୱର୍ଣ୍ଣମୁଖ

ଦିଶି ଦିଶି ଯାଏ ମୋତେ, ହୁଏ ମୁଁ ଉନ୍ମୁଖ

ପୁଣି ମୁଁ ଯାଆନ୍ତି ଚାଲି, ତୁମ ସନ୍ନିଧାନେ

ପରାଣେ ପରାଣ ଢ଼ାଳି ଶତ ସନମାନେ,

କାଟନ୍ତି ଜୀବନ ମୋର, ସୁଖ ଦୁଃଖ ତବ

ହୃଦ ଭରି କରନ୍ତି ମୁଁ ନିତି ଅନୁଭବ !

ମାନହୀନ ଲାଗେ ମୋତେ, କେମନ୍ତେ ତୁମରେ–

ବରଜି ଆସିଲି ମୁହିଁ ? ବନ୍ଧନ ଭିତରେ–

ଜୀବନର, ଫୁଟି ଉଠେ ଯେଉଁ ମଧୁତାନ

ତା’ ଲାଗି ଆକୁଳେ ଚାହିଁ ରହେ ମୋର ପ୍ରାଣ ।

•••

 

ରାସ୍ତା ନାଇଁ !

 

–୧–

ରାତି ! ରାତି ! ନିବିଡ଼ ଅନ୍ଧାର ରାତି ! ମୁହଁକୁ ଦିଶୁନି ମୁହଁ

ଧୂସର ପାହାଡ଼ମାଳା ଦୂରେ ଦୂରେ ଦିଶୁଅଛି ଅସ୍ପଷ୍ଟ ଆକାରେ !

ତାରାଦଳ ଚିନ୍ତାକୁଳ ହେଲାପରି ପଡ଼ିଛନ୍ତି ଆକାଶ କିନାରେ !!

ଆମେ ସବ ଯାଉଅଛୁ ଆଗକୁ ଆଗକୁ, କିନ୍ତୁ ପାରୁନାହୁଁ ଚାଲି,

ଆମକୁ ଦେଉଛି କିଏ ଅଟକାଇ କାହିଁ

ପାରୁନୁ ପାରୁନୁ ଦେଖି, ଜାଣିପାରୁଅଛୁ ଖାଲି !!

–୨–

ଆଗକୁ ଆଗକୁ ଆମେ ମାଡ଼ିଯିବୁ ଚାଲିଯିବୁ

କିଏ ତୁମେ ? କାହିଁପାଇଁ ଗତି ରୁଦ୍ଧ କର ?

ଶୁଭେ କାର ଅଟ୍ଟହାସ

‘ତୁମେ ଯିବ ? ଯାଅ !

ପାରିବ ପାରିବ ଯାଇ ?’

କାହାର ଏ ଅଟ୍ଟହାସ ? କାହାର ଏ ପ୍ରଶ୍ନ ଭୟଙ୍କର ?

–୩–

ରହିଲୁ ରହିଲୁ ଆମେ, ତଥାପି କେ’ ଦିଏ ବାଧା ?

ସମ୍ମୁଖେ ଦିଶଇ କିଏ ଠିଆ ହେଲାପରି,

କିଏ ସେ ଚାବୁକ ଧରି ରୋଷ କଷାୟିତ ନେତ୍ରେ

ଆସୁଚି ପୁଣି ଯାଉଅଛି ଫେରି,

ଆମେ ସବୁ ଆତଙ୍କିତ, ଆଚମ୍ବିତ,

ଚାଲିଲୁ ଚାଲିଲୁ ଆମେ ଦିଗୁଣ ସାହସ ଧରି

କି ମହା ଗର୍ଜନ ଶୁଭେ !

ସମସ୍ତ ଆକାଶ ଯେହ୍ନେ ଆମ ଶିରେ ଭାଙ୍ଗିଗଲା ପରି !

–୪–

‘ରାତି ହେଲେ ପାଇ ଯାନ୍ତା !’

‘ନା ! ନା! ପାଇବନି ରାତି !’

କିଏ ସେ କହୁଛି ଯେହ୍ନେ ଦମ୍ଭ କରି ଛାତି !

ଆହୁରି ଚାଲିଲୁ ଆମେ ସେ ଘନ ଅନ୍ଧାର କାଟି

ଦୂରେ ଦୂରେ କୋଳାହଳ

କା’ର ଭୀଷଣ ଗର୍ଜନ ପାଟି !

ଆମର କେହିନାଇଁ ଜଣେ ସାହାସାଥି !

 

ଆମେ ଯେହ୍ନେ କରୁଅଛୁ ଅନୁଭବ

ଆମ ଚତୁର୍ଦ୍ଦିଗେ ରହିଅଛି ଭୀଷଣ ଗୌରବ !!

–୫–

ଉତ୍ତର ଆସୁଛି ‘‘ଫେରିଯାଅ ! ଫେରିଯାଅ !

ଆମେ ସବୁ ଠିଆ ହେଲୁ ଥକ୍‌କା ମାରି

କେ ଆମକୁ ଠେଲି ଠେଲି ନେବାପାଇଁ ଆସୁଅଛି ଧାଇଁ !

–୬–

ଆମେ ତେବେ ଏଇଠାରେ ମରିଯିବା ?

ପାରିବାନି ଆଉ ଚାଲି ?

‘ତୁମେ କି ବଞ୍ଚିଚ ସତେ ?

ବଂଚି କି ପାରିବ ଆଉ ?

ଆସୁଚି ଉତ୍ତର !

ଆମେ ହେଲୁ ଭୀତ ତ୍ରସ୍ତ ନିର୍ବାକ ଚଞ୍ଚଳ !

–୭–

‘‘ତେବେ ତୁମେ ଛାଡ଼ିଦିଅ’’

‘‘ତୁମପାଇଁ ରାସ୍ତେ ନାଇଁ !

ରାସ୍ତାନାଇଁ ! ମୋଟେ ରାସ୍ତାନାଇଁ !!’’

–୮–

ଆମେ କ’ଣ ଠିଆ ହୋଇ, ଜଳ ଜଳ ରହିଥିବୁ ଚାହିଁ ?

ଆମେ ଆଉ ଯିବୁନାଇଁ ?

ଆମେ ସବୁ ପଡ଼ୁଚୁ ଝାଉଁଳି ?

ଆମକୁ ଲାଗୁଛି ବଡ଼ ବ୍ୟସ୍ତ ଓ କାଉଳି !

ଫସର ଆସୁଛି ଫାଟି,

ଆମର ଜୀବନ ନାଟି,

ଲାଗୁଅଛି ଯେହ୍ନେ ଛାଡ଼ିଗଲା ପରି,

‘ତୁମ ପାଇଁ ରାସ୍ତା ନାଇଁ, ରାସ୍ତା ନାଇଁ ! ମୋଟେ ରାସ୍ତେ ନାଇଁ,

କାନେ କାନେ ତୁହାଇ ତୁହାଇ କିଏ ଛାଡ଼ୁଅଛି ରଡ଼ି !

କେ ଆମକୁ ପରାଚୀର ଦିଗ୍‌ବଳୟ ତୀରୁ, ଏତେବେଳେ

କହିଗଲା ହେଉଛି ସ୍ମରଣ

‘‘ଜୀବନ ପଥର ନୁହେଁ

ଅଗ୍ନି ଅସମ୍ଭାଳ

ଚାଲ ! ଚାଲ ! ଚାଲ !!!’’

•••

 

ଅନ୍ଧକାରେ

 

ବିରାଟ ବିପୁଳ ନଭଶ୍ଚୁମ୍ବୀ ଉତ୍ତୁଙ୍ଗ ଏ ଗିରିମାଳା ମେଳେ,

କିଏ ଅଛ ? କିଏ ଅଛ ? ମୋ ନୟନ ପ୍ରତି ବିନ୍ଦୁ ଲୁହ

ତୁମରେ କି ଛୁଏଁ ନାଇଁ ତିଳେ ?

ଆସ ତମେ ! ଆସ ! ଆସ ! ଆସୁନ କାହିଁକି ?

ମୋତେ କ’ଣ ପାରୁନାହିଁ ଦେଖି ?

କାହିଁକି କହୁନ କଥା ନେତ୍ର ବେନି ଟେକି ?

ତୁମେ ଖାଲି ରହିଥିବ ବିଜନତା ମହାମୂର୍ତ୍ତି ଧରି ?

ମୁହଁ ଏଠି ଠିଆ ହୋଇ,

ଚାଲିଯିବି ମୋ ଦରିଦ୍ର-ପଥ ଅନୁସରି ?

ଓଠେ ମୋର ଫୁଟିବନି ହସ

ବକ୍ଷେ ମୋର ଜାଗିବନି ନବ ଉନ୍ମାଦନା ?

ଜୀବନର ପ୍ରତି ରନ୍ଧ୍ରେ ଜାଗିବନି ପ୍ରଦୀପ୍ତ ଚେତନା ?

ଉଠିବିନି ? ପଡ଼ିଥିବି ? ପଡ଼ ପଡ଼ି ଚାଲିଯିବି କାହିଁ ?

କିଏ ତୁମେ ବିରାଟ ପୁରୁଷ ରହିଅଛ ସବୁଜ ଏ ବନକୁଞ୍ଜ ଗେହେ

ଆସିବନି ଲବେ ମୋହ ପାଇଁ ?

 

ସୂର୍ଯ୍ୟ ଯାଏ ପଶ୍ଚିମ ଆକାଶେ ବୁଡ଼ି

ଯିଏ ଯହିଁ ପାନ୍ଥଜନ ଆପଣାର ନୀଡ଼େ

ଗଲେଣି ବାହୁଡ଼ି,

ମାଡ଼ିଆସେ ଦୂର ଦୀଗ୍‌ବଳୟ ତୀରୁ

ଘନ କୃଷ୍ଣ ମହା-ଅନ୍ଧକାର,

ମୁଁ କିନ୍ତୁ ପାରୁନି ଯାଇ, ହୋଇଅଛି ଠିଆ

ନେତ୍ରପ୍ରାନ୍ତୁ ବୋହି ଆସେ ଉଷ୍ମ ଅଶ୍ରୁଧାରା ।

ପାରୁନି ମୁଁ ଯାଇ କୁଆଡ଼େ ମୁଁ ଯିବି ?

କାହିଁ ମୋର ଆଶା ବା ଆଶ୍ରୟ ?

ତୁମେ କେହି ବୁଝିବନି ମୋତେ ?

ରହିଥିବ ହୋଇ ନିତି ଆକୁଳ, ଅଥୟ ?

କିଏ ସେ ଆସୁଛ ତୁମେ କାହିଁ ମୋତେ କିଛି ଦିଶୁନାଇଁ ?

ଏଇ ମହା ଅନ୍ଧକାରେ କୁଆଡ଼େ ମୁଁ ଯିବି କାହିଁପାଇଁ ?

ଆସ ! ଆସ ! ଆସ ତୁମେ ହେ ଉତ୍ତୁଙ୍ଗ ଗିରି-ବନ-କୁଞ୍ଜ-ଲତା !

କେହି ତୁମେ ବୁଝିବନି ? ଏଇ ମହା ଜୀବନର ବ୍ୟଥା ?

ମୃତେ କ’ଣ ବୁଝିବାକୁ ତୁମରି ହୃଦୟ ହୁଏ ନାଇଁ ଆକୁଳ ଅଥୟ ?

ଦେବନାଇଁ ଦେବନାଇଁ ମୋତେ ?

ମୋ ଦରିଦ୍ର ଜୀବନର ଯେ ଟିକକ ଲୋଡ଼ା ?

ଫେରି ଯିବି ? ଏଇ ମହା-ଅନ୍ଧକାରେ ?

କେଉଁଆଡ଼େ ଯିବି ଅବା କାହିଁ ?

ମୋହପାଇଁ କେହି କ’ଣ ନାଇଁ ???

•••

 

ସ୍ୱପ୍ନ

 

–୧–

ପ୍ରଳୟ ତୋଫାନ ଗରଜି ଆସୁଛି ଭୀମ ଭୈରବ ରବେ,

ହଜାର ହଜାର ମହା ପାରାବାର–

ଲହରୀ ଆସୁଛି ମାଡ଼ି ବାର ବାର

ପ୍ରତିଶୋଧ ନେବ, କିବା ଅନାଚାର

ଘୋଟିଯାଇଛି ଏ ଭବେ,

ପ୍ରଳୟ ତୋଫାନ ଗରଜି ଆସୁଛି ଭୀମ ଭୈରବ ରବେ ।

–୨–

ଚତୁର୍ଦ୍ଦିଗରେ ମହା ପାରାବାର ଲହରୀ ଉଠୁଛି ବିକଟେ ନୃତ୍ୟ କରି,

ଆତଙ୍କ ଛାୟା ଘେରି ରହିଅଛ ସୃଷ୍ଟିର ପ୍ରତି ଅନ୍ତର ତଳ ଧରି;

ଦୁର୍ଦ୍ଦିନ ଛାୟା ମେଲାଇଛି ତାର କି ବିକଟତର କାୟା !

ଶିହରି ଉଠୁଛି ପୃଥିବୀର ଦେହ,

ମନତଳେ ଖାଲି ଜାଗେ ସନ୍ଦେହ,

କିବା ଅଘଟଣ ଘଟିବ କିଏ ସେ କହି ପାରିବ ବା ତାହା ?

ଦୁର୍ଦ୍ଦିନ ଛାୟା ମେଲାଇଛି ତାର କି ବିକଟତର କାୟା !

–୩–

ଚାହୁଁ ଚାହୁଁ ଚାହୁଁ ଆଖି ପିଛୁଳାକେ ଦେଖିଲି ନୟନ ଭରି

ଭାସୁଛି ମୋହର ଏ ବିରାଟ ମାଟି ମହା ସମୁଦ୍ରେ ବିରାଟ ବୋଇତ ପରି ।

ହିମାଚଳସମ ତରଙ୍ଗମାଳା ଊର୍ଦ୍ଧ୍ୱେ ଉଠୁଛି ପ୍ରଳୟ ତୋଫାନ ସହ,

ମୋ ମାଟି ଉପରେ କାହା ସନ୍ଧାନ ଖୋଜୁଛି ନ ହୋଇ ଥୟ ?

କାହା ଇଙ୍ଗିତେ କାହାର ଆଦେଶେ

ଆସିଅଛି ରଚି ଦୃପ୍ତ ସେ ଅଭିଯାନ !

ତାଣ୍ଡବ ରଚି ମହନଟସମ ଗାଉଚି ରୁଦ୍ରଗାନ ।

ପୃଥିବୀର କେଉଁ ଅଜଣା ଅଶୁଣା ମହାପାରୁ ଆସି

କରୁଅଛି ଏଠି ପ୍ରଳୟର ଅଭିନୟ ।

ଧ୍ୱଂସ କରିବ ବଂଶ କାହାର, ନିପାତ କରିବ କାହା ସମ୍ପଦ,

ପ୍ରତିହିଂସାର ପ୍ରତିଜ୍ଞା ବୁକେ ଜାଗିଛି ନ ହୋଇ ଥୟ !!

ଉଧୁଳି ଉଠୁଛି ଅସୀମ ଊର୍ଦ୍ଧ୍ୱେ, ରାଗେ ହୋଇ ଜରଜର,

ସେ ଯେ ଦୁର୍ଜୟ ସେ ଯେ ନିଃଶଙ୍କ, ସତ୍ୟର ତେଜେ ଦିଶେ କିବା ଭାସ୍ୱର !!

–୪–

ତା’ପରେ ଦେଖିଲ ଆକାଶ ଚୁମ୍ବୀ ଅସୀମ ହର୍ମ୍ୟମାଳା,

ଦୋହଲି ଯାଉଛି ମୂଳୁ ଚୂଳ ଯାଏ ,

ଗୋଟି ଗୋଟି କାହିଁ ଟଳି ପଡ଼ୁଅଛି କମ୍ପାଇ ଧରା ସାରା !!

ଲକ୍ଷ ଲକ୍ଷ କଳା ବେପାରୀର–

ପଇସାରେ ଯାର ଉନ୍ମତ ଶିର,

ମହା ସମୁଦ୍ରେ ପଡ଼ୁଅଛି ଟଳି,

ଅତଳ ଗରଭେ ସମୁଦ୍ର କାହିଁ ବୁଡ଼ାଇ ଦେଉଚି

କଳନା-ହେଉନି କରି !!

–୫–

କାନେ କାନେ ମୋର କିଏ ଯାଉଅଛି ଅବୋଧ ବାଣୀ କହି

‘‘ସତ୍ୟର ମହା ସମୁଦ୍ର ଦେଖ ଘୋର ଗର୍ଜନେ

ଆହୁରି ଆସୁଛି କମ୍ପାଇ ସାରା ମହୀ ।

ଯେତେ ଲାଞ୍ଚୁଆ ଯେତେ ଘରବୁଡ଼ା ଯେତେକ ଅତ୍ୟାଚାରୀ,

ବିରାଟ ଶୁଭ୍ର ଏ ମାଟି ଅଙ୍ଗେ ବୋଳୁ ଅଛନ୍ତି କାଳି,

ରହିବନି କାର କନକ ହର୍ମ୍ୟ ଧନ ସମ୍ପଦ ବଳ,

ରହିବନି କାର ବଂଶରେ ଜଣେ ଦେବାକୁ ଟୋପିଏ ଜଳ !

ମହା ସମୁଦ୍ର ନେଇ ଯିବ କାହିଁ,

ସତ୍ତା କାହାର ରଖିବ ତ ନାହିଁ,

ଅସତ୍ୟ କରି ତିଷ୍ଠି ପାରିବ କେତେ କାଳ କିଏ ଦେଖାଇ ସିଂହଠାଣି ?

ଚିର ନିଃଶଙ୍କ ନିର୍ମଳ ମନେ ସ୍ୱର୍ଗର ସୁଧା ଭୁଞ୍ଜି ପାରିବ କିଏ ?

ଯେଉଁଠି ରହିଛି ଜାଲୁଜୁଆ ଚୋର ନିର୍ମମ ସୟତାନି ।’’

–୬–

ତା’ପରେ ଦେଖିଲି ଦିଗ୍‌ବଳୟର ଏପାରୁ ସେପାର ଧରି,

ମହା ସମୁଦ୍ରେ ଲକ୍ଷ ମଣିଷ ମୁଣ୍ଡ ଭାସୁଛି,

ତରଙ୍ଗେ ଥରି ଥରି ।

କିଏ କାନ୍ଦୁଛି କେ ବୁଡ଼ି ଯାଉଛି ଶୁଭେ କା’ ଆର୍ତ୍ତରବ,

କନକ - ଭୂଷଣେ ମଣ୍ଡିତ ହୋଇ ଭାସୁଛି କାହାର ଶବ ।

ଉବେଇ ଟୁବେଇ ହୋଇ କେ ଯାଉଛି, ଧନ ସମ୍ପଦ ବାନ୍ଧିଚି ଦେହେ କଷି,

ତରଙ୍ଗମାଳା ନିରେଖି ଏସବୁ, ଯାଉଛି କି ଅବା

ନିର୍ମମ ହସ ହସି !!

ସତ୍ୟ ଶୁଦ୍ଧ ଶାନ୍ତ ନିରୀହ ମହା ଜନତାରେ ଚାହିଁ,

ଦିଗନ୍ତ ବ୍ୟାପୀ ମହା ସମୁଦ୍ର କହିଯାଉଛି ବା

ଗୁରୁ ଗମ୍ଭୀର ବାଣୀ ।

‘‘ଦେଖି ନିଅ ଏଇ ଅସୀମ ଜନତା ନିବିଡ଼ ପାପର,

ମହା ବିଷାକ୍ତ ପ୍ରାଣୀ !

ବିଶ୍ୱାସେ କିଏ ଢାଳିଅଛି କାହିଁ ଉତ୍କଟ ହଳାହଳ,

ଲାଞ୍ଚ ଖାଇ କେ ହଜାର ହଜାର ବୁଡ଼ାଇଛି ପର ଘର ।

ସତ୍ୟ ଉପରେ ପଦାଘାତ କରି ମିଛ ଆଶ୍ରୟ ନେଇ,

ଶତ ନିରୀହରେ ବାଟର ଭିକାରୀ କରି ଅଛି ଅବା କେହି ।

କଳା ବେପାରୀ କେ ସାଜି ଦିନକରେ ହୋଇଚି ଲକ୍ଷପତି,

ଲୁଣ୍ଠନ କରି ଶତ ନିଃସ୍ୱର ଝାଳ ବୁହା ସମ୍ପତ୍ତି;

ସୌଧ ଉପରେ ସୌଧ ଗଢ଼ିଛି ଚାଲିଛି ମଟର ଚଢ଼ି,

ଜନତାର ମେରୁଦଣ୍ଡ ଉପରେ କଠୋର ଆଘାତ କରି ।

ଅମୃତ ସମ ଏ ଯେଉଁ ଖାଦ୍ୟ ଯୋଗାଉଛି ଏଇ ମାଟି,

ବିଷାକ୍ତ କରି କିଏ ସେ ବିକିଛି କେଡ଼େ ଆଣ୍ଟ ତା’ ଛାତି ?

କେଡ଼େ ନିଷ୍ଠୁର କେଡ଼େ ସୟତାନ କେଡ଼େ ସେ ଅତ୍ୟାଚାରୀ ! !

କୋଟି ଜନତାର ଶୁଦ୍ଧ ଶୋଣିତେ ବିଷ ଦିଏ ସଞ୍ଚାରି ।

କ୍ଷମତା ଦଣ୍ଡ ହାତରେ ଯାହାର ଭୁଲି ସତ୍ୟର ବାଟ,

କେ’ କିଳା-ବେପାରୀ ପୁଞ୍ଜି ପତିଠୁଁ

ଲାଞ୍ଚ ନେବାରେ ବ୍ୟସ୍ତ କାହାର ହାତ ।

–୭–

ଆଖି ଫେଇ ମୁହିଁ ଯେତେ ଯେତେ ଚାହେଁ

କଳା ସୂତା ପରି ସୀମାହୀନ କେଉଁ ଦିଗ ଚତ୍ରର ତଳେ,

ମିଶି ଗଲା କାହିଁ ପାପ ଅନ୍ୟାୟ ରାଶି,

ଏଣେ ମୋ ସ୍ୱାଧୀନ ବିଚାଟ ଏ ମାଟି

ସୂର୍ଯ୍ୟର ସୁନା କିରଣେ ଉଠୁଛି ଥରି ଥରି ଉଦ୍‌ଭାସି ।

ବର୍ଷାର ସେ ଯେ ଘୋର ଗର୍ଜନ ନାହିଁ,

ପ୍ରଳୟ ତୋଫାନ ଦୂରେ ଦୂରେ ଗଲା କାହିଁ,

ମନ୍ଦ ମରୁତ ବହି ବହି ଆସେ ,

ଜାଗୁଚି ମୋ ମାଟି ନବ ଉଲ୍ଲାସେ,

ନାଇଁ ଭେଦ ନାଇଁ ଦ୍ୱନ୍ଦ୍ୱ କଳହ

ଚଉଦିଗେ ଖାଲି ସାମ୍ୟ ଶାନ୍ତ,ମହା ସତ୍ୟର–

ଅମୃତ ଝଳି ଫୁଟେ,

ପ୍ରତି ଅନ୍ତର ପ୍ରତି ଅନ୍ତରେ ପ୍ରେମ ଆଶ୍ଳେଷ ଖାଲି ଢଳିପଡ଼େ

ଜୀବନ ଫୁଲର ମୋହନ ଗନ୍ଧ ଦିଗ୍‌ବିଦିଗେ ଯେ ଛୁଟେ !!

–୮–

ପର ମନେକରି ସନ୍ଦେହ ଆଖେ କେ’ କାରେ ଚାହୁଁନି ବାରେ,

ଜଣେ କାନ୍ଦିଲେ ଆନ ଜଣେ ତା’ର ଆପଣାର କରି ଭାଳେ;

ସସୀମ ଦୁଃଖ ଅସୀମ ପରଶେ

ଅମୃତ କିବା ମରମେ ବରଷେ !

କାହାର ଯେପରି ଅଭାବ ଦୁଃଖ ଶୋଚନା ଟିକିଏ ନାଇଁ।

ନୀଳ ଆକାଶର କୋଟି ତାରା ପରି

ସବୁରି ହୃଦୟେ ନିର୍ମଳ ଝଳି,

ମଧୁବନ୍ଧନ ସବୁରି ଭିତରେ ଅଛି କାଳ କାଳ ପାଇଁ ।

–୯–

ବନ କାନ୍ତାର ପଥ ପ୍ରାନ୍ତର ନୀଳ ନଭତଳ ଶ୍ୟାମଳ ଶଇଳମାଳା,

ପଲ୍ଲୀ ନଗର ବିଲ ପଦା ହ୍ରଦ ସ୍ୱଚ୍ଛ ତଟନୀଧାରା,

ସବୁରି ଭିତରେ ଆନନ୍ଦମୟୀ ମଧୁ ଉଚ୍ଛାସ  ଅମୃତ ଛଇ–

ନାଚି ନାଚି ଯାଏ ,ହସି ହସି ଗାଏ କିବା ଅମୃତ ଗୀତି;

ଆକୁଳ ଅଥୟ ଚଉଦିଗ କିବା ନବ ବସନ୍ତ ସମ-

ବହି ମଣିଷ ମନର ନିରହଙ୍କାର କଲ୍ୟାଣ ଭରା ପ୍ରୀତି ।

ଏହାର ଭିତରେ ନଭଚାରୀ ପକ୍ଷୀସମ

କ୍ଲାନ୍ତ ନୋହି ମୁଁ ଉଡ଼ି ଯାଉଅଛି ଅମୃତ ଶିରୀ କରି ଯେ ଅନ୍ୱେଷଣ

ଯୁଆଡ଼େ ଯାଉଛି,ଯୁଆଡ଼େ ଚାହୁଁଛି ସଙ୍ଗୀତ ମୋର ବୁକୁରୁ ଝରୁଛି

ଚତୁର୍ଦ୍ଦିଗରୁ ଧରଣୀ ମାଗୁଛି ବୁକୁଭରା ବନ୍ଧନ !!

•••

 

ନିରାଶର ବିଶ୍ୱାସ !!

 

କହାଠି କି ଶିରୀ ରହିଛି ଗୁପତେ

କିଏ ବା ଜାଣିଛି କାହିଁ ?

ଜାଣିବାର ବେଳ ରହିଛି ବହୁତ

ସରି ନାହିଁ ! ସରି ନାହିଁ !

ଗୁହା ଅନ୍ଧକାରେ ଜନମିବି ପଛେ

ବତାଇବି ମୋର ବିଭା

ଖୋଜା ପଡ଼ିବି ମୁଁ ନିଶ୍ଚୟ ଦିନେ ଗୋ

ପଦ୍ମରାଗ ହୋଇ କିବା ! *

 

*

ଏ କବିତାଟି ୧୯୩୩ ମସିହାରେ ଲିଖିତ । ଏଇ ଲେଖକର ଆଜିକି ୨୫ ବର୍ଷ ତଳେ ପ୍ରକାଶ ପାଇଥିବା ’ଦୀପ୍ତି’ ନାମକ କବିତା ପୁସ୍ତକରୁ ଏ କବିତାଟି ଗୃହୀତ ହୋଇଅଛି ।

•••

 

ପାହାଡ଼ୀ ବଳିକାର ଅଭିସାର

 

ଏ ପାଖେ ପାହାଡ଼ ସେ ପାଖେ ପାହାଡ଼

ଚାରିଆଡ଼େ ଖାଲି ପାହାଡ଼ ମାଳା,

ବୁଡ଼ିଯାଏ ରବି, ପାହାଡ଼ ସେ ପାରେ

ଖେଳାଇ ମୋହନ ପାଟଳ ଧାରା

କିଏ ସେ ଆସୁଚ ପାହାଡ଼ୀ ବାଳିକା !

ନବ ଯଉବନୀ କନକ ଗୋରୀ ,

ବୁକୁରୁ ବସନ ଖସି ଖସି ପଡ଼େ

ଓଠେ ଫୁଟେ ନବ କମଳ କଳି !

ଏକାକୀ ଚାଲିଚ ଗୋଧୂଳି ବେଳାରେ

ପାହାଡ଼ର ପାଦେ ସବୁଜ କ୍ଷେତେ,

କାହାଲାଗି ତୁମ ମଧୁ ଯଉବନ ?

ନୀଳ ନୟନର ଚହାଣୀ ଯେତେ ;

ତୁମ ଏଇ ଓଠ ବାଜିବ ଯା’ ଓଠେ

ଏ ବୁକୁ ବାଜିବ ଯହାର ବୁକେ

ଏ ଆଖି କହିବ - ଯେ ଆଖିରେ କଥା

ଦିନ ତା’ ବିତିବ କି ଶିରୀ ସୁଖେ !!

ଚାଲ ବର ବଧୂ ! ଚାଲ ଗୋ ତୁରିତେ

ତୁମ ଲାଗି କିଏ ଥିବଟି ଚାହିଁ

ମରମେ ମରମ ଖୋଜୁଥିବ କେତେ

ସେନେହ ପରଶ ବୋଳିବା ପାଇଁ;

ରାତି ହୋଇ ଆସେ, ପଥ ଘାଟ ଏବେ

ନିଶୂନୁ ନିଶୂନ ହେଲାଣି ପରା,

ନୀଳ ନଭତଳେ ଗୋଟି ଗୋଟି ହୋଇ

ପଡ଼ିଲେଣି କେତେ ହୀରକ ତରା !

ଚାଲ ଚାଲ ତୁମେ ପାହାଡ଼ ଛଇଳୀ !

ଚହଟାଇ ତୁମ ମୋହନ ବାସ,

ସେ କେଉଁ ସୁଦୂର ପ୍ରଣୟୀର ଓଠେ

ଫୁଟାଇବା ପରା କନକ ହସ

ତୁମେ ଯାଉଅଛ ଯା’ ଲାଗି ଅଧୀରେ

ଆସୁଥିବ ଯେବେ ସେ ଅଧ ବାଟେ ,

କେଉଁ ବଣ ଖୋଲେ ଭେଟିବ ତାହାରେ

କିବା କୋଟି ନିଧି ପାଇବ ହାତେ !

ଯୁଗଳ ବିହାରେ ସେ ବିପିନ ମାଳେ

ଜୋତ୍ସନା ବିଭାସେ ବୁଲିବ ତହିଁ

ପ୍ରତି ଓଠୁ ଯେଉଁ ହସ ଫୁଟୁଥିବ

ପିଉଥିବ ବେନି,ବେନିରେ ଚାହିଁ ;

ଏ ପାଖେ ପହାଡ଼ ସେ ପାଖେ ପହାଡ଼

ସେ କେଉଁ ପାହାଡ଼େ ଭେଟିବ ତାରେ

ଚାଲ ଚାଲ ତୁମେ ପାହାଡ଼ୀ ବାଳିକା !

ମିଶିଯାଅ ଦୂର ପାହାଡ଼ ମାଳେ;

ବୁକୁତଳେ କେତେ ମୋହନ ବାସନା

ଫୁଟି ଉଠୁଥିବ ଆବେଗ ଭରେ ,

କି ଭଳି ଚାହିଁବ ପହିଲି ଦେଖାରେ

କି କଥା କହିବ ଅଧର ତଳେ !

କି ଭଳି ହସିବ ମୁଡୁକି ମୁଡୁକି,

ପ୍ରଥମ ପରଶ ବାଜିଲେ ଦେହେ

ଥର ଥର କରି, ଥରି ଉଠୁଥିବ-

ସେ ନବ ଯୁବାର ଅସୀମ ସ୍ନେହେ;

ସୀମା ହୀନ ମଧୁ- ମମତା ଡୋରିରେ

ଯୋଡ଼ି ହୋଇଯିବ ସେ ଯୁବା ସହ

ଏ ଦେହ ମନର ଯେତେ ବଇଭବ

ଢାଳିଦେବ କା’ରେ ହୋଇ ଅଥୟ !

ହସି ହସି ପ୍ରାଣ- ଅସର ସୁଷମା

କାହାରେ ନମିଷେ ଦେବ ଗୋ ଦେଇ,

ସେ ଲାଗି ଚାଲୁଚ କି ମଧୁ ଆବେଶେ

ପାଦ ଅବା ତଳେ ପଡ଼ଇ ନାଇଁ !

ଦୂରୁ ଦୂରେ କା’ରେ ନିରେଖି ଚାହୁଁଚ

ବେଳେ ବେଳେ ନୀଳ ଭ୍ରୂଲତା ଟେକି,

ପ୍ରିୟ ପରି ତବ, କା ସ୍ୱରୂପ ଛାୟା

ସେ ବନ ପାହାଡ଼େ ଦିଶି ଯାଏ କି ?

କି ସପନ ଦେଖି ହୃଦୟ ତୁମରି

ଉଲସି ଉଠୁଛି କି ମଧୁ ଆଶେ

ଯେତେ ବେଗି ବେଗି ଯାଉଛ ଆଗକୁ

କପାଳ ଉଜ୍ଜଳେ କି ନବ ଭାସେ !

ଏ ପାଖେ ପାହାଡ଼ ସେ ପାଖେ ପାହାଡ଼

ବହି ଆସେ ଦୂରୁ ପାହାଡ଼ୀ ବାଆ

ରଜତ ଜୋଚ୍ଛନା ଶୀତଳ ବିଭାସେ

ହସି ଉଠେ ବିଲ ପଡ଼ିଆ ଗାଆଁ

ଏ ମହା ସପନ ପାରବାରେ ତୁମେ,

ଭସାଇ ତୁମରି ତରୁଣୀ ତନୁ

ଭାସି ଭାସି ତୁମେ ଯାଉଛ କୁଆଡ଼େ

ସକଳ ଦଇନି ବିସୋରି ମନୁ

ପରାଣ ପ୍ରେମିକ କରିଛ ଯାହାରେ

ହୃଦୟର ସୁଧା ଅଜାଡ଼ ଦେଇ

ତା’ ତହୁଁ ଧରାରେ ଏ ମଧୁ ଜୀବନେ

ଅଧିକ ଆଉ କି ଦିଶିବ କେହି ?

ମରି ଶୋଇଥିଲେ, ମଡ଼ା ହୋଇ ସେ ତ

ଦିଶିବ ମୋହନୁ ମୋହନତର

ଲୋତକେ ପଖାଳି କରିବ ଆହୁରି

ନିଜରୁ ନିଜର ଅସୀମ ଥର ;

ମମତା ସେ କିବା ମହୁରି ତା’ଆଗେ

ମରଣେ ଯେ ଢାଳେ ଅମର ସୁଧା

ମରିପାରେ କି ସେ ? ଯାହା ଲାଗି ତା’ର

ଜାଗିଚି ମରମେ ମୋହନ କ୍ଷୁଧା;

ସେ ମମତା ମଧୁ- ମୋହନ ଛଇରେ

ଛଇଳୀ ତୁମେ ମୋ ଲହୁଳୀ ବାଳା

ଦୂରରୁ ଦୂରକୁ ଚାଲିଥାଅ ତୁମେ

ପାଦେ କୁଶ ଫୁଟୁ କି ଅଛି ଭରା ?

ଏ ପାଖେ ପହାଡ଼ ସେ ପାଖେ ପାହାଡ଼

ବହିଆସେ ଦୂରୁ ପାହାଡ଼ୀ ବାଆ ;

ତୁମର କେଶର କିଆଫୁଲ ବାସ

ଉଡ଼ି ଚହଟାଉ ପାହାଡ଼ ଗାଆଁ

ଜୀବନେ ଯାହାକୁ ଆପଣା କରିଚ

ଆପଣା ତୁମକୁ କରି ସେ ନାହିଁ ?

ଯେତେ ବାଧା ଆସୁ ଏ ପାରେ ସେ ପାରେ

ଛାଡ଼ବାଡ଼ କେବେ ହେବ କି କାହଁ ?

•••

 

ମୁକ୍ତି ଓ ମିଳନ

 

କବିତାଟି ଗଞ୍ଜାମ ଜିଲ୍ଲା ମାଳ ଅଞ୍ଚଳର ଗୋଟିଏ କିମ୍ୱଦନ୍ତୀକୁ ନେଇ ଲିଖିତ । ଗଞ୍ଜାମର ମାଳ ଅଞ୍ଚଳରେ ଗୋଟିଏ ସୁନ୍ଦରୀ ଆଦିବାସୀ ବାଳିକା ଥିଲା। ସମତଳ ଅଞ୍ଚଳର ଜଣେ ତରୁଣ ସହିତ ତାହାର ଆଗରୁ ସ୍ନେହ ପରିଚୟ ଥିଲା । ବଳିକାଟିର ବାପା, ମାଆ ଏବଂ ମାଳ ଅଞ୍ଚଳର ଆଦିବାସୀ ମାନଙ୍କର ଦଳପତି, ତାହାର ପ୍ରେମିକ ସହିତ ସକଳ ସମ୍ପର୍କ ଛାଡ଼ି ଦେବାକୁ କହିଲେ । ବାଳିକା ଏଥିରେ ରାଜି ହେଲା ନାହିଁ । ତାହାର ପ୍ରେମିକ ମାଳ ଅଞ୍ଚଳକୁ ଆସିବାରୁ ତାକୁ ଦଳପତି, ଗୋଟିଏ ପର୍ବତ ଗୁମ୍ଫାରେ ବନ୍ଦୀକଲେ । ଆଦିବାସୀ ବାଳିକା ପର୍ବତ ଗୁମ୍ଫା ନିକଟକୁ ଆସି ତାହାର ପ୍ରେମିକକୁ ଛାଡ଼ି ଦେବା ପାଇଁ ଅନୁନୟ କଲା। ତାହାର କାତର ପ୍ରାର୍ଥନା କେହି ଶୁଣିଲେ ନାହିଁ । ପ୍ରେମ ପାଗଳିନୀ ବାଳିକା ଅର୍ଦ୍ଧରାତ୍ରି ସମୟରେ ଗୁମ୍ପୁର କବାଟରେ ତିନି ଥର ହାତ ମାରିବାରୁ କବାଟ ଆପେ ଆପେ ଫିଟିଗଲା ଏବଂ ଉଭୟଙ୍କର ମିଳନ ହେଲା !

 

’ପାହାଡ଼ୀ ବଳିକାର ଅଭିସାର ’କବିତାଟି ଏହି କବିତାର ଗୋଟିଏ ଅଂଶ ।

 

–୧–

ମରିବି ନାଇଁ ମୁଁ ମରିବି ନାଇଁ

ବଞ୍ଚି ରହିବି ତାହାରି ପାଇଁ

କିଏ ତାରେ କିଆଁ କଇଦି କଲ ?

କି ଦୋଷ ସେ ତବ କରିଛି କାହିଁ ?

ଆସିଥିଲା ସେ’ତ ମୋହରି ପାଇଁ

ମରୁଛି ସେ ଆଜି ମୋହରି ପାଇଁ

ଛାଡ଼ିଲେ ଛାଡ଼ିବି ଧରାରେ ସବୁ

ତା’ରେ ଏ ବୁକୁରୁ ଛାଡ଼ିବି ନାଇଁ !

–୨–

ସେ ଦେହ ଏ ଦେହେ ଯାଇନି ବାଜି,

ସେ ଆଖି ଦେଖିନି ଏ ଆଖି ଠାର ,

କେତେ ଆଶା ଧରି ନଥିବ ଆସି

ତେଜୁଥିବ କାହିଁ ଲୋତକଧାର !

ସେ ଓଠ ପିଇନି ଏ ଓଠ ମହୁ

ଲୋଡ଼ିଥିବ କେତେ ପିଇବା ପାଇଁ,

ସେ କେଉଁ ବିଜନ ଅନ୍ଧକାରେ

ଫିକା ପଡ଼ି ରହିଥିବ ବା କାହିଁ !

–୩–

ଭାଳି ହେଉଥିବ ନୀରବେ କାହିଁ ,

ମୋ ପାଖେ ନିୟତ ରହିବା ପାଇଁ

କେ ତା’ର ରଖିଲ କଏଦୀ କରି

ମନ କଥା ଜାଣି ପାରିଲ ନାଇଁ ।

ମନର ଆଶା ତା’ ମନର ଆଶା

ବଉଳି ଥଆନ୍ତା ଫଗୁଣ ରାତେ,

ମଉଳି ଗଲା ସେ ମଉଳି ଗଲା

କି ଅବା କୁହୁଡ଼ି ବରଷା ବାତେ !

–୪–

କିଏ ସେ ଜଗୁଆ ଜଗିଛ ତୁମେ !

ଦିଅ ମତେ ଆଜି ଦିଅରେ ଛାଡ଼ି,

ସେ କେଉଁ ପାହାଡ଼ ଗୁମ୍ଫା ତଳେ,

ନିର୍ମମେ ତାରେ ଦେଇଛ ମାଡ଼ି ।

ତାହାଠି ତୁମର କି ଅଧିକାର ?

ତୁମରି ସେ କ’ଣ କରିଛି କ୍ଷତି ?

କାହିଁକି ରଖିଛ ବାନ୍ଧି ତାରେ ?

ହରିଛି ତୁମର କି ସମ୍ପତ୍ତି ?

–୫–

ବନ୍ଦୀ ହେଲେ ସେ ବନ୍ଦୀ ହେବ

ମୋହରି ହୃଦୟ ପଦ୍ମ ତଳେ,

ଛନ୍ଦି ହେଲେ ସେ ଛନ୍ଦି ହେବ

ମୋ ଭୁଜ ମୃଣାଳ ବେଷ୍ଟନରେ !

ମୋହରି ସେନେହ ମୋହରି ପ୍ରେମ–

କି ଭଳି ବିଶାଳ ହୃଦୟ ଭରା ?

ଭାଙ୍ଗି ଏ କାରା-କବାଟ ପଟ-

ମୁକ୍ତ ତାହାର ଆଣିବ ତ୍ୱରା ।

–୬–

ଜାଣିନ ଜାଣିନ ଜାଣିନ ତୁମେ !

କାଳ କାଳ ଧରି ମୋ ବୁକୁ ତଳେ,

କାନ୍ଦୁଛି ଜଣେ ଚକୋରୀ ପରି

ତାହାକୁ ଦେଖିବା ପାଇଁ କି ଥରେ ।

ତୁମେ କି ପାରିବ ତାହାରେ ରଖି

କଲବଲ କରି ସେ କେଉଁ ଗାଡ଼େ ?

ଜାଣନା କି ମହା ଅଗ୍ନି ଜଳେ

ମୋ ଯୌବନର ଅନ୍ତରାଳେ !

–୭–

କିଏ ସେ ଅଛରେ ଜଗୁଆ ତୁମେ !

ଏ କାରା-କବାଟ ଫିଟାରେ ଫିଟା

ଧମକ ଚମକ ଦେଖାଅ କାରେ ?

ବିରାଟ ସେନେହେ ମୋ ଦେହ ପିଟା !

ଏ ବଣ ପାହାଡ଼ ଯିବରେ ଥରି,

ଦୁଲୁକି ଉଠିବ ଆକାଶ ମାଟି,

ମଧୁ ବଧନ ତା’ ତୁଲେ ମୋର

ଯେବେ କେ’ ଧରାରେ ଦେବରେ କାଟି ।

–୮–

ଶୁଣରେ ପାହାଡ଼ ! ଶୁଣରେ ବଣ !

ଶୁଣରେ ନିବିଡ଼ ନିଶିଥ ରାତି !

ଶୁଣ ଝର ଝର ଝରଣା ଧାରା

ଶୁଣରେ ଆକାଶ ଶୁଣରେ ମାଟି !

ଗୋଟିଏ ଆତ୍ମା ପୃଥିବୀ ପରେ

ଯେ ମୋରେ ଦେଇଛି ଜୀବନ ଢାଳି,

କାନ୍ଦୁଛି ସିଏ କେଉଁଠି ରହି,

ଜୀବନ୍ତେ, ତାକୁ ଦିଅନା ମାରି ।

–୯–

ମୋର ଏଇ ଓଠ ମୋର ଏ ଆଖି

ଯାହାକୁ କେବଳ ରହିଛି ଚାହିଁ,

ଅନ୍ତର ମୋର ଯା ଅନ୍ତରେ

ଖୋଜୁଛି, ସେ ମୋର ହୋଇବ ନାହିଁ ?

ତାହାର ମୋହର ମରମ ଯେବେ

ଏକ୍ ଏକ୍ ଭିନ୍ନ ନୁହେ,

ତାହାର ମୋହର ସେନେହ ଯେବେ

ପରସ୍ପରେ ନିବିଡ଼େ ଛୁଏଁ,

–୧୦–

ତାହାର ମୋହର ଆତ୍ମା ଯେବେ

କାନ୍ଦି କାନ୍ଦି ରହିଛି ଚାହିଁ,

ଏ ମାଟି ଉପରେ ଏଇ କ୍ଷଣେ

ତାହାର ମୋହର ମିଶିବୁ ନାଇଁ ?

ଫିଟରେ ଫିଟରେ କବାଟ ଫିଟ ।

ଏଇ ହାତ ମାରେ ଫିଟରେ ଫିଟ !

ପୁଣି ହାତ ମାରେ ତୃତୀୟ ଥର,

ଦେଖିବି ସତ୍ୟ ସତ କି ମିଛ ?

–୧୧–

ଫିଟିଲା ଫିଟିଳା କବାଟ ଏଇ

କିଏ ସେ ବନ୍ଦ ପାରିବ କରି ?

ସେନେହେ ଯେବେରେ ସତ୍ୟ ଥାଏ,

ଆକାଶୁ ସ୍ୱର୍ଗ ପଡ଼ିବ ଝଡ଼ି !

ମୋହରି ପ୍ରାଣର ପ୍ରାଣ ହେ ତମେ ।

ତୁମରେ କରିବ କେ’ ହଟହଟା

ବଂଚିଥିଲେ ମୁଁ ଜୀବନ ଧରି,

ଫେରିଯିବ ସବୁ ଯେ ଘନଘଟା ।

–୧୨–

ଆସ ମୋର ସଖା ଆସ ହେ ନାଥ ।

ସକଳ କଣ୍ଟା ଯାଇଛି ଚାଲି,

ଜାଣି କି ଥିଲି ମୁଁ ଏ ଆଖି ଦିନେ

ଜୀବନେ ତୁମରେ ଦେଖିବ ବୋଲି ?

ଏ ବଣ ପାହାଡ଼ ଝରଣା ଧାରେ

ତୁମର ମୋହର ବସିବା ଚାଲ ।

ମୁଁ ଗୀତ ଗାଇବି ଶୁଣିବ ତୁମେ

ତୁଟିବ ପ୍ରାଣର ବେଦନା ଭାର ।

–୧୩–

ଏ ବଣ ପାହାଡ଼ ବିଜନ ଭୂଇଁ

ଆମରି ପରଶେ ଉଠିବ ହସି

କିଏ ସେ କାହାର କରିବ କିସ ?

ଜଣେ ଜଣକରେ ଉଠିଲେ ରସି ।

ହସି ଖେଳି ନାଚି ସୋହାଗ ଭରେ

କାଟି ନେବା ଆମ ଜୀବନ କାଳ

ଦୁଃଖ ଦଇନି କି ଅବା ଥାଏ ?

ଆମେ ବେନି ଯେବେ ଗଳାର ହାର ।

•••

 

ରହିଥାଅ ତୁମେ !

 

ରହିଥାଅ ତୁମେ ! ରହିଥାଅ ଏଥି,

ହସି ଖେଳି ଏଇ ପାହାଡ଼ୀ ଗାଏଁ,

ଦିଅ ମୋରେ ଆଜି ଦିଅଗୋ ! ବିଦାୟ

ସୁଦୂର ମୋ ଦେଶେ ମୁଁ ଚାଲିଯାଏ;

ରହିଥାଅ ତୁମେ ରହିଥାଅ ଏଠି

ଏ ବଣ ପାଦପ ଲତିକା ପରି

ମନ ପରସନେ, ମଧୁ ଆଳାପନେ,

ପ୍ରିୟଜନ ଭଲେ ଦିବସ ହରି ।

ରହିଥାଅ ତୁମେ ! ରହିଥାଅ ଏଠି,

ମୋ ପାଇଁ କାହିଁକି ଭାଳେଣି ଏତେ ?

କି ଶିରୀ ବିଭବ ଦେଇଚି ତୁମରେ

ବୁଝୁନ କାଇଁକି କହିଲେ ଯେତେ ?

ରହିଥାଅ ତୁମେ ରହିଥାଅ ଏଠି

ଆଉ କାହିଁପାଇଁ ଆସ ମୋ ତୁଲେ ?

କେତେ ଦୂରେ ତୁମ ଗାଆଁ ରହିଲାଣି

ବାଟ କଟିଯାଅ ଆପଣା ପୁରେ;

କେତେ ଦୂରେ ଗାଆଁ ପୋଖରୀ ଦେଉଳ

ନଈ ନାଳ ସେତୁ ଗଲାଣି ରହି,

ଏକାକୀ କିପରି ଯିବି ଏତେ ଦୂରେ

ରାତି ହେବ, ବେଳ ଆସୁଛି ଲଇଁ ।

ଫେରିଯାଅ ଏବେ ଫେରିଯାଅ ତୁମେ

କୋହ ଲୁହ ହୋଇ ଚାହିଁଚ କିଆଁ ?

କେଡ଼େ ନିଠୁର ମୁଁ ଚାଲିଯାଏ ଦୂରେ

ବିସୋରି ଏ ମଧୁ ମୋହନ ହିଆ ।

ଫେରିଯାଅ ତୁମେ ଫେରିଯାଅ ଗାଏଁ

ଅଧବାଟୁ ବେଶି ଆସିଛ ଚାଲି,

କୁଟୀରେ ତୁମରି ବାପା ମାଆ ଭାଇ

ତୁମ ଲାଗି ହେଇଥିବେଟି ଭାଳି ।

ମୋ ଲାଗି କାହିଁକି ଏତେ ନିର୍ଯାତନା

ସହିବ ଗୋ ତୁମେ କଅଁଳ ପ୍ରାଣେ ?

ତୁହ ମୋ ଭିତରେ ମଧୁ ଦବା ନବା

ତୁମେ ଜାଣ ଆଉ ମୁହିଁ ଗୋ ଜାଣେ ।

ଏ ଶିରୀ ଟିକକ କାଳ କାଳ ଧରି

ଅସୀମ ଦୀପନେ ଥିବ ଗୋ ରହି !

ତୁମରି ଲୋଚନୁ ଲୋତକ ବହିଲେ

ମୋ ହୃଦ କି ବାରେ ପାରିବ ସହି ?

ଫେରିଯାଅ ତୁମେ ଫେର ଗୋ କୁଟୀରେ

କାହିଁପାଇଁ ଏତେ ରହିଛ ଚାହିଁ ?

ଏ ବଣ ପାହାଡ଼ ତଟିନୀ ସିକତା

ତୁଲେ ତୁମେ ମନେ ପଡ଼ିବ ନାଇଁ ?

ଜାଣିତ ନଥିଲି, ଜୀବନେ ତୁମରେ

ଦେଖିତ ନଥିଲି ନୟନେ ଥରେ,

ମୋ ପାଇଁ ଗୋଟିଏ ଫୁଲ ଫୁଟି କାହିଁ

ବାସ ଚହଟାଏ ଧରଣୀ ପରେ,

ସେ ବାସ ମହକେ ଏ ଜୀବନ ଯେବେ

ମହକି ଉଠିଛି କ୍ଷଣିକ ପାଇଁ,

କେସନେ ବରଜି- ପାରିବି ପରାଣୁ ?

ଚାଲିଯିବି ସିନା ସୁଦୂରେ କାହିଁ ।

ଶଇଳ କାନନ ଶ୍ୟାମ ବଇଭବେ

ତୁମରେ କେତେ ମୁଁ ଦେଖିନି ସତେ ?

କେତେ ମୁଁ ଗାଇଛି ମୋହନ କବିତା

ତୁମକୁ ବିଚାରି ମାନସପଟେ ।

ହସିଛି କେତେ ମୁଁ ବିମୋହନ ହସ

କି ଅବା ବିକଚ କୁସୁମ ସମ ।

ପାଇଛି କି ଅବା ମୋହନ ମାଧୁରୀ

କିବା ସେ ପରାଣ ଅତୁଳ ଧନ ।

ଲୋତକେ ଲୋତକେ ଫୁଟୁଛି ଏ ଯେଉଁ–

ଅସୀମ ବେଦନା ? ବେଦନା ସେ କି ?

ମହା ଜୀବନର ମୋହନ ବିଭବ

ଚଉଦିଗେ ହୋଇ ଲେଖି ।

ଫେରିଯାଅ ତୁମେ କୁଟୀରେ ତୁମରି

ବିଲ ବନ ନଈ ପାହାଡ଼ ଘେରା

ଦେଖୁଥିବ ଗୋରୁ ଗୋଠରୁ ଫେରିବା

ଉଡ଼ିବାର ଶୁଆ ଶାରୀ ଓ ଏରା

ତୋଳୁଥିବ କେତେ କୁଟଜ ସୁମନ

ବଣରୁ ବଣକୁ ସୋହାଗେ ବୁଲି,

ଗାଉଥିବ କେତେ ମୋହନ କବିତା

ମଧୁ ତାନେ, ବୁଲି ଉଠିବ ପୂରି ।

ହସି ଖଳି ଦିନ- କାଟି ନଉଥିବ

ସେଇ ହସ ଖେଳ ଜୀବନ ତଳେ,

ମୋର ଯେବେ ଲବେ ଅନୁଭବୁ ଥିର,

କି ଶିରୀ ମୋର ସେ ଧରଣୀ ପରେ ।

ଫେରିଯାଅ ତୁମେ, ଫେର ଗୋ କୁଟୀରେ

ମୁଁ ଫେରିବି ମୋର ସ୍ୱଦେଶ ଯହିଁ-

ଶାଳିଆ ସାପୁଆ, ସୋଲରୀ ଭାଲେରୀ

ଚିଲିକା ଫୁଟାଏ ମୋହନ ଛଇ

ବିପିନୁ ବିପିନେ, କେଦାରୁ କେଦାରେ

ତଟନୀ-ସିକତା-ରଜତ-ଶେଯେ,

ବୁଲୁଥିବି କାହିଁ କି ମଧୁ ସପନେ–

ଢଳି ଢଳି କିବା ପୁଲକ, ସେ’ ଯେ !

ଏ ସବୁ ଭିତରେ ତୁମ କଥାଟିକ

ନୁହେତ କଦାପି ପାଶୋରିବାର,

ପରାଣ ଦେଉଳେ ଦାଉ ଦାଉ ଦାଉ

ଜଳୁଥିବ କିବା କନକ ଗାର ।

ଫେରିଯାଅ ତୁମେ ଫେର ଗୋ କୁଟୀରେ

ଲେଉଟି ଚାହୁଁଚ କେତେ ଯେ ମତେ ।

ମନ ତ ମାନୁନି ଫେରିଯିବା ପାଇଁ

ଚାହୁଁଚ ଚାଲିବ ମୋହରି ପଥେ;

ଜଣେ ଜଣକରେ କି ମଧୁ ଧିଆନେ

ଆପଣାରେ ଦିଏ ସୋହାଗେ ଢାଳି ;

କି ନିଧି ପାଏ ସେ, ମରମେ ମରମେ

କେତେ ବାଧେ ଗଲେ ନିମିଷେ ଛାଡ଼ି ।

ସେ ବାଧା ଭିତରେ କି ଶିରୀ ଖୋଜେ ସେ

ତିନି ଭୁବନେ ଯା’ ନଥିବ କାହିଁ,

ବସୁଧାର ଏ’ଯେ ମୋହନ ମାଧୁରୀ--

ପରଶେ ପରାଣ ଆଉ କି ପାଇ ?

ଫେରିଯାଅ ତୁମେ, ଫେରିତ ପାରୁନ

ଅଧବାଟୁ ଫେରି ସେ ଗଛମୂଳେ

ଠିଆ ହୋଇ ମୋତେ, ରହିଅଛ ଚାହିଁ

କି ଭଳି ରହିବ ଏତେକ ଦୂରେ ?

ମମତାର କିବା ମହା ପାରାବାରେ

ଭସାଇ ଦେଇଛ ପରାଣ ତରୀ ।

ଭାସି ଭାସି ତୁମେ ଯାଉଚ କୁଆଡ଼େ

ପାରିଲେ ପାରୁନ କଳନା କରି ।

କି ମହା ବିସାରେ ବିସାରି ଦେଇଛ

ଆପଣା ଟିକକ ଅସୀମ ସହ

ଆକାଶ ଅବନୀ ଚଉଦିଗ ଭରି

କିଭଳି ଦିଶୁଛ ଜୀବନମୟ ।

ଫେରିଯାଅ ତୁମେ । ଫେରିତ ଯାଉଛ

ସଧୀର ଚରଣେ ଅଧୀର ହୃଦେ,

ବେଳେ ବେଳେ କିଆଁ ଅଟକି ଯାଉଛ

ଦୂର ବନ ନଈ ସିକତା-କୁଦେ ?

ପଛକୁ ଚାହିଁଲେ ମୁଁ ଦିଶୁ ନଥିବି,

ଆଗକୁ ଚାହିଁଲେ କେହି ତ ନାଇଁ

ଲୁହ ତେଜି ତେଜି ମଧୁ ଅନୂଭବେ

କି ମୋହନ ଶିରୀ ପାରୁଛ ପାଇଁ ?

ସେଇ ଅନୁଭବେ ଦିଶୁଥିବ ସବୁ

ଝଲସି ଝଲସି ନୟନେ ତବ;

ମଣି ମୁକୁତାର ଜୀବନରୁ ବଳି,

କି ବିରାଟ ନୁହେ ହୃଦ ବିଭବ !!!

ଫେରିଯାଅ ତୁମେ ଫେରିତ ଗଲଣି

ନିମିଷେ ଯିବଣି କୁଟୀରେ ଚାଲି

ନୟନ ବିସାରି ଯେତେ ମୁଁ ଦେଖିଲେ

ଦେଖେ ବନ ବିଲ ପାହାଡ଼ ଖାଲି;

ତୁମେ ଦେଖୁଥିବ ଚାରିଆଡ଼େ ଯେବେ

ଦେଖୁଥବ ଗାଆଁ ପାହାଡ଼ ନଈ

ମୋ ଭିତରେ ତୁମେ, ମୁଁ ତୁମ ଭିତରେ

ବସା କରି ପରା ଯାଇଛେ ରହି ।

ଦେଖିଲେ ଦେଖିବି ତୁମକୁ ମୋହରି

ବୁକୁର ଅତଳ ମରମ ତଳେ,

ତୁମେତ ଦେଖିବ, ତୁମ ହୃଦବେଦୀ

ମୋ ଘେନି ହସୁଛି କନକ କରେ ।।

•••

 

ମୁଁ ଓ ଦୁନିଆ

 

ଏଇ ମହା ଦୁନିଆରେ ସମସ୍ତେ ତ ହସି ଖେଳି ରହିଛନ୍ତି,

ମୁହିଁ କପାଁ ବ୍ୟର୍ଥତାର ସୀମାହୀନ ପାରବାରେ-

ଉବେଇ ଟୁବେଇ ହୋଇ ଚାଲିଛି ନିୟତ ?

ମୁଁ ଯେତେ ଚେଷ୍ଟା କରୁଛି ସମସ୍ତଙ୍କ ପରି ରହିବି

ରହି ପାରୁନି,

ଅନେକ ସମୟରେ ଧରଣୀର ଅତଳ ଗର୍ଭରେ

ପଡ଼ିଯାଉଛି ;ଆଖିରୁ ଲୁହ ବୋହୁଚି,

ସେ ଲୁହର ପ୍ରତି ବିନ୍ଦୁ ପୋଛି ପୋଛି

ତଥାପି ଆଶା ରଖି ଚାଲିଚି !

ମୁଁ ତେବେ କ’ଣ ଏଇ ପୃଥିବୀର

ସକଳ ଜୀବନରୁ ଭିନ୍ନ ?

ମୁଁ ଯାହା ଚାହୁଁଛି, ଯାହା ଲୋଡୁଚି

ପାଇପାରୁନି ।

ମୁଁ ଚାହୁଁନି ତିନିତାଲା କୋଠା,

ମୁଁ ଚାହୁଁନି କ୍ଷମତାର ରାଜସିଂହାସନ,

ମୁଁ ଚାହୁଁନି ଟଙ୍କା ପଇସା, ମଣି ମୁକ୍ତାର ବୁଜୁଳା ;

ମୁଁ ଚାହୁଁଚି ଗୋଟିଏ ସ୍ୱାଧୀନ ସୁନ୍ଦର ଜୀବନ !

ମୁଁ ଚାହୁଁଚି ଗୋଟିଏ ଆନନ୍ଦମୟ ରାଜ୍ୟ ।

ମୁଁ ଖୋଜୁଛି ଗୋଟିଏ ହୃଦୟବାନ ଆବାସ;

ମୁଁ ଯେଉଁଠି ଏ ସବୁର ସନ୍ଧାନ ପାଉନି

ତାକୁ ପଦାଘାତ କରିଆସିଛି ;

ମୋ ଜୀବନ ସାରା ଧରି;

ଫଳରେ ମୁଁ ଦୁଃଖ କଷ୍ଟ, ଅଭାବ ଅସନ୍ତୋଷ ପାଇଛି ।

ମତେ ଲୋକେ କହିଛନ୍ତି ଏ ପାଗଳ,

ଏ ଦୁର୍ବଳ, ଏ ମନୁଷ୍ୟ ସମାଜର ଅପଦାର୍ଥ ପ୍ରାଣୀ;

ମୁଁ ସିଇତାନକୁ ଗୋଇଠା ମାରି ଆସିଛି

ତା’ର ଦାସ ହୋଇ,

ସୁଖ ଶାନ୍ତିରେ ରହିବାଠୁ

ବରଂ ବାଟର ଭିକାରୀ ହୋଇ

ବଞ୍ଚି ରହିବା

ଗୌରବମୟ ବୋଲି ବିଚାରିଚି ।

ଦୁନିଆରେ ତୁମେ ଯେଉଁଠି

ଲୋକମାନଙ୍କୁ ଦେଖୁଛ

ସୀମାହୀନ ପ୍ରାଚୁର୍ଯ୍ୟ ଭିତରେ

ହସି ଖେଳି ଚାଲିଚନ୍ତି

ଏମାନେ ସମସ୍ତେ

ସଇତାନର

ପାଦ ତଳର

କୁକ୍‍କୁର;

ଏମାନେ ସମସ୍ତେ ଅଇଁଠାଖିଆ

ଏମାନଙ୍କର ଯେ ବଡ଼ଲୋକୀ,

ଏମାନଙ୍କର ଯେ ଗର୍ବ ଆନନ୍ଦ,

ତା ଭିତରେ ଜୀବନ ନାଇଁ;

ଏମାନେ ସମାଜର, ଦେଶର, ଜାତିର,

ରାଷ୍ଟ୍ରର, କଳଙ୍କର ବିରାଟ ପାହାଡ଼ !

ଏମାନେ ହତ୍ୟାକାରୀ, ଏମାନେ ଶଠ,

ଏମାନେ ଚୋର, ଡାକୁ,

ଏମାନଙ୍କୁ ଚିହ୍ନିବା ବଡ଼ କଷ୍ଟ, ବଡ଼ ଦୁଃସାଧ୍ୟ !

ମୁଁ ମୋର ଏଇ ମାଟିର କୁଡ଼ିଆ ଭିତରେ

ଶାଗ ପେଜ ଖାଇ ବଞ୍ଚି ରହିଛି ।

ଏଠି ମୁଁ ଶାନ୍ତି ପାଏ, ଆନନ୍ଦ ପାଏ,

ଗୌରବ ଅନୁଭବ କରେ ;

ମୋର ସ୍ତ୍ରୀ, ମୋର ଝିଅ, ମୋର ନାତି

ଏମାନେ ମୋରି ଦୁଃଖୀ କୁଟୀରର

ଆଦରର ସମ୍ପଦ;

ଏମାନଙ୍କ ହସରେ କୃତ୍ରିମତା ନାଇଁ

ଏମାନଙ୍କ ହୃଦୟ ବିଷରେ ଜର୍ଜରିତ ନୁହେଁ

ଏମାନଙ୍କ ବସନ ଭୂଷଣ ସାଧାରଣ

ଚୋରୀ ଡକାୟତି ଧନରେ ଏ ସବୁ କିଣା ଯାଇନି;

ଆମର ବଡ଼ଲୋକୀ ଆମର ଅମୃତମୟ ଅନ୍ତର !

ମୁଁ ଦେଖେ ମୁଁ ମୋ କୁଟୀରର ସମସ୍ତେ

ପୋଖରୀ ଭିତରେ ପଦ୍ମ ପରି

ଶୁଦ୍ଧ, ସ୍ୱଚ୍ଛ, ଆନନ୍ଦ ଢଳ ଢଳ !

ଦୁନିଆକୁ ଠକିଠାକି ଦୁନିଆର ଆଖିରେ ଧୂଳି ପକାଇ

ପଇସା କମାଇବା ଆମର କାହାର ଲକ୍ଷ୍ୟ ନୁହେଁ;

ଦୁନିଆକୁ ଭଲ ପାଇବା ଆମର ଲକ୍ଷ୍ୟ

ଦୀନ, ଦୁଃସ୍ଥ, ରୁଗ୍‌ଣ, ପଙ୍ଗୁ, ପଦାନତ–

ଅତ୍ୟାଚାରିତ ନିସ୍ପେଷିତକୁ ଦେଖିଲେ

ଆମେ କାନ୍ଦିପକାଉ;

ଆମେ ତାକୁ ହୃଦୟଭରି ସାହାଯ୍ୟ କରୁ;

ସେଇ ଟିକକ ସାହାଯ୍ୟ କରିବା ହିଁ ଆମର ଆନନ୍ଦ !

ନାରୀକେଳର ଶ୍ୟାମଳ-ମୋହନ-କୁଞ୍ଜ ଭିତରେ

ମୁଁ ଏଇପରି ଗୋଟିଏ ଜୀବନ ଧରି

ପଡ଼ି ରହିଚି–

ଯେଉଁ ଜୀବନ ମଳୟ ପରି ଚଞ୍ଚଳ ।

ଫୁଲର ଗନ୍ଧ ପରି ଉତ୍‌ଫୁଲ୍ଲ !;

ସୂର୍ଯ୍ୟର କିରଣ ପରି ଉଜ୍ଜ୍ୱଳ !

ମୁଁ ଜୀବନରେ ଏଇପରି ବଞ୍ଚି ଆସିଚି

ମୁଁ ଜୀବନରେ ଏଇପରି ବଞ୍ଚି ରହି

କେତେ ଠକ ଜୁଆଚୋରୀ ଦଳର

ଶିକାର ହୋଇଛି,

ସେମାନେ ମତେ ବହୁବାର କ୍ଷତବିକ୍ଷତ କରିଚନ୍ତି

କିନ୍ତୁ ହତ୍ୟା କରିପାରିନାହାନ୍ତି;

ମୁଁ ଏମାନଙ୍କ ହାବୁଡ଼ରେ ବହୁବାର ପଡ଼ି

ବଡ଼ ବ୍ୟତିବ୍ୟସ୍ତ ହୋଇପଡ଼ିଛି

ତଥାପି ମୋର ଧୈର୍ଯ୍ୟ ଅଛି, ସାହସ ଅଛି,

ମୁଁ କାହାର କ୍ଷତି କରିନି;

ମୁଁ ଆନନ୍ଦମୟ, ମୁଁ ସମସ୍ତଙ୍କୁ ଆନନ୍ଦ ଅମୃତ ଦେବାକୁ ଚାହେଁ;

ମୁଁ ଚାହେନା କାହାକୁ ଛନ୍ଦି ବାନ୍ଧି ରଖିବି–

ପ୍ରତି ଦିନ ଜାଲ ପକାଇ;

ସେଥିପାଇଁ ମୋର ଦୁଃଖ ନାଇଁ, ମୋର ଚିନ୍ତା ନାଇଁ !

ମତେ ହଇରାଣ କରି, ମତେ ବିପନ୍ନ କରି

ଯିଏ ଆନନ୍ଦ ପାଉଚ ପାଅ !

ମୁଁ ବିପନ୍ନ ହୋଇ ଆନନ୍ଦରେ ବଞ୍ଚି ରହିପାରେ

ମୁଁ କ୍ଷତିଗ୍ରସ୍ତ ହୋଇ ହସି ପାରେ !

ମୁଁ ମୃତ୍ୟୁକୁ ବରଣ କରି ଜୀବନର ଆସ୍ୱାଦନ ପାଇପାରେ !

ତୁମର ଆନନ୍ଦ ତୁମର ଗର୍ବ

ଅନ୍ୟକୁ ବିପନ୍ନ କରି ରସାତଳଗାମୀ କରିଦେବା

ମୋର ଆନନ୍ଦ,

ପୃଥିବୀକୁ ଜୀବନ୍ତ କରି ତିଆରି କରିବା !!

•••

 

ଉତ୍ସ

ମୁଁ ତୁମକୁ ନମସ୍କାର କରୁଛି !

 

ଆମ ଗାଁ ବାଉରୀ ନାନୀ ଦେଖିଲି ମୁଁ, ଯାଉଅଛି

ଏକ ଗାଉଁ ଅନ୍ୟ ଗାଏଁ

ଜୀର୍ଣ୍ଣ ଦେହେ ଆବୋରିଛି ଦରବା ଖଣ୍ଡିଏ;

ଚିରି ଯାଇଅଛି ଠାଏ ଠାଏ ।

ବାଟେ ମୋରେ ଦେଖି ପଚାରିଲା

‘କେଉଁଆଡ଼େ ଯାଉଅଛୁ ପୁଅ !

ମୁଁ ବଡ଼ ଅନାସ୍ତ ହୋଇ ଚଳୁଛିରେ ବାବୁ !’

କହୁ କହୁ ନେତ୍ରପ୍ରାନ୍ତୁ ବୋହିଗଲା ଲୁହ ।

ଠିଆ ହେଲି, ଚାହିଁଲି ଟିକିଏ ତାରେ

ଆଖି ତାର ସକରୁଣେ ରହିଅଛି ଚାହିଁ !

ଦେଲି ମୁଁ ଦୁଇଟି ଟଙ୍କା

‘ନେଏ ନାନୀ କରିବୁ ଖରଚ

ପାଖେ ତୋର କିଛିଥିବ ନାଇଁ ।’

‘ହଁ, ବାବୁ ! ତୁ ଦେଲୁ ମୁଁ ନେଉଛି

ତୁ’ତ ଭାଇ ! ଦିଅନ୍ତୁ ନାଇଁକି ?

କିନ୍ତୁ କାରେ କହିବୁନି,ଶୁଣିଲେ କହିବେ ଲୋକେ

‘ଭିକ ମାଗି ଚଳୁଛି ସେ ଗୋଟେ ଭିକାରୁଣୀ’

‘ନା’ ନା ! କହିବିନି କା’ରେ,

କହିବା ମୋ କିବା ଲୋଡ଼ା କହ ?’

କିନ୍ତୁ ତା’ ପଦକ ବାଣୀ

ମତେ କଲା ଆକୁଳ ଅଥୟ !

ଦୁଃଖିନୀ ଯେ, ଅଭାଗିନୀ ସିଏ,

କିନ୍ତୁ ନୁହେଁ କାଙ୍ଗାଳୁଣୀ, ଭିକାରୁଣୀ, ବିପଦ ଗାମିନୀ

ଜୀବନର ମର୍ମନ୍ତୁଦ ଅଭାବ ଅନାହାର ଯନ୍ତ୍ରଣା ଭିତରେ,

ଆପଣାର ମହତ୍ୱ ଟିକକ ଧରି,

ଚାଲିଅଛି ଜନ ସମାଜରେ ।

ମଣିଷ ହସି ହସି ମରିପାରେ;

କିନ୍ତୁ ମହତ୍ୱ ଟିକକ ମାରିବାକୁ ରାଜି ନୁହେଁ !

ତା’ ଅନ୍ତର ମନ !

ମାନ ମହତ୍ୱର ଶେଷପରେ

ମଣିଷ ପାଲଟି ଯାଏ ଗୋଟାଏ ଅସ୍କରା ବଣ ।

ସମସ୍ତ ଯାଇଛି ତୁମର ନାନୀ!

ଘର, ଦ୍ୱାର, ବିଭବ

ଅସୀମ ଦୁଃଖରେ,

ତୁମ ସାରା ଜୀବନ ହେଉଛି ଛଟ ପଟ !

ସମାଜ ତୁମକୁ ଅନାଦର କରିପାରେ,

କିନ୍ତୁ ତୁମେ ପେଟ ପାଇଁ

ମାନ ମହତ୍ୱ, ଇଜ୍ଜତ ବିକି

ଅସ୍କରା ବଣ ପାଲଟି ଯାଇନ;

କିଏ ତୁମକୁ ହତାଦର କରିପାରେ ନାନୀ !

ନଜରକୁ ହୁଏତ ନ ଆଣିପାରେ;

କିନ୍ତୁ ତୁମକୁ, ଘୃଣା କରିବାକୁ

କାହାର ଜିଭ ଲେଉଟିବ ନାଇଁ ନାନି !

ଜୀବନର ସକଳ ଦୁଃଖ ଠାରୁ ବଡ଼ ଦୁଃଖ

ମାନ ମହତ୍ୱ ଇଜ୍ଜତର ଅପମାନ,

ମୃତ୍ୟୁ ପରେ ବି,

ସେ ଅପମାନ ନିଭିଯିବ ନାଇଁ;

ତୁମର ସେ କଳଙ୍କ ନାଇଁ;

ଭୟ କାହିଁକି ନାନି ?

ଏ ଭୀଷଣ ପୃଥିବୀ

ତୁମକୁ ଶତ ସହସ୍ରବାର ଅନାଦର କରୁ,

ଛୋଟ ଆଖିରେ ଦେଖୁ,

ତୁମର ଦୁଃଖ କରିବାର କିଛିନାଇଁ ନାନି !

ଆଖିର ଲୁହରେ ଯେ ବଞ୍ଚି ରହେ,

ନିଜର ସକଳ ମାନ ଇଜ୍ଜତ ଓ ମାନବିକତାକୁ

କ୍ଷଣିକ ପାଇଁ କି ହେଲେ ମାରି ନଦେଇ,

ସେ ଛୋଟ କାହିଁକି ହେବ ନାନି !

ନାଁ !

ତୁମେ ଗୋଟିଏ ମାଟିର ଦୀପ,

ତୁମକୁ କିଏ ନ ପଚାରୁ,

ତୁମେ ସ୍ନିଗ୍‌ଧ,

ତୁମେ ସୁନ୍ଦର,

ତୁମେ ଶୁଦ୍ଧ,

ତୁମେ କଳଙ୍କର ବହୁ ଦୂରରେ !

ତୁମେ ସକଳର ନମସ୍ୟା,

ମୁଁ ତୁମକୁ ନମସ୍କାର କରୁଛି ନାନି !!

•••

 

ମାଗୁଣି

 

ଯେ ଗାନ ଗାଇଲେ ପୃଥିବୀର ପ୍ରତି ରେଣୁରେ ରେଣୁରେ

ଏ ଜୀବନ ମିଶିଯାଏ

ଯେ ଗାନ ଗାଇଲେ ଆତ୍ମ ପର ଏ କ୍ଷୁଦ୍ର ଧାରଣା

ହୃଦେ ନାଇଁ ଥାନ ପାଏ

ଯେ ଗାନ ଗାଇଲେ ହୃଦୟେ ହୃଦୟେ ଜାଗି ଉଠେ କେତେ

ଅମୃତ ଅନୁରାଗ,

ସେଇ ଗାନ ମୋର ରସନାର ପ୍ରତି ତନ୍ତ୍ରୀ ଭିତରେ

ଖଚି ଦିଅ ମହାଭାଗ !

ଯେ ଗାନ ଗାଇଲେ ମରଣର ମହା ଯନ୍ତ୍ରଣା ମୋତେ

ନିମିଷକେ ନାଇଁ ବାଧେ,

ଯେ ଗାନ ଗାଇଲେ ଧରଣୀର ଯେତେ ବ୍ୟଥା ଜଞ୍ଜାଳ

ଦଳି ଚାଲେ ମୋର ପାଦେ

ଯେ ଗାନ ଗାଇଲେ ମହାସୃଷ୍ଟିର ପ୍ରତିରେଣୁ ତଳୁ

ଆଶ୍ଳେଷ ଉଠେ ଜାଗି,

ସେଇ ଗାନ ମୋର ରସନାର ପ୍ରତି ତନ୍ତୀ ଭିତରେ

ଦିଅ ମେଲି, ଯାଏ ମାଗି !

•••

 

ଯେଉଁଠି

 

ଅପମାନ ପାଇ ମଣିଷ ଯେଉଁଠି

ଲୁହ ପୋଛି ଫେରି ଆସେ,

ଯେଉଁଠି ତାରେ କେ ଚାହେଁ ନାଇଁ ଲବେ

ମୁଗ୍‌ଧ ମଧୁର ହାସେ,

ଅନାଥ ପରାଏ ପଡ଼ିଥାଏ ଏକା,

ନୀରବ ଅଶ୍ରୁ ଯାଉଥାଏ ଦେଖା,

ତା ଅଧୀର ବୁକେ ଶାନ୍ତି ଦେବାକୁ

ଯାଏ ମୁଁ ତାହାର ପାଶେ ;

ଅପମାନ ପାଇ ମଣିଷ ଯେଉଁଠି

ଲୁହ ପୋଛି ଫେରି ଆସେ ।

ହତାଶ ନୟନେ ମଣିଷ ଯେଉଁଠି

ଜଡ଼ ପରି ରହେ ପଡ଼ି,

ଯାଏ ନାଇଁ କେହି ଆଶାର ଆଲୋକ–

ବତୀ ତାହା ପାଶେ ଧରି ।

ଲାଗେ ଅନ୍ଧାର ଚଉଦ ଭୁବନ,

ଦେଖୁଥାଏ ଖାଲି ବିଷାଦ ସପନ,

ଦେଖାଏ ତା’ରେ ମୁଁ ଶତ ସୁନା ଛଇ

–ପ୍ରାଚୀ ସିନ୍ଦୂର ଭଳି

ହତାଶ ନୟନେ ମଣିଷ ଯେଉଁଠି

ଜଡ଼ ପରି ରହେ ପଡ଼ି !

ମଣିଷ ଯେଉଁଠି ପ୍ରପୀଡ଼ିତା ହେଲେ

ବୁଲେ ହୋଇ ଦିଗହରା

ପ୍ରତି ପଦେ ତାରେ ଜୀବନ ଲାଗଇ

ଦୁର୍ବହ ଭାର ପରା

ଦୈନ୍ୟ ଅଭାବ ଅବସାଦ ଭୟ

ଜୀବନକୁ କରେ ବିକଳ ଅଥୟ

ସମ୍ମୁଖେ ତାର ଜାଗେ ମୁହିଁ କିବା

ଉଜ୍ଜ୍ୱଳ ଧ୍ରବ ତରା !

ମଣିଷ ଯେଉଁଠି ପ୍ରପୀଡ଼ିତ ହେଲେ

ବୁଲେ ହୋଇ ଦିଗହରା !

ମଣିଷ ଯେଉଁଠି ସଇତାନ ସହ

ସଂଗ୍ରାମ କରି କରି ....

ସକଳ ଶୋଣିତ ଅକାତରେ ଢାଳି,

ଯାଇଥାଏ ଥକି ପଡ଼ି

ଦିଶୁଥାଏ ମୁଖ ଉତ୍ସାହ ହୀନ,

ଦିନୁ ଦିନ ତନୁ ହେଉଥାଏ କ୍ଷୀଣ,

କୋଟି ସାହସର ସିଂହ ସୃଜେ ମୁଁ

ତାରି ବୁକୁତଳ ଭରି ।

ମଣିଷ ଯେଉଁଠି ସଏତାନ ସହ

ସଂଗ୍ରାମ କରି କରି ....

ମଣିଷ ଯେଉଁଠି ନିରୁପାୟ ହୋଇ

ତେଜୁଥାଏ ତାର ପ୍ରାଣ !

ନିଭି ଯାଉଥାଏ ସକଳ ଶକତି,

ମନର ଗଭୀର ଟାଣ

ଦୁର୍ଦ୍ଦଶା ପରେ ଦୁର୍ଦ୍ଦଶାମାନ,

କାନେ ଢାଳୁଥାଏ ବ୍ୟର୍ଥର ଗାନ,

ସାର୍ଥକତାର ସଞ୍ଜିବନୀରେ

କରିଦିଏ ମୁହିଁ ସ୍ନାନ;

ମଣିଷ ଯେଉଁଠି ନିରୁପାୟ ହୋଇ

ତେଜୁଥାଏ ତାର ପ୍ରାଣ !

•••

 

ସେ’ ଦିନର ସେଇ ପଲ୍ଲୀ ଗାଆଁ

 

ସେ’ ଦିନର ସେଇ ପଲ୍ଲୀ ଗାଆଁ ପାଲଟିଚି ବିରାଟ ସହର,

ବିଦ୍ୟୁତର ଆଲୋକ-ଉତ୍ସବେ ଚତୁର୍ଦ୍ଦିଗ ଦିଶେ ଝଲମଲ !

ଠାଏ ଠାଏ ମୁଣ୍ଡ ଟେକି ଠିଆ, କେତେ କେତେ ବିଚିତ୍ର ଦୋକାନ;

କେତେ କାହିଁ କଳ କାରଖାନା ଗର୍ଜି ଉଠେ ଦିବସ ତମାମ

 

ରାତି ଦିନ ସବୁବେଳେ ଦେଖେ ରାସ୍ତାଘାଟ ଜନ ଗହଳିରେ–

ଭରପୁର, କେ’ କାହିଁ ଚାଲିଛି, ଚିହ୍ନିହୁଏ ନାଇଁ କା’ରେ ତିଳେ;

ସନ୍ଧ୍ୟା ହେଲେ ଯୁବା ଯଉବନୀ ପିନ୍ଧି କିବା ବିଚିତ୍ର ପୋଷାକ

ଚାଲୁଚନ୍ତି, ପିଚୁ ରାସ୍ତା ଉପରେ ବକ୍ଷେ ବହି କି ମଧୁ ସରାଗ !

 

ସେ’ ଦିନର ସେଇ ପଲ୍ଲୀଗାଆଁ ପାଲଟିଛି ବିରାଟ ସହର,

ମୁଁ ଖୋଜୁଛି କି ଶିରୀ ଏ ଥାନେ, ହଜିଅଛି କି ନିଧି ମୋହର ?

ଏ ଅନନ୍ତ ସାଜସଜ୍ଜା ମେଳେ, କି ସମ୍ପଦ ଯାଇଛି ମିଳାଇ,

ମନେହୁଏ ଜନ୍ମ ଜନ୍ମ ଧରି ତା’ର ନାଇଁ ପାରିବି ବା ପାଇ !

 

ସୀମାହୀନ ଏ ସୌଭାଗ୍ୟ ମେଳେ ମୁଁ ଖୋଜୁଛି ସେଇ ପଲ୍ଲୀ ଗାଆଁ

ମୋ ସମ୍ପଦେ ଉଠନ୍ତା ଯେ’ ନାଚି, ଦୁଃଖେ ମୋର କରନ୍ତା ଯେ’ ଆହା ।

•••

 

ମୁଁ’ ତ ଜଣେ କବି !

 

ଜୀବନସାରା କବିତା ଲେଖି ଲେଖି,

ଅଧ ଶଗଡ଼େ କାଗଜ ଜମା କଲି,

ବେଳ ପାଇଲେ ଟିକିଏ ଯାଏ ଦେଖି

କି ମଧୂଶିରୀ ରହିଛି ତହିଁ ଭରି;

କେଉଁଠି କେବେ କି ଗୀତ ଥିଲି ଲେଖି

କି ଭାବଧାରା କେଉଁଠି ଅଛି ରହି,

ଟିକିଏ ଦେଲେ ସରାଗେ ତାକୁ ପଢ଼ି,

ଓଠରେ ମୋର ଫୁଟଇ ସୁନା ଛଇ !

ଖାଇଲା ବେଳେ ଶୋଇଲାବେଳେ ପୁଣି

ବୁଲିଲାବେଳେ ପାହାଡ଼ ବିଲବନେ,

କବିତା କଥା ଚିନ୍ତା କରେ ଖାଲି,

କହେ ବା କେବେ ମୋହର ବନ୍ଧୁଜନେ !

କେ’ ମନ ଦେଇ ଶୁଣେ ମୋ ଗୀତ ଅବା,

କେ’ଟିକେ ଶୁଣି ନୀରବେ ଯାଏ ଚାଲି,

କେ’ କହେ ଏତେ ଲେଖି ବା କିସ ହବ ?

ପାହୁଲାକୁ ଏ ଯୋଗ୍ୟ ନୋହି ପାରି !

କେ କହେ କିଆଁ ଲେଖୁନ ପାଠ୍ୟ ବହି ?

ମିଳିବ ବହୁ ପଇସା ସେଇ କାମେ

ଏଭଳି ଗୀତ ସାତ ଶଗଡ଼ ଲେଖି

ପଡ଼ି ସେ ଥିବ, ଖାଇବେ, ଉଇମାନେ !

ଆନ କେ’ କହେ ପଣ୍ଡ ପରିଶ୍ରମ

-କବିତାରେ କି ଉଠିବ ଦେଶ ଜାତି ?

କାହିଁକି ବୃଥା ଲେଖୁଛି ଏ ଲୋକଟା

ପାଗଳ ପରି ନିୟତ ଦିବା ରାତି !

ନିଜକୁ ଦେଖେ ଦେଖେ ମୁଁ ଆନ ଜନେ

ପୋଷାକ ପତ୍ର କୋଠା ଓ ବାଡ଼ି କରି

ହାଇମି ଦେଖାଇଥାନ୍ତି କେତେ ରୂପେ

ମୁଁ ବସିଥାଏ କଲମ ଖାତା ଧରି ।

କେ କହେ ମୋର ପଢ଼ୁଛି ପୁଅ ବି. ଏ.

ଏଥର ହେବ ଡେପୁଟି ମାଜିଷ୍ଟ୍ରେଟ

କେ’ କହେ ମୋର ହେଉଛି କୋଠାତୋଳା–

ପଡ଼ିବ କାଲି ଚୂନ ଓ କଂକ୍ରେଟ !

ସଜାଏ କିଏ ତା ବଇଠକ ଖାନା

ଆସବାଦ ପତ୍ର କଟକୁ ନିଏ କିଣି,

କେ’ କହେ ମୋର ନହେଲେ ଗୋଟେ ଟ୍ରକ୍‌

ବ୍ୟବସାୟଟା ଭଲତ ଚଳିବନି !

ନିଖିଳ ଏଇ ଦୁନିଆଟାରେ ମୁହିଁ

କବିତା ଲେଖେ କବିତା ଲେଖେ ଖାଲି

ଚାଳର ଘରେ ମୋ ଦିନ ବିତିଯାଏ

ଶୁଏ ମୁଁ ଖାଲି ସଅପଟିଏ ପାରି ।

ମୋ ପାଖେ ବେଶି ଆସନ୍ତିନି ଲୋକେ

ଟଙ୍କା ପଇସା କରେନି ଦିଆ ନିଆ

ଶାଗ ଭାତ ଯେବେ ବା ଯାହା ଥାଏ,

ସେଥିରେ ମୋ’ର ଚଳଇ ଖିଆ ପିଆ ।

ଦୁଃଖ ଅଭାବେ ରହିଲେ ମଧ୍ୟ ମୁହିଁ

କବିତା ଲେଖି ସୁଖୀଥାଏ ମୋ ମନ,

ଦୁନିଆ ଆଖିରେ ଗଣିତା ନୁହେ ମୁହିଁ

ମୁଁ ଯେ ଜଣେ ବିଶ୍ୱେ କବିଜନ !

ସାଙ୍ଗ ସାଥି ବନ୍ଧୁ ପରିଜନ !

କହନ୍ତି ‘ ଏଟା ନିପଟ ନିର୍ବୁଦ୍ଧିଆ,’

ଅକାମୀ ତୁମେ କୁ’ଥିକି ଯୋଗ୍ୟ ନୁହଁ,

କହନ୍ତି ମତେ ବେଳେ ବେଳେ ମୋ ପ୍ରିୟା;

କର୍ମକ୍ଷେତ୍ରେ କେଉଁଠୁ କେତେ ରୂପେ

ମୋ ପରେ ହୁଏ ସମାଲୋଚନା କଟୁ

ମୁଁ ଯେହ୍ନେ ଏ ଧରଣୀ ମାଟି ପରେ

ସକଳ କର୍ମେ ନୁହଇ ମୋଟେ ପଟୁ !

ଧଳାକୁ କଳା କରିବା ଜଣା ନାଇଁ,

ଜଣାତ ନାଇଁ କରିବା ଯୁଆଚୋରୀ

ମୁଁ ତ କବି କେବଳ ଜଣେ କବି

ଥାଏ ମୁଁ ବସି କଲମ ଖାତା ଧରି !

ମୋ ଜୀବନ ଦୁନିଆ ଆଖିରେ ହାଇ !

ବାଏଁ ବାଏଁ ଉଡ଼ିଯିବତ ଯାଉ,

ଦୁଃଖ ନାଇଁ ଶୋଚନା ନାଇଁ ଲବେ

ଯିଏ ବା ମତେ ଯେ ଭଳି ରୂପେ ଚାହୁଁ ।

ମୋ କବିତାରେ କାଟତି ପଛେ ନୋହୁ

ମୋ କବି ପ୍ରାଣର ନ ହେଉ ସମାଦର

ଝାଟି ମାଟିର କୁଟୀରେ ଜୀବନ ବିତୁ

ପୋଷାକ ପତ୍ରେ ନଥାଉ ଆଡ଼ମ୍ବର;

ମତେ ଯେ ଭାବେ ଯିଏ ବା ଚିତ୍ର କରୁ,

କ୍ଷୁଣ୍‌ଣ ନୁହେଁ ଲବେ ସେଥିରେ ମୁହିଁ,

ମୁଁ’ ତ କବି ମୁଁ’ ତ ଜଣେ କବି !

ପ୍ରିୟ ଏ ମୋର ନିଖିଳ ବିଶ୍ୱ ଭୂଇଁ ।

ଉପରେ ଆକାଶ ତଳେ ଏ ବସୁନ୍ଧରା,

ଅସୀମ ପ୍ରାଣର ମୋହନ ଲୀଳା ଧରି,

ଅସୀମ ଯୁଗ କି ମହାଲକ୍ଷ୍ୟ ବହି

ଚାଲିଛି କିଏ ପାରିବ ଅବା କଳି ?

ମୁଁ ତାକୁ ପାଏ ହୃଦୟ ଭରି ଭଲ,

ମୁଁ ତା’ର ଦିଏ, ମୋହର ଯାହା ଦାନ,

ତା’ ଲାଗି ଢାଳେ ନୟନୁ ଅଶ୍ରୁଜଳ,

ସେଇ ଯେ ମୋର ପ୍ରାଣରୁ ବଳି ପ୍ରାଣ !

ମୁହିଁ ଯେ ତ୍ୟାଗ, ତ୍ୟାଗୀ ତାହାରି ପାଇଁ

ତାହାରି ବୁକୁରେ ଦେବାକୁ ମଧୁ ଭରି

ଭୁଲିଛି ନିଜକୁ; କେବଳ ତା’ର ଚାହିଁ

ବାହି ନିଏ ମୋ ପ୍ରାଣର କାବ୍ୟ-ତରୀ !

ମୋହର ଘର ବିରାଟ ଏଇ ମାଟି

ଏଇଯେ ମୋର ପ୍ରାଣର ଚିରସାଥୀ ;

ଏହାରି ପାଇଁ କବିତା ଲେଖି ଲେଖି

ପୁଣ୍ୟ ପୁଲକେ ଭରି ଉଠେ ମୋ ଛାତି !

ମୋହର ହୋଇ ନିଜର କିଛି ନାଇଁ,

ମୋର ଯେ’ ସବୁ ଧରଣୀ ଆକାଶ ଏଇ !

ନିଜରେ ଦିଏ ମୁଁ ଅସୀମ ଗଉରବ,

ମୋହର ଟିକକ ତାହାରେ ଦେଇ ଦେଇ

•••

 

ଜଣେ ବନ୍ଧୁଙ୍କର ଖଣ୍ଡିଏ ଚିଠି ପଢ଼ି...

 

ଯେତେଥର ଚିଠିପାଏ ତୁମ କାନ୍ତ ମରୁ

ମୂଳରୁ ମୁଁ ଶେଷଯାଏଁ ସବୁ ପଢ଼ୁ ପଢ଼ୁ,

ଉଲ୍ଲସି ଉଠଇ ମୋର କବିର ଅନ୍ତର

କେତେ ଆଶା ଉନ୍ମାଦନା ଉତ୍ସାହ ସ୍ରୋତର

ଅମୃତ ପରଶ ଲଭି ! ମୋ ଲାଗି ତୁମ୍ଭରି,

ଦୟା-ଦାନ-ତିତିକ୍ଷାର ଅସରନ୍ତି ଝରୀ,

ଉନ୍ମୁକ୍ତ ରହିଛି ନିତି, ଯେତେ ଗୁରୁତର–

କାମ ଥାଉ, ମୋହ ପାଇଁ ତୁମ ଅଭ୍ୟନ୍ତର–

ସେ କେଉଁ ଗୋପନ ପୁରେ, ଫୁଟଇ ସ୍ପନ୍ଦନ,

ତାପ ଦଗ୍‌ଧ ଏ ହୃଦୟେ ଶୀତଳ ଚନ୍ଦନ

ବୋଳିବାକୁ ଆକୁଣ୍ଠିତେ ! କେମନ୍ତେ ମୁଁ କବି

ସୁଝିବି ଏ ଦାନ ତବ ? କେବଳ ସମ୍ଭବି

ପାରିବ ମୋ କବିତାରେ, ଗାଇ କୀର୍ତ୍ତି ତବ;

ନିର୍ଯାତିତ ପ୍ରାଣେ ତୁମେ ଅମୃତ ଆସବ !

•••

 

ଯେବେ ବୁଲିଯାଏଁ ଆଉ ଥରେ

 

–୧–

ଜୀବନର ଅନ୍ତିମ ପ୍ରୟାଣ ବେଳେ,

ମୁହିଁ ହେଲେ ରହିଥାନ୍ତି ପାଶେ !

ତୁମେତ ଉଭାଇଗଲ ଗୋଟିଏ ସପନ ପରି,

କେଉଁ ଦୂର ଅଜ୍ଞାତ ପ୍ରବାସେ

ମୁଁ ତୁମକୁ ଦେଖିଥାନ୍ତି,

ତୁମ ପାଇଁ କାନ୍ଦିଥାନ୍ତି ନେତ୍ରୁ ଲୁହ ଢାଳି,

ତୁମ ଦୁଃଖ କଷ୍ଟ ରୋଗ ଯନ୍ତ୍ରଣାରେ

ଆପଣାକୁ କ୍ଷଣେ ପାଇଁ ଦେଇଥାନ୍ତି ଜାଳି;

ବୈତରଣୀ ତୀରେ ଯହିଁ ତୁମ ତୁଲେ ବସି

ଶୁଣୁଥିଲି ଜଳକଳ ଗୀତି,

ସେଠି ତୁମ ଚିତାଅଗ୍ନି ଜଳିଥିବ,

ଚାହିଁଥାନ୍ତି ସେ ଚିତା ଅଗ୍ନିରେ

ହୃଦୟର ସମସ୍ତ ମମତା

ଆହୁରି ବିରାଟ କରି ଢାଳି ଦେଇଥାନ୍ତି

ଯେହ୍ନେ ଘୃତାହୁତି;

ତୁମରି ସେ ଚିତାନଳ ପାଶୁ

ଫେରିଥାନ୍ତି କାନ୍ଦି କାନ୍ଦି ଅଧୀରେ ଉନ୍ମନେ ;

ପଛକରି ଚାହୁଁଥାନ୍ତି କୁଞ୍ଚିତ ସେ ଧୂମାନଳେ ତବ

ପ୍ରାଣ ଯେବେ ଗଭୀର ବେଦନେ

ହୁଅନ୍ତ ସନ୍ତୁଳି, ଘନୁ ଅତି ଘନେ;

ତୁମ ଆତ୍ମୀୟ ସ୍ୱଜନ-ଭାଇ ବନ୍ଧୁ ବାପା ମାଆ

ପତ୍ନୀ ପୁଅ ଝିଅ ପାଖ ଓ ପଡ଼ିଶା

ଯେବେ କାନ୍ଦିଥିବେ ଅଶ୍ରୁସିକ୍ତ କରି–

ଏ ଧରଣୀ ମାଟି,

ସେ ସବୁରେ ମୋ ଆଖିରେ ତପ୍ତ ଲୁହଧାର

ଢାଳି ଦେଇଥାନ୍ତି;

ଦୂରେ ଦୂରେ ବହୁଦୂରେ ସହସ୍ର ଯୋଜନ ପାରେ

ରହିଥିଲେ ମଧ୍ୟ,

ଯାଇଥାନ୍ତି ତୁମ ସେଇ ବିଲ ବନ ଘେରା

ଦରିଦ୍ର କୁଟୀରେ,

ବସିଥାନ୍ତି ତୁମ ସେଇ ମରଣ ଶଯ୍ୟାର ଧାରେ;

ହାତ ଚାଳି ତୁମ ସେଇ–

ହିମ ଜଡ଼ ନିର୍ଜୀବ ଶରୀରେ,

ପାଇଥାନ୍ତି ପରିତୃପ୍ତି

ଜୀବନର ଶେଷ ଗଉରବ,

–ହେଲାନି ସମ୍ଭବ;

–୨–

ଗୟାଧର ! ଗୟାଧର !

ଜୀବନର କେଉଁ ସୁଦୂର ଅତୀତେ

ତୁମ ତୁଲେ ବାନ୍ଧିଥିଲି ବନ୍ଧନ ମୁଁ

ନିବିଡ଼ୁ ନିବିଡ଼ତର,

ତୁମପାଇଁ ଦେଖୁଥିଲି କେତେ ସ୍ୱପ୍ନ

ଦିବା ନିଶିଥିନୀ ଅବିରଳ !

ତୁମେ ଚାଲିଗଲ ! ଚାଲିଗଲ !

ଚିରଦିନ ପାଇଁ ଚାଲିଗଲ !

ଜୀବନର ଯୌବନ ବୟସେ

ତୁମରି ଯେ ପ୍ରିୟଜନ ସହପାଠୀ

ତାଙ୍କୁ ମୁଁ ଦେଖୁଛି ସବୁବେଳେ,

ତୁମକୁ ତାଙ୍କରି ମେଳେ

ଦେଖିବାକୁ ପାଇଲିନି,

ଗୋଟିଏ ନିମିଷେ !

–୩–

ତୁମେ ଗଲ କେଉଁଆଡ଼େ

ଲୁଚିଗଲ ତୁମେ !

ତୁମ ପ୍ରାଣର ଅମୃତ ଟିକକ

ଦେଇଗଲ ମତେ

ମୁଁ ସେଇଟିକ ଧରି

ତୁମକୁ ହେଉଛି ଖୋଜି

ଦୂର ଦିଗ୍‌ଚକ୍ର ଧରି ଏଇ ଅନନ୍ତ ଜଗତେ ।

ବୈତରଣୀ ଢାଉଆ ଢେଉ

ତୋଳି ତୋଳି,

କଳତାନ ରଚି ରଚି

ଯାଉଥିବ ବୋହି ବୋହି

ତୁମ ସେଇ ଗାଁ ତଡ଼େ ତଡ଼େ,

ପନସ ବେତସ ଆମ୍ର ବନ କୁଞ୍ଜମାଳେ ।

କେତେ ଯେ ପ୍ରଭାତ ସନ୍ଧ୍ୟା

କେତେ ଜ୍ୟୋସ୍ନା ରାତି–

ପ୍ରାଣ ବିମୋହନ ରୂପ

ତରଳ ତରଙ୍ଗେ ନାଚି

ଯାଉଥିବ ଢଳି ଢଳି, ଏକ ପରେ ଆନ,

ଗୋରୁ ଗୋଠ ଫେରୁଥିବେ ନଈ ତଡ଼ୁ

କାଠୁରିଆ ହାଣୁଥିବ କାଠ,

ତୋଟାମାଳେ କାହିଁ

ହସିଖେଳି ଉଦ୍ଦାମ ପୁଲକେ

କେତେ ଯେ ତରୁଣ ଯାତ୍ରୀ

ଯା’ ଆସ କରୁଥିବେ ନଈ ତଡ଼େ ତଡ଼େ

ତୁମ ଗାଁ ମୁଣ୍ଡ ମାଟି ସଡ଼କରେ ।

ଫୁଟିଥିବ କନିଅର ଫୁଲ,

ତୁମ ଗାଆଁ ନଈ ତଡ଼େ ତଡ଼େ

ବର ଓହଳରେ ଧରି,

ଦୋଳି ଖେଳୁ ଥିବେ କେତେ

ଗାଈ-ଜଗା ପିଲେ,

ଏ ସବୁ ଭିତରେ ମୁହିଁ

ବୁଲିଥିଲି ଦିନେ ତୁମେ ତୁଲେ,

ସେ ସବୁତ ରହିଥିବ ସେଇପରି !

କା’ ଓଠେ ଫୁଟିବ ହସ ?

କାହା ପ୍ରାଣେ ଖେଳିଯିବ

ଉତ୍ସାହର ତଡ଼ିତ ପ୍ରବାହ ?

କାହା ପାଦ ପଡ଼ିବନି ତଳେ ?

ମୁହଁ ଯେବେ ସେ ଭୂଇଁରେ

ବୁଲିଯାଏଁ ଆଉ ଥରେ !

•••

 

ଯିବିନି ଯିବିନି ଫେରି !

 

–୧–

ମୁଁ ଯିବିନି ଯିବିନି ଯିବିନି କୁଟୀରେ ଫେରି,

ଏ ନୀଳ ଚିଲିକା, ଏ ନୀଳ ପାହାଡ଼, ଏ ନୀଳ ଆକାଶ

ରହିଥାଉ ମତେ ଘେରି,

ଯିବିନି ଯିବିନି ଫେରି;

ଶତେକ ଊର୍ମି ବାହୁତୋଳି କିଏ ଆଶ୍ଳେଷ କରେ ମତେ,

କାହା ନୟନର ଅସୀମ ନୀଳିମା ନିର୍ମଳ ନଭ ପଥେ–

କେବଳ ଅଜଣା ଅମୃତଧାମେ, ନଚାଇ ନଚାଇ ନିଏ,

କାହାର ବିଶାଳ ହୃଦୟ ପରଶ କିଏ ମୋ ରେ ଯାଚିଦିଏ !

କଲ୍ପ ଲୋକର କନକପୁରୀରେ କିଏ ଠିଆ କରେ ମତେ ।

କିଏ ସେ ବିରାଟ ଚିର ସୁନ୍ଦର ଧରି, ଧରି ନୁହେ ସତେ !

ମୁଁ ଯିବିନି ଯିବିନି ଯିବିନି କୁଟୀରେ ଫେରି,

ଏ ନୀଳ, ଚିଲିକା, ଏ ନୀଳ ପାହାଡ଼, ଏ ନୀଳ ଆକାଶ

ରହିଥାଉ ମତେ ଘେରି,

ଯିବିନି ଯିବିନି ଫେରି;

 

–୨–

ମୁଁ ଯିବିନି ଯିବିନି ଯିବିନି କୁଟୀରେ ଫେରି,

ଏ ନୀଳ ଚିଲିକା, ଏ ନୀଳ ପାହାଡ଼, ଏ ନୀଳ ଆକାଶ,

ରହିଥାଉ ମତେ ଘେରି,

ଯିବିନି ଯିବିନି ଫେରି;

ମହା ବିରାଟର ମହା ଅସୀମର ସାମାନ୍ୟ ମୁହିଁ ରେଣୁ

ସେଇ ଅସୀମର ସାଥେ ହସି ଖେଳି ବଜାଏ ଅସୀମ ବେଣୁ;

ସେହି ମହା ନଟ ସାଥେ ତାଳେ ତାଳେ ନୃତ୍ୟ ମୁଁ କରେ ଆଜି

ଛନ୍ଦେ ଛନ୍ଦେ ମହା ଅସୀମର ଗାଇ ସଙ୍ଗୀତ ରାଜି ;

ଅସୀମ ମୁଁ ଆଜି, ଅରୂପ ମୁଁ ଆଜି, ମୁହିଁ ଅମୃତ ପ୍ରାଣ

ମହା ଆଲୋକର ଉଚ୍ଛ୍ୱାସେ ଆଜି କରେ ମୁଁ ଗଭୀର ସ୍ନାନ;

ମୁଁ ଯିବିନି ଯିବିନି କୁଟୀରେ ଫେରି

ଏ ନୀଳ ଚିଲିକା, ଏ ନୀଳ ପାହାଡ଼, ଏ ନୀଳ ଆକାଶ

ରହିଥାଉ ମତେ ଘେରି,

ଯିବିନି ଯିବିନି ଫେରି;

•••

 

ସେ’ ଦିନ ଆସିଲ !

 

ସୁଦୂର ବିଦେଶ ବାସେ ଗାଆଁ ଘର ଛାଡ଼ି,

ଆସିବାର ହେଲାଣି ମୋ ମାସୁଟିଏ ପରି;

କେତେତ ଖୋଜିଲି ଏଥି ଦେଖନ୍ତି ତୁମରେ !

ଥିଲ ଏଥି ମୋହ ତୁଲେ ବରଷକ ତଳେ,

ବିଲ ବଣ ପରବତ, ପାହାଡ଼ ପ୍ରାନ୍ତର

ପଥଘାଟ, ନଦୀତଟ ଝରଣାର ଝର,

ଏ ସକଳ ମେଳେ ଯେବେ ବୁଲୁଥାଏ ଏକା

ଖୋଜୁଥାଏ, ପାଆନ୍ତ ବା, କେବେ ତୁମ ଦେଖା !

ସେବେ ତୁମେ ଶଇଶବ ଚପଳ ବେଭାରେ,

ହସି ଖେଳି ରହିଥିଲ ସାଙ୍ଗ ସାଥି ମେଳେ;

ସେନେହ ସୋହାଗେ ମୋରେ କହୁଥିଲ କଥା

ଶତ ସନମାନେ ଲୋଇଁ ମୋ ଚରଣେ ମଥା ।

ତରୁଣ ବୟସେ ଏବେ କେତେ ଦୂରେ ତୁମେ

ପଢ଼ୁଥିବ କେତେ ଆଶା ଖେଳାଇ ଜୀବନେ ;

ନିତି ନିତି ଦେଖୁଥିବ କି ମଧୁ ସପନ !

ତରୁଣ ମୋହନ ତେଜେ ଶୋହି ଦିନୁ ଦିନ;

ପ୍ରାଣ ଉଠୁଥିବ ନାଚି ଅସୀମ ବିସାରେ

ମିଶିଯିବା ଲାଗି କେଉଁ ମହା ପାରାବାରେ;

ଲକ୍ଷ ଲକ୍ଷ ଊର୍ମି ଯହିଁ ଉଠୁଥିବେ ଫୁଟି,

ନାଚି ନାଚି ପଡ଼ୁଥିବେ ବେଳା ଭୂମେ ଲୋଟି

ସେ ମୋହନ ଶିରୀ ନାଇଁ କଲେ ଆଲିଙ୍ଗନ

ଜୀବନ ଦିଶିବ କେବେ ଜୀବନ୍ତ ମୋହନ ?

କି ବିରାଟ ହୋମ ଶିଖା ଜଳାଇ ଜୀବନେ,

ରହିଥିବ କେତେ ଦୂରେ ଦେଖିଥାନ୍ତି କ୍ଷଣେ ।

ଏତେ ଏତେ କଥା ଭାଳି ରହିଛି ଅନାଇଁ

ସେ ଦିନ ଆସିଲ ମୋରେ ଦେଖିବାର ପାଇଁ ।

ଅଧର ଅମୃତ ହାସେ, ସ୍ନେହ ସନମାନେ

ନିମିଷେ ମିଶାଇ ଦେଲ ଆପଣା ପରାଣେ ।

ଏକାକୀ ଜୀବନ ଧରି ମୁଁ ରହିଚି ପଡ଼ି,

ସାରା ଜୀବନଟା ମୋର ଗଲା ଏଇପରି ।

ସମ୍ମୁଖେ ଚାହିଁଲେ ଦେଖେ ଶୂନ୍ୟ ଏ ଜୀବନ

ବିଲୋକି କା’ସୁଖଶିରୀ ପୂରିଯିବ ମନ ?

କାହାର ବିଜୟ ଅବା ଗଉରବ ଦେଖି

ଠିଆହେବି ସାତ ପାଞ୍ଚେ ମୋର ମଥା ଟେକି;

ବିପଦେ ଆପଦେ କାହିଁ ପଡ଼ିଗଲେ ଲଇଁ

ପାଶେ ପାଶେ ସବୁବେଳେ କେ’ ପାରିବ ରହି ?

କାହାରେ ଭରସା କରି କାଟିନେବି କାଳ

ବାଧିବନି ଧରଣୀର ବିଷମ ଜଞ୍ଜାଳ !

ଯେ ଦିନ ଆସିଲି ଫେରି ଏ ସୁଦୂର ବାସେ,

ଲୋଚନୁ ଲୋତକ ଢାଳି, ସକରୁଣ ଭାଷେ-

କହିଲେ କୁଟୀର ରାଣୀ, ‘‘ଥିବେ କି ସେ ନାଇଁ ?

ସେ ଥିଲେ ମୁଁ ଭାଳିହେବି କିମ୍ପା ତୁମ ପାଇଁ ?

ପୁଅରୁ ଅଧିକ ସେ’ତ ଦେଖିବେ ତୁମରେ’’

ନାହାନ୍ତି ସେ କେତେ ଆଶା ରଖି ତୁମ ପରେ !

ପାଦ ମୋ ପଡ଼ୁନି ତଳେ ବିଲୋକ ତୁମରେ

ପାରିଛି ନିଜର ହୋଇ ମୋର ଧରାତଳେ !

କି ସମ୍ପଦ ଲୋଡ଼ା ମୋର ଅଧିକ ଏ ତହୁଁ,

ଏ ମୋହନ ଶିରୀଟିକ ଚିର-ଦିନ ରହୁ ।

ବିରାଟୁ ବିରାଟ ହୁଅ ଅନନ୍ତ ପ୍ରସାରେ

ଏଇ ମହା ଆଶୀର୍ବାଦ ତୁମ ଶିରେ ଢାଳେ,

ତୁମ ଅଇଶ୍ୱର୍ଯ୍ୟ ଶିରୀ ଚିର ଦିନ ଚାହିଁ,

କେଉଁ ମହାଶୂନ୍ୟେ ଯାଉ ମୋ ପ୍ରଣ ମିଳାଇ !

•••

 

ଚିର ଭିକ୍ଷୁକ

 

ସେଇ ଅମୃତଭରା ହସଟିକ,

ନିତି ଦେଖିବାକୁ ମୁହିଁ ଆସିଥାଏ

ମୁଁ ତ ସାରା ଦୁନିଆରେ ବୁଲି ବୁଲି

ସେଇ ନିଧିଟିକ କାହିଁ ନାଇଁ ପାଏ !

ମୋତେ ଦେଖିଲେ ତା’ ଟିକି ହାତ ଟେକି,

କିବା ଆନନ୍ଦେ କୋହ କୋହ ହୋଇ,

ସେ’ତ ମୋ ବୁକୁ ଉପରେ ଢ଼ଳି ପଡ଼େ,

ମୋତେ ଜୁଳୁ ଜୁଳୁ ଜୁଳୁ ରହେ ଚାହିଁ !

ସେ’ତ ହସୁଥାଏ ଖାଲି ହସୁଥାଏ !

ନାଲି ଓଠଟି ମେଲାଇ ବାର ବାର,

ମୋତେ ଜାଣୁ ନଜାଣୁ କି ଆସେ ଯାଏ ?

ସେ’ତ, ଜୀବ, ଅମୃତ ଝରଣାର !

ମୁଁ ଗୋ ! ଚାଲିଗଲେ ସେ’ତ ରହେ ଚାହିଁ,

ଟିକି ଓଠେ ତା’ ଖେଳାଇ ସେଇ ହସ,

ସେଇ ଟିକି ହାତ ଦୂର ଥାଏ ଟେକି,

ତା’ରେ ଛାଡ଼ିଯିବା ପାଇଁ ଲାଗେ ପ୍ରାସ ?

ତା’ରେ ଧରିବାକୁ ପୁଣି ମନ ହୁଏ

ମୁଁ ଗୋ ଧରିଲେ, ମୋ ପାଖେ ଖସି ପଡ଼େ

ନୋହି ଶଙ୍କିତ, ନୋହି ସଚକିତ,

କିବା ଭାଗ୍ୟବାନ୍‌ ମୁଁ ମନେ କରେ !

ମତେ ଛାଡ଼ିବାକୁ ସେ’ତ ରାଜି ନୁହେଁ

ତାକୁ ଛାଡ଼ି ଆସିଲେ, ସେ ରହେ ଚାହିଁ

ତା’ର ସେ ଓଠ ହସରୁ ଟୋପାଟିଏ,

ଅବା ଆଗ୍ରହେ ମୋତେ ଦେବା ପାଇଁ !!

ସେ ତ ମୁକ୍ତି ହୃଦୟେ ଦେଇ ଯାଏ,

ମୁଁ କି ନେଇପାରେ ସେଇ ନିଧିଟିକ ?

ମୁଁ ଗୋ କିବା ଦିନ ରାତି ପଡ଼ିଥାଏ,

ହୋଇ ତା’ ଦୁଆରେ ଚିର ଭିକ୍ଷୁକ !!

•••

 

ପଡ଼ିଚି ଏ ଶ୍ରମିକଟି ଶୋଇ !

 

ଦିନଯାକ ହାଡ଼ଭଙ୍ଗା କାମ କରି କରି,

କ୍ଳାନ୍ତି ଆଉ ଅବସାଦ ଭାରେ,

ପଡ଼ିଛି ଏ ଶ୍ରମକଟି ଶୋଇ,

ବିସ୍ତୀର୍ଣ୍ଣ ମୁକୁଳା ଏଇ ଘାସ ପଡ଼ିଆରେ !

ମାରୁଛି ଘୁଙ୍ଗୁଡ଼ି,

ଆରାମେ ପଡ଼ିଛି ଶୋଇ,

ସବୁ ଦୈନ୍ୟ, ଅଭାବ ଜଞ୍ଜାଳ ଜାଳା,

ଯେହ୍ନେ ଯାଉଅଛି ଭୁଲି !

ଶୋଉ ! ଶୋଉ ! ଆହୁରି ନିବିଡ଼ ନିଦେ ଶୋଉ ;

ଯାତ୍ରୀ ! ତାକୁ

ଉଠାଅନି ଉଠାଅନି କେହି;

ପ୍ରାଣ ଦାନୀ ସୈନିକ ସେ

ଏ ମାଟିର, ଏ ଦେଶର, ଏଇ ସମାଜର

ଚାହୁଁଚ କି ତାକୁ,

ଅବଜ୍ଞାର ଦୃଷ୍ଟି ଢାଳି ?

ନା ! ନା ! ଶୋଉ ସିଏ, ଆହୁରି ନିବିଡ଼ ନିଦେ,

ପୃଥିବୀର ଏ ଘାସ ଶସ୍ୟାପରେ

ପୃଥିବୀ ତାହାର ଘର,

ଘର ତାର ବନ୍ଧା ନୁହେଁ

କ୍ଷୁଦ୍ର ମାଟି ଚେକିକରେ ।

ଚାହିଁ ତାକୁ, ପ୍ରାଣ ଭରି

ହୃଦ ଭରି ଚାହିଁ ତାକୁ ଥରେ;

ଯାତ୍ରୀ ! ତୁମେ ଯାଉଅଛ

ଏଇ ପଥପାର୍ଶ୍ୱେ, କରି କୋଳାହଳ !

ଯାଅ, କିନ୍ତୁ

ଭାଙ୍ଗନି ତାହାର ନିଦ,

ଦିଅ ତାକୁ କ୍ଷଣେ ଅବସର ;

ଭଲ କରି ଶୋଉ ସିଏ, ଦେଖୁଥାଉ ସ୍ୱପ୍ନ ଆନନ୍ଦର !

ଯାତ୍ରି ! ତୁମେ କରୁଚ କି ଉପହାସ ?

ତାହାର ଜୀବନ ନାଇଁ ?

ତାହାର ଆନନ୍ଦ ନାଇଁ ?

ସିଏ ଖାଲି, ଗୋଟିଏ ମାଟିର ପିଣ୍ଡୁଳା

–ପ୍ରାଣହୀନ ପ୍ରାଣୀ !

ଗାଈ ଗୋରୁ ମଇଁଷି ପରାଏ,

ପରଧାରେ ପଡ଼ିଅଛି ଶୋଇ

ମଶା ଓ ଡାଉଁଶ ତାରେ ରହିଛନ୍ତି ବେଢ଼ି;

ଜୀର୍ଣ୍ଣ ବାସ ପରିହିତ ହୋଇ

ବାହୁ - ଉପାଧାନେ ରହିଅଛି ପଡ଼ି ?

ନା ! ନା ! ମନୁଷ୍ୟର ମନୁଷ୍ୟ ସେ,

ପୃଥିବୀରେ ରଖିଅଛି ଧରି !

ଶୋଉ ସିଏ, ଟିକିଏ ଆରାମେ ଶୋଉ, ଆଉ କେତେ ଘଡ଼ି !

•••

 

ସମାଧି ମନ୍ଦିର

 

ଯେ’ଦିନ ମୋହର ଜୀବନର ଦୀପ ଲିଭିଯିବ ଏଇ ପଥେ,

ଯେ’ଦିନ ମୋହର ଲଳିତ ବଂଶୀ ବାଜିବନି ଅବିରତେ,

ଯେ’ଦିନ ମୋହର ଦେଖା ସାକ୍ଷାତ ହେବନାଇଁ କାହା ସହ,

ଯେ’ଦିନ ମୋହର ଶତସଖା ସାଥି ଅନ୍ତର ପରିଚୟ -

ସକଳର ସାଥେ ମଧୁ ବନ୍ଧନ ନିମିଷକେ ଯିବ କଟି,

ଯେ’ଦିନ ନୟନ ଦେଖିବନି ଏଇ ବିଲ ବନ ଗଛ ଲଟି,

ଯେ’ଦିନ ମୋହର ସକଳ ସତ୍ତା ଧରଣୀରୁ ନିଭିଯିବ,

ଆପଣାର ହୋଇ କିଏ ଯେବେ କାହିଁ ବନ୍ଧୁ ସୋଦର ଥିବ,

ଗରିବ କବିର ଏଇ ଅନୁରୋଧ ରକ୍ଷା କରିବ ତୁମେ

କହି ଯାଉଛି ମୁଁ ତୁମରି ବନ୍ଧୁ ଅତି ଆପଣାର ଜଣେ–

ମୋର ସମାଧିର ମନ୍ଦିରଟିଏ ଗଢ଼ିବ ହେ ସେଇ ଥାନେ,

ଗିରି ନଦୀ ଯହିଁ ବହିଯାଏ ନିତି ମନ୍ଦ୍ର ମଧୁର ତାନେ ।

ଯହିଁ ଠିଆ ହେଲେ ଦିଶଇ ସୋଲରୀ ନୀଳ ନିର୍ମଳ କାୟା,

ଊର୍ମି ମୁଖର ନୀଳ ଚିଲିକାର ଦିଶଇ କାନ୍ତ ଛାୟା,

ପଶ୍ଚିମ ଦିଗ୍‌ବଳୟର ତଳେ ଧୂସର ପାହାଡ଼ ଶ୍ରେଣୀ,

ଧରଣୀ ରାଣୀ କି ପକାଇଛି ଜୁଡ଼ା, ବାନ୍ଧିଛି କଳା ବେଣୀ !

ଚଉଦିଗେ ଖାଲି ଶ୍ୟାମଳ ଶସ୍ୟ କୋମଳ ଶୀର୍ଷ ତୋଳି,

ଉଷାର ମୃଦୁଳ ବାୟୁ ସଞ୍ଚାରେ ଉଠୁଥିବ ସୁଖେ ଦୋଳି,

ଭଦଭଦଳିଆ ଉଡ଼ି ବୁଲୁଥିବ ଲତା ପ୍ରାନ୍ତର ତଳେ,

କଜ୍ୱଳପାତୀ ଖୋଜୁଥିବ ସାଥି ଉଡ଼ି ଉଡ଼ି ଥରେ ଥରେ

ଗାଈଆଳ ପିଲା ବଂଶୀ ବଜାଇ ନେଉଥିବ ଧେନୁପଲ,

ବନ ଭୁଇଁ ଯହିଁ ଟିପାର ଶବଦେ ଲାଗୁଥିବ ସୁଖକର,

ମୋର ସମାଧିର ମନ୍ଦିରଟିଏ ଗଢ଼ିବ ହେ ସେଇ ଥାନେ,

ଗିରି ନଦୀ ଯହିଁ ବହିଯାଏ ନିତି ମନ୍ଦ୍ର ମଧୁର ତାନେ ।

ଫୁଟି ଉଠେ ଯହିଁ ଅଶୋକ ପଲାଶ ଜୈତ୍ରପତାକା ପରି,

ଅଳିଗୁଞ୍ଜନ ସଞ୍ଜ ସମୀରେ ମନ୍ଦ୍ରେ ଉଠଇ ଥରି,

କେତକୀ ଗନ୍ଧେ ଯେଉଁ ବନଭୂମି ବାସି ଉଠେ ମହ ମହ,

(ଯହିଁ) ଶୁଭ୍ର ଗୟସ ଧଳାମେଘ ପରି, ଫୁଟିଥାଏ ଅହରହ,

ବନମଲ୍ଲିକା ମାଡ଼ିଥାଏ ଯହିଁ ପାଣି ସାହାଡ଼ାର ଦେହେ,

କାଇଞ୍ଚ ପୁଞ୍ଜ ମାଣିକ୍ୟପରି ଥାଏ ଯହିଁ ଲତା ଗେହେ,

ବଟତରୁ ଯହିଁ ଶ୍ୟାମ ପଲ୍ଲବ ଆପଣା ଅଙ୍ଗୁ କାଢ଼ି,

ମଣ୍ଡିତ କରେ ଧରଣୀ ବକ୍ଷ ସେନେହ ସୋହାଗ ବାଢ଼ି,

ଆକାଶ ପରଶୀ ତାଳତରୁ ଶିରେ ବାଇଆ ଚଢ଼େଇ ନୀଡ଼,

ପ୍ରତି ଅନ୍ତରେ କଉତୁକ ଆଣେ, ଆଣେ ମାୟା ସୁଗଭୀର

ମୋର ସମାଧିର ମନ୍ଦିରଟିଏ ଗଢ଼ିବ ହେ ସେଇ ଥାନେ,

ଗିରି ନଦୀ ଯହିଁ ବହି ଯାଏ ନିତି ମନ୍ଦ୍ର ମଧୁର ତାନେ ।

ପଲ୍ଲି କିଶୋରୀ ଜଳ କାଖେ ଧରି ଯହିଁ ସଙ୍ଗିନୀ ତୁଲେ

କଥା ଭାଷା ହୋଇ ଫେରଇ ସୋହାଗେ ଆପଣା କୁଟୀର ପୁରେ,

ଗରିବ ବିଧବା ଇନ୍ଧନ ଯହିଁ ସଂଗ୍ରହ କରି ଆସେ;

ଜୀବନର କଥା ଭାଳି ଭାଳି ଯହିଁ ନୀରବ ଲୋତକେ ଭାସେ,

ଗଛ ଛାଇ ତଳେ କାଠ ଡେରି ଦେଇ ଶ୍ରାନ୍ତି ନିମିଷେ ମାରି,

ଶୂନ୍ୟକୁ ଚାହିଁ ଅଶ୍ରୂବୁହାଇ କହେ ‘‘ମୁଁ ଅଭାଗୀ ନାରୀ–

ହାତ ଧରି ଯାରେ ବାହା ହୋଇଥିଲି ଅଧାବୟସରେ ଗଲା,

ଗାଆଁ ସାଉକାର ଜମିବାଡ଼ି ନେଇ ବୁଲାଇଲା ଘରେ କଳା

ଧର୍ମ୍ମଦେବତା ଉପରେ ନିତି ହେ ଯିବା ଆସିବା ଯେ କର;

ବୁଝିବ ମୋହର ବିକଳ ଅଶ୍ରୁ ବେଦନା ମୋ ମରମର ।’’

ମୋର ସମାଧିର ମନ୍ଦିରଟିଏ ଗଢ଼ି ବହେ ସେଇ ଥାନେ,

ଗିରି ନଦୀ ଯହିଁ ବହିଯାଏ ନିତି ମନ୍ଦ୍ର ମଧୁର ତାନେ ।

ଶାନ୍ତ ନିରୀହ କୃଷକ ଯେ ପଥେ ନିଜ ବିଲମାଳେ ଚାହିଁ

ନୟନୁ ବୁହାଏ ଅଶ୍ରୁ - ଆସାର ଚାହିଁ ଚାହିଁ ପାରେ ନାହିଁ;

ବୁକୁତଳୁ ତାର କୋହ ଫାଟି ପଡ଼େ ବଦନୁ ନଫୁରେ ବାଣୀ

‘ଏ ହିଡ଼ ମୁଣ୍ଡେ କେତେଥର ମୁହଁ ବୋହିନାଇଁ ବିଲେ ପାଣି,

କେତେ ରାତି, କେତେ ସନ୍ଧ୍ୟା ସକାଳ ଶସ୍ୟ ଜଗିନି ଆସି

ଖରାର ତରାରେ କାମ କରିନି ଆଠକାଳି ବାରମାସୀ;

ମିଥ୍ୟା ମାମଲା ଯୋଡ଼ି ମୋହ ନାମେ ଏ ଟିକକ ଭୂମି,

ନେଇଗଲା ଯେହୁ ସାତ ଜନମରେ ନାହିଁ ମିଳୁ ପେଜ ପାଣି ।

ଧରଣୀ ଉପରେ ମିଥ୍ୟାର ଆହା ଜୀବନ କାହିଁରେ କାହିଁ ?

କେତେକାଳ ସେହୁ ବଞ୍ଚି ପାରିବ କିବା ସମ୍ମାନ ପାଇ ?’

ମୋର ସମାଧିର ମନ୍ଦିରଟିଏ ତୋଳିବ ହେ ସେଇ ଥାନେ

ଗିରି ନଦୀ ଯହିଁ ବହିଯାଏ ନିତି ମନ୍ଦ୍ର ମଧୁର ତାନେ;

ଜ୍ୟୋସ୍ନା ରାତିରେ ପୁରପଲ୍ଲୀରେ ପୁରାଣ ଓ କୀର୍ତ୍ତନ ।

ଶୁଭୁଥିବ ଯହିଁ ବାୟୁହିଲ୍ଲୋଳେ ଭାସି ଭାସି ଅନୁକ୍ଷଣ,

ନୀଳ ନଭତଳେ ଧଳା ମେଘ ଯହିଁ ଯାଉଥିବ ସଞ୍ଚରି,

ସେ କେଉଁ ସରଗ ଅପ୍‌ସରୀ ବାଲା ଓଢ଼ଣା ଉଡ଼ିଲା ପରି

ବନ ପର୍ବତ ଆକାଶ ଭୁବନ ରୂପାର ରାଇଜ ପରି;

ନାଚି ଉଠୁଥିବ ସପନ ପୁରୀର ମୁଗ୍‌ଧ ସୁଷମା ଧରି,

ଅଳସ ମରୁତ ବହିଯାଉଥିବ ସଞ୍ଚରି ବନେ ବନେ

ବକୁଳ ଗନ୍ଧ ଭାସି ବୁଲୁଥିବ ଚଉଦିଗେ ପ୍ରତି କ୍ଷଣେ;

ମଲ୍ଲୀ ମାଳତୀ ଝଡ଼ି ପଡ଼ୁଥିବ ଶ୍ୟାମ ବନ ଭୂଇଁ ଧାରେ

ଦର୍ପଣ ପରି ଦିଶୁଥିବ ନଈ ସ୍ୱର୍ଣ୍ଣସିକତା ବାରେ;

ମୋର ସମାଧିର ମନ୍ଦିରଟିଏ ଗଢ଼ିବ ହେ ସେଇ ଥାନେ,

ଗିରି ନଦୀ ଯହିଁ ବହିଯାଏ ନିତି ମନ୍ଦ୍ର ମଧୁର ତାନେ;

ମୋର ସମାଧିର ମନ୍ଦିର ଭାଲେ ଏଇ କଥା ଦେବ ଲେଖି

ଅସୀମ କାଳର ବିଶ୍ୱ ଜନତା ଯାଉଥିବ ଯାହା ଦେଖି;

‘ଧରଣୀର କେଉଁ ଅଜ୍ଞାତ କୋଣେ ଜନମିଥିଲି ମୁଁ କବି

କୋଟି ମରମର କାହାଣୀ ଗାଇଛି ମରମରେ ଅନୁଭବି ।

ସବୁ ଅନ୍ତର ଅନୁଭୂତି ଘେନି ଏଇ ଅନ୍ତର ମର୍ମ

ଧରଣୀର ସେବା କରି ଆସିଅଛି କବିତାରେ ଅନୁପମ ।

ସକଳ ଅଭାବ ଦୈନ୍ୟର ସହ ସଂଗ୍ରାମ କରି କରି

ଧରଣୀ ସାଗରେ ଚାଲିଛି ମୋହର କବି ଜୀବନର ତରୀ ।

ଯାହା ଯେତେବେଳେ ପାଇଚି ଦେଇଛି ଦରିଦ୍ର ମୁହିଁ କବି

ତାହାରି ଭିତରେ ଯାଉଥିବ ମୋରେ ବେଳେ ବେଳେ ଅନୁଭବି ।

ମୋର ସମାଧିର ମନ୍ଦିରଟିଏ ଗଢ଼ିବ ହେ ସେଇ ଥାନେ

ଗିରି ନଦୀ ଯହିଁ ବହିଯାଏ ନିତି ମନ୍ଦ୍ର ମଧୁର ତାନେ ।

•••

 

ପିପାସା

 

ଏ ଜୀବନ ଯାଉ ଯେତେ ଦୂର

ପିପାସା ତା’ ଯିବନାଇଁ ମରି,

ଖୋଜୁଥିବ ତୁମେ ରହିଥାନ୍ତ -

ପାଖେ ପୁଷ୍ପ କଳିକାଟି ପରି ।

ଏ ଜୀବନ ଯେତେ ମିଠା ପାଉ

ତୃପ୍ତି ତା’ର ଆସିବ ତ ନାଇଁ,

ତୁମ ହୃଦ ମଧୁବାଣୀ ପଦେ

ଶୁଣିବାକୁ ରହିଥିବ ଚାହିଁ !

ଏ ଜୀବନ ଯେତେ ବଡ଼ ହେଉ

ଧରଣୀର କେଉଁଠାରେ କାହିଁ,

ତୁମେ ଯେବେ ବଡ଼ ନ କରିବ

ତା’ ଭିତରେ କି ଶିରୀ ମୋ ପାଇଁ ?

ଲକ୍ଷ ନେତ୍ର ଚାହିଁଥିଲା ବେଳେ

ବୁଜି ହୋଇ ଯାଉ ନେତ୍ର ମମ

ତୁମ ନେତ୍ର ନ ଚାହିଁଲେ ମୋତେ

ପ୍ରାଣହୀନ ମୋହର ମରଣ !

Image